Unknown

 

 

 

 

 

 

 

 

 

 

 

ସୁଅ ସାମ୍ନାର ମଣିଷ

ଖଗେଶ୍ୱର ମହତାବ

 

 

 

 

 

 

ଯେଉଁମାନଙ୍କ ଜୀବନ ଯନ୍ତ୍ରଣାକୁ ନେଇ

ଏ ଗଳ୍ପ ସଙ୍କଳନ

‘ସୁଅ ସାମ୍ନାର ମଣିଷ’

ଆତ୍ମପ୍ରକାଶ କରୁଛି, ସେମାନଙ୍କ ହାତରେ.....

 

–ଖଗେଶ୍ୱର

 

ସୂଚୀପତ୍ର

 

୧.

ସୁଅ ସାମ୍ନାର ମଣିଷ

୨.

ଚନ୍ଦ୍ର ଓ ନିଶା

୩.

ଝିଅ

୪.

ଭଂଗା ଅଇନା

୫.

ଅଭିଶପ୍ତ କେଦାର ଧର୍ଷିତା ଗଉରୀ

୬.

ଖୁନୀ

୭.

ରୋମନ୍ଥନ

୮.

ଘଷା ପଥରର ଆତ୍ମଲିପି

୯.

କୁମାର ପୂର୍ଣ୍ଣିମା

୧୦.

ଚଲାପଥ

୧୧.

ଖେଳ

୧୨.

କେତୋଟି ମୁହୂର୍ତ୍ତକୁ ପିଠିକରି ଗୋଟିଏ ମୁହୂର୍ତ୍ତକୁ ଖୋଜୁଥିବା ମଣିଷ

୧୩.

ଦୁର୍ଘଟଣା

୧୪.

ଅନ୍ଧାର

୧୫.

ଏକ ପୂର୍ଣ୍ଣାଙ୍ଗ କାହାଣୀର କିୟଦଂଶ

୧୬.

ଜନପଥ

୧୭.

ପରାଜିତା

୧୮.

ମଧୁମାଳତୀ

୧୯.

ଡାମରାକାଉ

୨୦.

ସୁକାନ୍ତ ମହାନ୍ତି ! ଅପେକ୍ଷା କର

୨୧.

ଏବଂ ଶେଷକଥା.....

Image

 

ସୁଅ ସାମ୍ନାର ମଣିଷ

 

ଚିତ୍‌ହୋଇ ମହାନଦୀ ପଥରବନ୍ଧ ଉପରେ ଶୋଇଛି ଯୁବକଟି ନିର୍ବିକାର ଭାବରେ । ଟ୍ରକ୍‌ ଚାପାରେ ଚାପିହୋଇ ମଥାରୁ ଛିଡ଼ିକି ପଡ଼ିଛି ଦହି ଦୁଇହାତ ଛଡ଼ାରେ । ଯୁବକଟିର ଏପାଖ ସେପାଖ ଦୁଇପଟକୁ ପଛକୁପଛ ଲାଗି ଅଟକି ଯାଇଛନ୍ତି ଟ୍ରକ୍‌, ବସ୍‌, କାର, ଟ୍ରେକର, ରିକ୍‌ସା ପ୍ରଭୃତି ଯନ୍ତ୍ରଜୀବ । ଚାରିପାଖରେ ପିମ୍ପୁଡ଼ି ପରି ଘେରିଯାଇଛନ୍ତି ଲୋକମାନେ । ପୋଲିସ ପାଟିକରି ହୁଇସିଲ୍‌ ମାରି ନିୟନ୍ତ୍ରଣ କରୁଛି ଲୋକମାନଙ୍କୁ । ସମସ୍ତଙ୍କ ପାଟିରୁ ‘ଆହା, ବିଚରା’ ବାରମ୍ୱାର ନିସୃତ ହୋଇ ମିଶିଯାଉଛି ପବନରେ....ମହାନଦୀର ନୀଳଢ଼େଉରେ.....ଜନତାର ନିଶ୍ୱାସରେ ।

 

ହେଲେ ଶୋଇବା ଲୋକଟି ଶୋଇଯାଇଛି ନିଘୋଡ଼ ନିଦରେ....ପରମ ତୃପ୍ତିରେ । ସତେ ଯେପରି ସମସ୍ତ କାମନା-ବାସନା ପୂରଣ ହୋଇଯାଇଛି ତାର । କାହାକୁ କିଛି ଦେବାର ନାହିଁ କି କାହାଠୁଁ କିଛି ନେବାର ନାହିଁ । ନିରାସକ୍ତ ମଣିଷଟିଏ ଆହା !

 

ଏବେ ଜୀବନ୍ତ ହୋଇ ସେଇ କରୁଣ ମୁହୂର୍ତ୍ତର ଦୃଶ୍ୟଟି ନାଚିଯାଉଛି ଆଖି ଆଗରେ ସତେ ଯେପରି ପ୍ରେକ୍ଷାଳୟରେ ରୂପେଲି ପର୍ଦ୍ଦାରେ ଅବିକଳ ଚଳଚ୍ଚିତ୍ର ।

 

ମଣିଷ ଜାଣୁଛି ମୃତ୍ୟୁ ତାର ଅନିବାର୍ଯ୍ୟ । ତଥାପି ତାର ଜନ୍ମ-ମୃତ୍ୟୁର ସୀମାରେଖାରେ ଅନେକ ଛକାପଞ୍ଝା.....ବାଗୁଡ଼ିଖେଳ । କିଛି ବାଟ ଆଗକୁ ଯାଇ ପଛକୁ ଫେରି ଆସିବାର ଅନୁଭବ (ଦୁଃଖ ଓ ଆନନ୍ଦ)ର ନିୟନ୍ତ୍ରଣ ରେଖାର ପରିମାପ ଅର୍ଥ ହିଁ ଜୀବନ । ତେବେ ମଣିଷ ଦୁଃଖରେ ଅଧୈର୍ଯ୍ୟ ବା ଆନନ୍ଦରେ ବିଭୋର ହୋଇ ଉଠିବାର କାରଣ କଣ, ଏକ ବିରାଟ ପ୍ରଶ୍ନବାଚୀ (?) ହୋଇ ଅଟକି ଯାଇଛି ଆନନ୍ଦର ପ୍ରଶ୍ନିଳ ଚକ୍ଷୁରେ ଓ ବାରମ୍ୱାର ଚିତ୍କାର କରି ଜିଜ୍ଞାସା କରୁଛି—

 

କାରଣ କଣ ? .....କାରଣ କଣ ? .....କାରଣ କଣ ?

 

କୁଆଡ଼ୁ କୁଆଡ଼ୁ ଅନେକ କଥା ପହଞ୍ଚି ଯାଇଛି ସ୍ମୃତିରେ ଓ ସବୁଗୁଡ଼ିକ ଏକାଠି ମେଞ୍ଚାମେଞ୍ଚା ଗୋଳେଇ ଘାଣ୍ଟି ହେଉଛନ୍ତି..... ଅନ୍ଧ କରି ଦେଉଛନ୍ତି ବିଚରାକୁ । ତଥାପି ଆନନ୍ଦ ଖୋଜିଲାଗିଛି ଇପ୍‌ସିତ ଦ୍ରବ୍ୟଟିକୁ ମାଟିରେ, ପାଣିରେ, ପବନରେ.....ତା ବୋଉର ପାଚିଲା ବାଳରେ....ସ୍ତ୍ରୀ ଉଦାସୀ ଆଖିରେ ପୁଅର ଦରୋଟି ଶବ୍ଦରେ । ମନେହେଉଛି ଇପ୍‌ସିତ ଉତ୍ତରଟି ଗୋଳିହୋଇ ଯାଇଛି ସବୁଠି । କିନ୍ତୁ ଶତ ଚେଷ୍ଟା ସତ୍ୱେ ବି ସେ ଆଣିପାରୁନି ହାତମୁଠାକୁ କି ଉଚ୍ଚସ୍ୱରରେ ଚିତ୍କାର କରି କହିପାରୁନି—‘ପାଇଛି—ପାଇଛି ୟୁରେକା—ୟୁରେକା ।’

 

ବୋଧହୁଏ ତଥ୍ୟଟି ସବୁଦିନପାଇଁ ତା ପାଖରେ ଜଣାହୋଇ ଅଜଣା ରହିଯିବ....ଦୃଶ୍ୟ ହୋଇ ଅଦୃଶ୍ୟ ରହିଯିବ । ସତରେ ଅନେକ ପ୍ରଶ୍ନ, ଅନେକ କଣ ଓ କାହିଁକିର ଉତ୍ତର ସହଜ ସତ୍ୱେ ବି ସମାଧାନ ସାଧାରଣ ମଣିଷ ପାଇଁ ଅପୂର୍ଣ୍ଣାଙ୍ଗ । ହୁଏତ ଏଇଟା ଈଶ୍ୱରଙ୍କ ଇଚ୍ଛା; କାରଣ ସେ ବାରମ୍ୱାର ସେଇ ତଥ୍ୟର / ଜଟିଳ ପ୍ରଶ୍ନର ଅବତାରଣା ପାଇଁ ପଠାଇବେ ଯୀଶୁଙ୍କୁ, ବୁଦ୍ଧଙ୍କୁ, ମହମ୍ମଦଙ୍କୁ, କବୀରଙ୍କୁ, ନାନକଙ୍କୁ ଓ ଏହିପରି ଅନେକଙ୍କୁ ।

 

ଆନନ୍ଦ ସବୁ ବୁଝିପାରୁଛି ହେଲେ ବୁଝେଇ ପାରୁନି ଅନ୍ୟକୁ । ବୁଝାଇବାକୁ ଚେଷ୍ଟା କରୁଛି, ହେଲେ ତୃପ୍ତି ଆସୁନି ମନରେ ।

 

ମୃତ ଯୁବକଟିକୁ ଉଠେଇନେବାକୁ ପାଖରେ ଅଟକି ଯାଇଛି, ପୋଲିସ୍‌ ଭ୍ୟାନ୍‌......ସତେ ଯେପରି ସ୍ୱର୍ଗରୁ ଓହ୍ଲେଇ ଆସିଛି ଦେବଯାନ, ଯୁବକ ଜଣକୁ ଇହଜଗତରୁ ମୁକ୍ତି ଦେଇ ବୈକୁଣ୍ଠକୁ ନେଇଯିବାକୁ ।

 

ଆକ୍‌ସିଡ଼େଣ୍ଟ୍‌ କରିଥିବା ଟ୍ରକ୍‌ଟି ପଳେଇଯାଇଛି ଦୃତ ଗତିରେ, ଯେମିତି ସିଂହ ହାବୁଡ଼ରୁ ଖସି ପଳେଇ ଯାଇଛି ନିରିହା ମୃଗୁଣୀଟି । ପିଛା କରୁଛନ୍ତି ପୋଲିସମାନେ । ହୁଏତ ଅଳ୍ପ ସମୟ ଭିତରେ ଡ୍ରାଇଭର ଧରା ହୋଇ ଥାନାକୁ ଆସିବ ଓ ବାରମ୍ୱାର ଥାନାବାଲାଙ୍କ ରୋଳବାଡ଼ିର ଆଘାତରେ.....ଉପସ୍ଥିତ ଲୋକମାନଙ୍କ ଘୃଣାରେ, ଛି-ଛାକରରେ ଅଚେତ ହୋଇପଡ଼ିବ । ପୁଣି ଚେତାପାଇ ନିରିହ-ଅସହାୟ ଚାହାଣିରେ ଚାହିଁବ ସମସ୍ତଙ୍କୁ ଓ ତାପରେ ଆରମ୍ଭ ହେବ ଥାନାବାବୁଙ୍କ ଗର୍ଜନ, ରୋଲବାଡ଼ିର ଆଘାତ, ଉପସ୍ଥିତ ଜନତାଙ୍କର ଘୃଣା ଓ ଛି-ଛାକର ।

 

ଏହାପରେ ବିଚରା ଡ୍ରାଇଭର କୌଣସି ଉପାୟରେ ତାର ନିର୍ଦ୍ଦୋଷତା ପ୍ରମାଣ କରିବାକୁ ଚେଷ୍ଟା କରିବ; କିନ୍ତୁ କେହି ଜଣେ ବି ଶୁଣିବେନି ତାର କରୁଣ ବୟାନକୁ । ସେ ଦୋଷୀ ଦଣ୍ଡ ପାଇବ-। ପୋଲିସର ଲାଠି, ଲୋକଙ୍କର ଛି-ଛାକର, ବିଧା ଗୋଇଠାରେ ମାଂସପିଣ୍ଡୁଳାଟେ ପାଲଟିଯିବ ଯାହା !

 

ଆନନ୍ଦ ଏବେ ସେହି ମହାନଦୀର ପଥରବନ୍ଧର ବାଡ଼କୁ ଆଉଜି ଠିଆହୋଇ ଚାହିଁଛି ନଦୀର ବିସ୍ତୃତ ବାଲୁକାଶଯ୍ୟାକୁ । ମନେ ହେଉଛି ଆଉ ଟିକିଏ ପରେ ଏ ପୃଥିବୀ ସମ୍ପୂର୍ଣ୍ଣ ବାଲୁକାମୟ ହୋଇଯିବ....ମରୁ ପାଲଟିଯିବ । ହଠାତ୍‌ ଏକ ପ୍ରଳୟଙ୍କରୀ ବାତ୍ୟାରେ ସମସ୍ତେ ନିସ୍ତେଜ ଓ ନିର୍ବାକ୍‌ ହୋଇଯିବେ ଯେମିତି ସେଦିନ ଏଇଠି ନିରିହ ଯୁବକଟି ନିର୍ବାକ୍‌ ହୋଇ ପଡ଼ିଥିଲା । ଉଣେଇଶ ଏକାଅଶୀରେ କେନ୍ଦୁଝର ଜିଲ୍ଲା ପୁରୁଣାବାନ୍ଧବୋଡ଼ାର ଖଣ୍ଡପ୍ରଳୟପରେ ନିସ୍ତେଜ ହୋଇ ପଡ଼ିଥିବା ଜୀବଜଗତ ପରି ।

 

କି କ୍ଷଣଭଙ୍ଗୁର ଏ ଜୀବନ !

କେତେ ମୋହ—କେତେ ମମତା !

କେତେ ଆଶା—କେତେ ଆକାଂକ୍ଷା !

 

କ୍ରମେ ସବୁ ଅସ୍ପଷ୍ଟ ହୋଇ ଆସିବ ସମୟର ଧୂଆଁରେ । ତା ପରେ ପରସ୍ତ ପରସ୍ତ ଅନ୍ଧାର ବୋଳି ହୋଇଯିବ ମାଟିରେ, ଆକାଶରେ, ପାଣିରେ, ପବନରେ ।

Image

 

ଚନ୍ଦ୍ର ଓ ନିଶା

 

—ଚନ୍ଦ୍ର

 

—କଣ କିଛି କହିବ ?

 

—ହଁ, ଶୁଣିବତ ?

 

—ନ ଶୁଣିବି କାହିଁକି ! ତୁମେ ଯେ ମୋର ସବୁଠାରୁ ଆପଣାର, ସବୁଠାରୁ ଆତ୍ମୀୟ ।

 

—ସତ କହୁଛି ! ପ୍ରକୃତିରେ ତୁମେ କଣ ମତେ ଭଲପାଅ ଚନ୍ଦ୍ର ! ତୁମ ଅନ୍ତରରେ......

 

—ସନ୍ଦେହ ହେଉଛି ନା ? କଣ ଚାହଁ ତୁମେ ? ଅଗ୍ନି ପରୀକ୍ଷା ?

 

—ନା, ଆବଶ୍ୟକ ନାହିଁ, ପୁରୁଷକୁ କେବେ, କେଉଁଠି ତାର ପ୍ରେମିକା ବା ପ୍ରଣୟିନୀ ପାଖରେ ପରୀକ୍ଷା ଦେବାକୁ ପଡ଼ିନି ।

 

—ତେବେ କଣ କହୁଛ ତୁମେ ?

 

—ନିଶା କଣ ଚନ୍ଦ୍ରକୁ ଭୁଲିଯିବ ? ଚନ୍ଦ୍ର କଣ ନିଶାର ସର୍ବସ୍ୱ ଗ୍ରହଣ କରି ଦୂରେଇ ଯିବ ନୂତନ ଜ୍ୟୋତ୍ସ୍ନାର ମାୟାରେ ?

 

—ନାଁ, ଚନ୍ଦ୍ର ! ଚନ୍ଦ୍ର ଉଜ୍ଜ୍ୱଳତାର, ନମ୍ରତାର, ମହାମାନବିକତାର ଉତ୍ସ ।

 

—ତେବେ ?

 

—ଏଇ ଆଗକୁ ଚାହିଁ । କିଛି କଣ ଦେଖିପାରୁନାହିଁ ?

 

—ହଁ ଦେଖୁଛି, ଜଣେ ଯୁବକ, ଜଣେ ଯୁବତୀ । କିନ୍ତୁ କଣ ହେଲା ତାଙ୍କର !

 

—ଜୀବନ ନାଟିକାର ସମାପ୍ତି ।

 

—କିପରି ?

 

—ପ୍ରତ୍ୟେକେ ପ୍ରତ୍ୟେକକୁ ପ୍ରେମ ରଜ୍ଜୁରେ ଧରି ରଖିବାକୁ ଚାହୁଁଥିଲେ । ହେଲେ......

 

—କଣ ହେଲା ତାଙ୍କର ?

 

—ବୁଝାମଣାର ଅଭାବ । ଯୁବକଟି ଯୁବତୀ ଜଣକ ଉପରେ ସନ୍ଦେହ କରି ହତ୍ୟାକଲା ତାର ପ୍ରେମିକାକୁ ଏବଂ ପରେ ଅନୁତାପରେ.....ଏଇ ଦେଖିଲ ତ ଟିକିଏ ପୂର୍ବରୁ......

 

—ସେ ବି ଆତ୍ମହତ୍ୟା କଲା ବେକରେ ଦଉଡ଼ି ଦେଇ ।

 

—ଏହାଦ୍ୱାରା କଣ ସେମାନେ ଶାନ୍ତି ପାଇବେ ?

 

—ହୁଏତ ନା ।

 

—ସେମାନେ ମୃତ, ନିର୍ଜୀବ । ସେମାନଙ୍କ କଥା ଚିନ୍ତାକରି ଲାଭନାହିଁ । ଆସ ! ଜୀବନକୁ ଉପଭୋଗ କରିବା ।

 

—କିନ୍ତୁ !

 

—କିନ୍ତୁ କାହିଁକି ?

 

—ଧରାପଡ଼ିଯିବା, କଳଙ୍କର ପସରା ବୋହି ଆମକୁ ଚିରଦିନ କଳଙ୍କିତ ହେବାକୁ ହେବ-

 

—ଆମେ ତ କିଛି ଅପରାଧ କରିନାହୁଁ, ଚୋରୀ କରିନାହୁଁ, ମଣିଷ ମାରିନାହୁଁ, ପ୍ରତ୍ୟେକ ପ୍ରତ୍ୟେକକୁ ଭଲପାଇଛୁ, ନିଜର କରିଛୁ, ନିକଟତର ହୋଇଛୁ ।

 

—ତଥାପି କେହି ଆମକୁ ବରଦାସ୍ତ କରିବେ ନାହିଁ । ସମାଜର ଅଲିଖିତ ଆଇନ୍‌ରେ ଆମେ ଦୋଷୀ ସାବ୍ୟସ୍ତ ହେବା ।

 

—ନା, ଅସମ୍ଭବ । ଆମେ ଏକ, ଆମେ ଅଭିନ୍ନ । ଆମକୁ କେହି ଅପରାଧୀ ବା ଦୋଷୀ କରି ପାରିବେ ନାହିଁ ।

 

—ମାତ୍ର ପ୍ରଭାତକୁ କଣ ତୁମେ ଫାଙ୍କି ଦେଇ ପାରିବ ?

 

—ସତେ ତ, ପ୍ରଭାତ ଯେ ଆମକୁ ଅଳ୍ପଦୂରରୁ ଚାହିଁ ହସୁଛି, ନିର୍ଲଜ ଭାବରେ ।

 

—ତେବେ ଉପାୟ ?

 

—ପଳାୟନ ।

Image

 

ଝିଅ

 

ଭୁବନେଶ୍ୱର ରେଲୱେ ଷ୍ଟେସନ । ପ୍ଲାଟଫର୍ମରେ ବେଶ୍‌ ଗହଳି । ପାନ, ବିଡ଼ି, ସିଗାରେଟ୍‌ ଓ ଚାହାବାଲାଙ୍କର ବିକଟ ଚିତ୍କାର ସାଙ୍ଗକୁ କେତେଜଣ ଭିକାରୀଙ୍କର ବିକଳ ସ୍ୱର ଭିତରେ ଟ୍ରେନ ଆସୁଛି ଓ ଯାଉଛି ।

 

ବୋଧହୁଏ ନୀରବତାକୁ କେବେ ବୁଝିନି ଏ ପ୍ଲାଟଫର୍ମ କି ବୁଝିବାକୁ ଚେଷ୍ଟା କରିନି; ଦୈନନ୍ଦିନ ବ୍ୟସ୍ତତା ଭିତରେ ଯେମିତି ସରକାରୀ ବା ବେସରକାରୀ ଦପ୍ତରରେ ଚାକିରି କରୁଥିବା ମାଆ ତାର ସନ୍ତାନସନ୍ତତିଙ୍କୁ ବୁଝିବାକୁ ସୁଯୋଗ ପାଏନା । ତାର ମାତୃତ୍ୱ କ୍ରମେ ସଙ୍କୁଚିତ ହୋଇଯାଏ ପରିବେଷ୍ଟନୀର ଚାପରେ ।

 

ପ୍ଲାଟ୍‌ଫର୍ମରେ ଭିନ୍ନ ଭିନ୍ନ ପୋଷାକ ପରିହିତ ଯାତ୍ରୀଙ୍କର ଟ୍ରେନ୍‌ ପ୍ରତୀକ୍ଷାରେ ସ୍ପନ୍ଦନ ବଢ଼ିଚାଲିଛି । କେହି କେହି ନିଃସଙ୍ଗ ଭାବରେ ଠିଆହୋଇଥିବା ବେଳେ ଅନେକ ସ୍ଥାନରେ ଦଳବଦ୍ଧ ଭାବରେ ଯାତ୍ରୀମାନେ ଅପେକ୍ଷା କରିଛନ୍ତି ଏକ ନିର୍ଦ୍ଦିଷ୍ଟ ମୁହୂର୍ତ୍ତକୁ, କେତେବେଳେ ଟ୍ରେନ୍‌ ଆସିବ । ଭୁବନେଶ୍ୱର-ୱାଲଟିୟର ଟ୍ରେନ୍‌ ଭିତରୁ ଯୁବତୀଟିଏ ରୁମାଲ ହଲେଇ ମୁର୍‌କି ହସୁଛି । ଏବେ ଟ୍ରେନ୍‌ର ଗତି ଆସ୍ତେ ଆସ୍ତେ ବଢ଼ିଯାଉଛି । ଟ୍ରେନ୍‌ଭିତରୁ ଓ ବାହାରୁ ବହୁ ହାତ ପରସ୍ପରକୁ ବିଦାୟ ସମ୍ୱର୍ଦ୍ଧନା ଜଣାଉଛନ୍ତି । କଟକ-ପୁରୀ ସଟଲ କିଛି ସମୟ ବିଶ୍ରାମ ନେଇଛି ସେକେଣ୍ଡ ପ୍ଲାଟ୍‌ଫର୍ମରେ-। କୋଣାର୍କ ଏକ୍‌ସପ୍ରେସ ଆସିବାକୁ ଅଳ୍ପ ଡେରି ।

 

ହଠାତ୍‌ ପଛପାଖରେ କାହାଠୁ ଧକ୍‌କା ଖାଇବା ଅନୁଭବ କରି ପଛକୁ ଚାହିଁଲା ଅଶୋକ-। ବେପରୁଆ ଚାଲି, ହସହସ ମୁହଁ, ସୁନ୍ଦର ଚେହେରାର ତରୁଣୀଟିଏ ମନକୁ ମନ କଣ ଗପିଯାଉଛି-। ବୟସ ଉଣେଇଶ-କୋଡ଼ିଏରୁ ଅଧିକ ହେବନି । ଲାଲ ଶାଢ଼ିଟିଏ ବେଶ୍‌ ମାନୁଛି ଦେହରେ-। ସତେ ଯେପରି ନିଖୁଣ ପ୍ରତିମାଟିଏ ।

 

ଝିଅଟିକୁ ଅବଶ୍ୟ ସେ ଦୁଇଦିନ ପୂର୍ବରୁ ଠିକ୍‌ ଏହିପରି ଏଇ ଅବସ୍ଥାରେ ଏଇଠି ଆବିଷ୍କାର କରିଥିଲା । ସେଦିନ ବି ସେ ଠିକ୍‌ ଏମିତି ହସୁଥିଲା ଓ ୟା ତା ପାଖକୁ ଯାଇ ମନକୁ ମନ କଣ ଗୁଡ଼ାଏ ଗପିଯାଉଥିଲା ଓ ସମୟ ସମୟରେ ହସି ହସି ବେଦମ୍‌ ହୋଇଯାଉଥିଲା । ତଫାତ୍‌ ଏତିକି ଯେ ସେ ଦିନ ସେ ହଳଦୀ ରଙ୍ଗର ଶାଢ଼ିଟିଏ ବେଢ଼େଇ ହୋଇଥିଲା ଦେହରେ ।

 

ହେଲେ ଏହାର କାରଣ କଣ ହୋଇପାରେ ?

 

ହିଷ୍ଟ୍ରିୟା ପେସେଣ୍ଟ୍‌ ନା ପାଗିଳୀଟିଏ ??

 

ତାର କଣ ବାପା, ମାଆ, ଭାଇ କେହି ନାହାନ୍ତି ???

 

ସେଦିନ ଅଶୋକ ଏମିତି ଅନେକ ପ୍ରଶ୍ନର ଉତ୍ତର ଖୋଜି ଟୁରିଜିମ୍‌ର ଓଡ଼ିଶା ମାନଚିତ୍ରକୁ ଚାହିଁଲାବେଳେ କେହି ଜଣେ ବୟସ୍କ ବ୍ୟକ୍ତି କମେଣ୍ଟ୍‌ କରି କହୁଥିଲେ ଏଇ ପାଖବସ୍ତିର ବେଶ୍ୟାଟେ କି କଣ ହୋଇଥିବ । ଅପେକ୍ଷାକର ଏଇନେ କେତେଟା ଟୋକା ଲାଗିଯିବେ ପଛରେ । ବୋଧହୁଏ ଝିଅଟି ଶୁଣିପାରିଥିଲା ତାଙ୍କର କଥାକୁ । ସେ କେବଳ ନିରବରେ ପଛକୁ ଚାହିଁ ପୁଣି ହସି ହସି ମିଶିଯାଉଥିଲା ଯାତ୍ରୀମାନଙ୍କ ଭିତରେ ।

 

ଷ୍ଟେସନ ପାଖରେ ଏପରି ଘଟଣା ହୁଏତ ନୂଆ ନୁହେଁ । ବହୁ ଅଲୋଡ଼ା ଜୀବନକୁ କୋଳେଇ ନେଇଛି ଏ ବସ୍ତି । ବହୁ ଚମ୍ପା, ମାଳତୀ ରଜନୀଗନ୍ଧା ଛଡ଼ାଫୁଲ ହୋଇ ଛିଡ଼ିକି ପଡ଼ନ୍ତି ଏ ବସ୍ତିରେ ଓ ବହୁ ଅସାମାଜିକ ମଣିଷଙ୍କର ପାଶବିକତାର ଶିକାର ହେବାକୁ ହୃଦୟର ଅନିଚ୍ଛା ସତ୍ତ୍ୱେ ଇଚ୍ଛା କରି ଶସ୍ତା ଶାଢ଼ି, ସ୍ନୋ-ପାଉଡର ଓ ଲିପ୍‌ଷ୍ଟିକ୍‌ ଲଗେଇ ଅପେକ୍ଷା କରନ୍ତି ବଞ୍ଚିବାର ମୋହରେ-। ଯଦିଚ ଏପରି ଅପେକ୍ଷାରେ ରୋମାଞ୍ଚ ନ ଥାଏ, ଥାଏ କେବଳ ଯନ୍ତ୍ରଣାର ଦୀର୍ଘଶ୍ୱାସ !

 

ଏଥର ଅଶୋକ ଆଖି ବୁଲେଇ ଚାହିଁଲା ଝିଅଟିକୁ । ସେ ସେମିତି ହସି ହସି ବେଦମ୍‌ ହୋଇଯାଉଛି ଓ ପରମୁହୂର୍ତ୍ତରେ କାନ୍ଦି କାନ୍ଦି ଗଡ଼ିଯାଉଛି । ପ୍ରାୟ ସବୁ ଯାତ୍ରୀଙ୍କର ଦୃଷ୍ଟି ତା ଉପରେ ଏକାଠି ହୋଇଯାଇଛି । ତିନି ଚାରି ଜଣ ଯୁବକ ଦୂରରେ ଠିଆ ହୋଇ କଣ ଚୁପ୍‌ଚୁପ୍‌ କଥାବାର୍ତ୍ତା ହେଉଛନ୍ତି । ତା ଭିତରୁ ଦୁଇଜଣ ଆଖି ମାରି ଅଶ୍ଳୀଳ ଇଙ୍ଗିତ ଦେଇ ଚାପାସ୍ୱରରେ କହୁଛନ୍ତି—‘‘ଏ ସେଇ ଝିଅ ତ ?’’

 

ମନେପଡ଼ୁଛି ଏଇ ଦୁଇତିନିଦିନ ତଳର କଥା । କିଏ ଜଣେ କହୁଥିଲା ବାଣୀବିହାର ରାସ୍ତାରୁ କେତେଜଣ ଯୁବକ ଅଠର ଉଣେଇଶ ବର୍ଷର ଜଣେ ଯୁବତୀକୁ ବଳପୂର୍ବକ ଟ୍ରେକରରେ ବସେଇ ଫେରାର ହୋଇ ଯାଇଛନ୍ତି ।

 

ତେବେ ଏକଣ.... !

 

ଅଶୋକ ଭାବିଲା, ପାଖକୁଯାଇ ପଚାରିବ ତାର ନାଁ କଣ ଓ ଘର କେଉଁଠି ? ହେଲେ ମନଟା ଫେରିଆସିଲା ପଛକୁ କାଳେ କିଏ କଣ କହିଦେବ । ସେ ଯା ହେଉନା କାହିଁକି କଣଯାଏ କାହାର ? ଏମିତି ଅନେକ ଦୁର୍ଘଟଣା ଘଟିଯାଉଛି । କିଏ ରଖିଛି ତାର ହିସାବ ? ସମ୍ୱାଦପତ୍ରରେ ବାହାରିବା ଦିନ ସ୍ଥାନୀୟ ସବର୍ସାଧାରଣରେ ଆଲୋଚନା ହେଉଛି କିନ୍ତୁ ପରଦିନକୁ ସେ ସମ୍ପର୍କରେ କାହାରି ମୁଣ୍ଡଖେଳେଇବାର ଆବଶ୍ୟକ ହେଉନି । ଯେମିତି କିଛିଦିନ ତଳେ ସମ୍ୱାଦପତ୍ରରେ ବାହାରିଥିଲା—‘ପ୍ରେମିକ ଓ ପ୍ରେମିକା ଉଭୟ ପରସ୍ପରକୁ ବିବାହ କରି ନ ପାରିବାରୁ ଆତ୍ମହତ୍ୟା କଲେ’, ‘ଅସାମାଜିକ କାର୍ଯ୍ୟରେ ଲିପ୍ତଥିବା ଜଣେ ପଦସ୍ଥ ଅଫିସରଙ୍କ କନ୍ୟା ଗିରଫ’ ଇତ୍ୟାଦି ।

 

ପୁଣି ସାହସ ଆସୁଛି ମନରେ, ନାଁ, ଯିଏ ଯାହା କହୁ, କ’ଣ ଯାଏ ମୋର ? ଅନ୍ତତଃ ଯଦି ଝିଅଟିର ଠିକଣା ବୁଝି ତା ବାପା ମାଆଙ୍କ ପାଖରେ ପହଞ୍ଚାଇ ଦେଇହୁଅନ୍ତା, ତେବେ ହୁଏତ.....

 

ନା, ଅଶୋକ ଆଉ ଭାବିପାରୁନି କିଛି । ଝିଅଟି ବାରମ୍ୱାର ତାରିଆଡ଼କୁ ଚାହିଁ ହସୁଛି । ଅଶୋକର ମନେପଡ଼ୁଛି ତାର ବାଲ୍ୟବାନ୍ଧବୀ ଅନୁପମା କଥା, ଯିଏକି ତାର ବାଲ୍ୟ ବୟସର ଧୂଳିଖେଳରୁ କଲେଜ ଜୀବନର ସଙ୍ଗିନୀ ଥିଲା । ପରସ୍ପର ପରସ୍ପରଠୁ ଉଭୟଙ୍କର ଅନିଚ୍ଛା ସତ୍ତ୍ୱେ ବାଧ୍ୟହେଲେ ଦୂରେଇଯିବାକୁ । ଏ ସେଇ ଅନୁପମା ନୁହେଁ ତ ? ହେଲେ ସେଇ ଆଖି, ସେଇ ନାକ ସ୍ପଷ୍ଟ ମନେପଡ଼ୁଛି ଅଶୋକର ! ସେ ଅତୀତକୁ ମନେପକାଇ ବିଭିନ୍ନ ପ୍ରକାର ଆଶଙ୍କାରେ ସନ୍ତୁଳି ହେଉଛି ମନେ ମନେ ।

 

ଏଥର ସେ ନିଶ୍ଚୟ ଯିବ ପାଖକୁ ଓ ତାର ଠିକଣା ବୁଝି ତାର ବାପା ମାଆଙ୍କ ନିକଟରେ ତାକୁ ପହଞ୍ଚାଇ ଦେବ । ଅଶୋକ ଏଥର ପାଦବଢ଼ାଇଲା ଆଗକୁ; ହେଲେ ଝିଅଟି କଣ ଭାବି ଦଉଡ଼ି ପଳେଇଯାଉଛି ରେଳଧାରଣାକୁ । କଟକପଟୁ ପ୍ରକାଣ୍ଡ ଯନ୍ତ୍ରଦାନବ ମାଡ଼ିଆସୁଛି ଠିକ୍‌ ଝିଅଟିର ବିପରୀତ ଦିଗରୁ । ଦୁଇ ନମ୍ୱର ପ୍ଲାଟଫର୍ମରୁ ଶୁଭୁଛି, ‘ମାମି ! ମାମି ! ଉପରକୁ ଉଠିଆ, ଟ୍ରେନ ଆସୁଛି ।’

 

ହେଲେ ଝିଅଟି କିଛି ନ ଶୁଣିଲାପରି ଦଉଡ଼ୁଛି । ମୁଁ ଦଉଡ଼ୁଛି । ଟ୍ରେନ୍‌ ଦଉଡ଼ୁଛି । ଅଶୋକ ଦଉଡ଼ୁଛି ଓ ବିପରୀତ ଦିଗରୁ ଦଉଡ଼ୁଛନ୍ତି ଜଣେ ଭଦ୍ରବ୍ୟକ୍ତି ।

 

ଆରେ, ଇଏତ ଅନୁପମାର ବାପା !

 

ସ୍ମୃତିର ପରଦା ଖୋଲିଯାଉଛି ଆସ୍ତେ ଆସ୍ତେ ।

 

ପ୍ଲାଟଫର୍ମର ଯାତ୍ରୀମାନେ ବି ଚିତ୍କାର କରୁଛନ୍ତି, ଧର-ଧର, ଚେନ୍‌ ଟାଣ, ଚେନ୍‌ ଟାଣ । ଟ୍ରେନ୍‌ ମାଡ଼ିଆସୁଛି ଝିଅଟିର ବିପରୀତ ଦିଗରୁ । ଝିଅଟି ବି ଦଉଡ଼ିବାରେ ଲାଗିଛି ଆଗକୁ ଆଗକୁ ।

 

ଏବେ ମୁଁ ଅଟକି ଯାଇଛି, ଭଦ୍ରଲୋକ ଜଣକ ଅଟକିଯାଇଛନ୍ତି ହେଲେ ଟ୍ରେନ୍‌ ଚାଲିଯାଇଛି । ଝିଅଟି ଚାଲିଯାଇଛି, ଖରା ଝାଉଁଳି ପଡ଼ିଛି । ଲୁଚିଯାଇଛନ୍ତି ସଂଧ୍ୟାର ପଣତରେ.....ଯାତ୍ରୀମାନଙ୍କ ହୋ-ହଲ୍ଲାରେ । ଟ୍ରେନର ଧୂଆଁ ମିଶିଯାଉଛି ଆକାଶରେ । ଝିଅଟିର ରକ୍ତାକ୍ତ ଦେହଟା ସ୍ଥିରହୋଇ ପଡ଼ିରହିଛି । ନୀରବ ହୋଇଯାଇଛି ପ୍ଲାଟଫର୍ମ ।

 

ଭଦ୍ରଲୋକଜଣକ ମୂର୍ଚ୍ଛାହୋଇ ସିମେଣ୍ଟ ବେଞ୍ଚରେ ଆଉଜି ପଡ଼ିଛନ୍ତି । ତାଙ୍କ ବିବର୍ଣ୍ଣ ମୁଖମଣ୍ଡଳରୁ ମାମି ଶବ୍ଦଟା ବାରମ୍ୱାର ଉଚ୍ଚାରିତ ହୋଇ ଅଟକିଯାଇଛି । ମୁଁ ସେମିତି ଦଉଡ଼ିବା ଅବସ୍ଥାରେ ଆକାଶଆଡ଼େ ଚାହିଁ ଖୋଜୁଛି ଝିଅଟିକୁ, ଯେକି ଟିକିଏ ପୂର୍ବରୁ ଆଶୋକକୁ ଚାହିଁ ବାରମ୍ୱାର ହସୁଥିଲା ।

 

ଅଶୋକ ପ୍ଲାଟଫର୍ମର ସିମେଣ୍ଟ ଚଟାଣରେ ନଥକରି ବସିଯାଇଛି । ଦୁଇଆଖିରୁ ଝରିଯାଇଛି ତାର ବୁନ୍ଦା ବୁନ୍ଦା ଲୁହ ଓ ସେ ସେହି ଲୁହରେ ଚଟାଣ ଉପରେ ବାରମ୍ୱାର ଆଙ୍ଗୁଳି ସାହାଯ୍ୟରେ ଲେଖୁଛି ‘‘ଅଶୋକ+ଅନୁପମା’’ ହେଲେ ବାରମ୍ୱାର ଲୁହବୁନ୍ଦା ଶୁଖିଯାଉଛି । ଲିଭିଯାଉଛି ସ୍ନେହ ଓ ମମତା ।

 

ଚୁ-ଚୁ ଶବ୍ଦ ଭିତରେ କେହି କେହି କହୁଛନ୍ତି ବିଚାରୀ କଣ ପାଇଲା ଏ ଆତ୍ମହତ୍ୟାରୁ ।

Image

 

ଭଙ୍ଗା ଅଇନା

 

କ୍ରମେ ପୁରୁଣା ହେଲେ ସବୁ ଜିନିଷର ଦାମ କମିଯାଏ । ସେ ଆଉ ମନଛୁଆଁ ହୋଇ ପାରେନା । ମଣିଷ ତାର ଆବଶ୍ୟକତା ଭୁଲିଯାଏ । ଉମାଶଙ୍କର ଶୈଶବ, ବାଲ୍ୟ, କୈଶୋର, ଯୌବନ ପର୍ଯ୍ୟାୟକ୍ରମେ ଟପି ଏବେ ପୌଢ଼ତ୍ୱରେ ପାଦ ଦେଉଁ ଦେଉଁ ପୁରୁଣା ଛିଣ୍ଡା ଚପଲ ପରି ଅଦରକାରୀ ହୋଇ ପଡ଼ିଛନ୍ତି । ଘରେ ସମସ୍ତେ କେଉଁଦିନ ଯେ ତାଙ୍କ ବିରୁଦ୍ଧରେ ମିଳିତ ବିଦ୍ରୋହ ଘୋଷଣା କରିବେ କିଏ ଜାଣେ ? କିନ୍ତୁ ସେ ଯେତେବେଳେ ବିଦ୍ୟାବୁଦ୍ଧି ଖଟେଇ କିଛି ଭଲରକମ ରୋଜଗାର କରୁଥିଲେ ସେତେବେଳେ ପରିବାରର ପ୍ରତ୍ୟେକ କାର୍ଯ୍ୟ ତାଙ୍କରି ନିର୍ଦ୍ଦେଶରେ ପରିଚାଳିତ ହେଉଥିଲା । ସତରେ ସେ ସେତେବେଳେ କେତେ ଜରୁରୀ ନଥିଲେ ଆପଣାର ସ୍ତ୍ରୀ, ବୋହୂ, ନାତି, ନାତୁଣୀଙ୍କ ପାଖରେ । କାହାକୁ କିଛି ନକହୁଣୁ ସମସ୍ତେ ତାଙ୍କର ପରାମର୍ଶ ପାଇଁ ଉପରେ ପଡ଼ି ବାରମ୍ୱାର ବିଭିନ୍ନ କଥା କହୁଥିଲେ, ହେଲେ ଆଜି ପରିତ୍ୟକ୍ତ ଭାବରେ ନିଜକୁ ସେ ବିଶ୍ଳେଷଣ କରୁଛନ୍ତି ରୋଗ ଶଯ୍ୟାରେ; ନୀଳ ଆକାଶର ଭସା ବାଦଲରେ ଖୋଜୁଛନ୍ତି ତୃପ୍ତି; ସବୁଜ ବନାନୀର ମୃଦୁ ସମୀରଣରେ ଅପେକ୍ଷା କରିଛନ୍ତି ମୁକ୍ତି ।

 

ମୁକ୍ତି କେତେ ସୁନ୍ଦର, କେତେ ମଧୁର, କେତେ ଆମୋଦଦାୟକ ସତେ ! ମୁକ୍ତିର ଅନ୍ୱେଷଣରେ ମଣିଷ ହୋଇଉଠୁଛି ପାଗଳ । ସମସ୍ତ ସୁଖ ସ୍ୱାଚ୍ଛନ୍ଦ୍ୟକୁ ତ୍ୟାଗକରି ବରିନେଉଛି ଚିର ଅନଟନର ନିର୍ଜନ ପ୍ରହର । ହେଲେ ଉମାଶଙ୍କର ?

 

ପାଟିରୁ ସ୍ପଷ୍ଟ କଥା ବାହାରୁନି । ଠିଆହେଲେ ମୁଣ୍ଡ ବୁଲେଇ ଦେଉଛି । ଦୁଇ ହାତ ବାଟ ସ୍ୱଇଚ୍ଛାରେ ଚାଲିଯିବାକୁ ବଳ ପାଉନି । ସେ ଏବେ ନିଜର ସମସ୍ତ ନିଜତ୍ୱ ହରେଇ ଦୟାର ପାତ୍ର ଭାବରେ ମୃତ୍ୟୁକୁ ଅପେକ୍ଷା କରିଛନ୍ତି । କାହାରିକୁ କିଛି ଜୋରକରି କାମ କରାଇ ନେବାର ଜୁ ନାହିଁ-। କାହାରିକୁ ଅତି ବିନୟର ସହ କିଛି ଗୋଟାଏ ଅନୁରୋଧ କଲେବି ଗୃହୀତ ହେଉନାହିଁ-। ବାପାରେ-ମାଆରେ-ଝିଅରେ-ସୁନାଟାପରା ଏମିତି ଯେତେ ଉପାୟରେ ବି କାମଟେ କରେଇ ନେବାକୁ ଚାହିଁଲେ ହେଉନାହିଁ । ଏପରିକି ପାଣିଟୋପାଏ ମାଗିଲେ ଅନେକ ସମୟ ଅପେକ୍ଷା କରିବାକୁ ପଡ଼ୁଛି । ବିଛଣାଖଣ୍ଡକ ଝାଡ଼ିଦେବାକୁ କହିଲେ କେହି ଶୁଣୁନାହାନ୍ତି । ବାରମ୍ୱାର କହିଲେ ହୁଏତ କେତେବେଳେ ନାତୁଣୀ ମିଲି ଡାହାଣୀ ଝାଡ଼ିଲା ପରି ଗଣଗଣ ହୋଇ ଆସେ-। ବିଛଣାଟି ଝାଡ଼ିଦେଇ ଯାଏ । ବାପୁ କହେ, ‘‘ମୁଁ ସେ ଅଜାଙ୍କ ପାଖକୁ ଜମା ଯିବି ନାହିଁ । ସେ ଅପରିଷ୍କାର-। ଦେହସାରା କୁଣ୍ଡିଆ । ତାଙ୍କ ଶୋଇବା ଘରକୁ ପଶିହେଉନାହିଁ । କି ଗନ୍ଧ, ଛି-ଛି.....’’

 

ଆଜି ଉମାଶଙ୍କର ରୋଗ ଶଯ୍ୟାରେ ଅନାଗତ ମୃତ୍ୟୁକୁ ଅପେକ୍ଷା କରିଛନ୍ତି ନିହାତି ଅସହାୟ ଭାବେ । ନିଜ ଦେହରେ ନିଜେ ପ୍ରତିବିମ୍ୱିତ କରିବାକୁ ଚେଷ୍ଟା କରୁଛନ୍ତି ବିଗତ ସତୁରୀ ବର୍ଷର ହସକାନ୍ଦକୁ । ଏହି ସତୁରୀ ବର୍ଷର ରୋମନ୍ଥନରେ ସ୍ପଷ୍ଟ ନ ହେଲେବି ଝାପ୍‌ସା ଦିଶୁଛି ସବୁକିଛି । ମନେପଡ଼ୁଛି, ସେ ନିଜେ ଏହି ସତୁରୀ ବର୍ଷର ଦୀର୍ଘ ବ୍ୟବଧାନରେ ଅନେକ ପୁରାତନକୁ ତ୍ୟାଗ କରିଛନ୍ତି ନୂତନତ୍ୱର ଆନନ୍ଦରେ । ଅନେକ ସମୟରେ ବି ସେ ନିଜର ଅନିଚ୍ଛା ସତ୍ତ୍ୱେ ବାଧ୍ୟ ହୋଇ ପୁରୁଣା ଜିନିଷକୁ ତ୍ୟାଗ କରିଛନ୍ତି, ହେଲେ ଏ ପର୍ଯ୍ୟନ୍ତ ତାଙ୍କ ଶଶୁରଘରୁ ଯୌତୁକ ପାଇଥିବା ପିତଳ ପାନ ଡବାଟିକୁ ଛାଡ଼ି ନାହାନ୍ତି । ଯଦିଚ ଆଉ ତାର ନୂତନତ୍ୱର ଚାକଚକ୍ୟ ନାହିଁ । ତଥାପି ସେ ଖୁବ୍‌ ଯତ୍ନରେ ସାଇତି ରଖିଛନ୍ତି ତାଙ୍କ ବିବାହର ସ୍ମୃତିକୁ । ସମସ୍ତଙ୍କ ଅଜାଣତରେ ଏବେ ସେ ସେହି ପାନ ଡବାକୁ ବାରମ୍ୱାର ଦେଖୁଛନ୍ତି, ଲୁଗା କାନିରେ ପୋଛୁପୋଛୁ ଏଣୁତେଣୁ କଣ ଗୁଡ଼ାଏ ଗପୁଛନ୍ତି । ଖାଲି ଏହି ପାନବଟା ନୁହେଁ, ଏବେ ଏହି ପୁରୁଣା ଜିନିଷ ପ୍ରତି ତାଙ୍କର ଏତେ ମମତା ବଢ଼ି ଯାଇଛି ଯେ ଯାହାକି ତାଙ୍କ ପରିବାରର ଈର୍ଷାର କାରଣ । ଅନେକ ସମୟରେ ଉମାଶଙ୍କର କାନ୍ଥରେ ଲଟକୁଥିବା ଅଜାଙ୍କର ବିକୃତ ଫଟୋକୁ ଚାହିଁରହନ୍ତି । ଅଜାଙ୍କର ଚେହେରା ସହ ବାପାଙ୍କର ଚେହେରାକୁ ମନେମନେ ତଉଲନ୍ତି । ଏଥିରୁ କଣ ଯେ ତାଙ୍କୁ ମିଳେ ସେ କାହାକୁବି ଦିନେ କହି ନାହାନ୍ତି ।

 

ଏହି ଦୁଇବର୍ଷ ତଳର କଥା ଉମାଶଙ୍କରଙ୍କର ପୁରୁଣା ରୁଚି ନେଇ ଘରଭିତରେ ଆରମ୍ଭ ହୋଇଥିଲା ଅଶାନ୍ତିର ଖଣ୍ଡିଆଭୂତ । ଉମାଶଙ୍କରଙ୍କ ପୁରୁଣା ରୁଚିକୁ ପବନର ଭଉଁରୀରେ ଘୂରେଇ କଚାଡ଼ି ଦେଇଥିଲା ଉମାଶଙ୍କରଙ୍କ ସାମ୍ନାରେ, ସତେ ଅବା ରାକ୍ଷସ କଂସ ବସୁଦେବଙ୍କ ସନ୍ତାନକୁ ଦେବକୀ ହାତରୁ ଘୋଷାଡ଼ି ନେଇ କଚାଡ଼ି ଦେଲା ମଣିଶିଳା ପଥରରେ ।

 

ଘରେ ସମସ୍ତଙ୍କର ଜିଦ୍‌ ବଇଦାଟା ଘରକୁ ଯାଉ । ବୁଢ଼ା ହେଲାଣି, କାମଦାମକୁ ପାରୁନାହିଁ । ତେଣୁ ଖାଲିଟାରେ ଘରେବସେଇ ଖୋଇପେଇ ଦରମା ଦେବାରେ ଲାଭ କଣ ? କିନ୍ତୁ ଉମାଶଙ୍କରଙ୍କର ଜିଦ୍‌ ନାଁ ବଇଦା ରହିବ । ସେ ବାହାରର ଲୋକ ନୁହେଁ । ହୁଏତ ଦିନେ ଥିଲା, ମାତ୍ର ଏବେ ସେ ପରିବାର ସହିତ ଅନେକ ଦିନରୁ ସାମିଲ ହୋଇ ଯାଇଛି । ଏ ପରିବାରର ଦୀର୍ଘ ଦିନର ଇତିହାସ ଏବେ ବି ତା ଜିଭରେ ଥୁଆ ହୋଇଛି । ଏ ପରିବାରର ଏକାନ୍ତ ଆତ୍ମୀୟ ସେ ।

 

ଶେଷରେ ଉମାଶଙ୍କରଙ୍କ କଥାକୁ କେହି ଗୁରୁତ୍ୱ ଦେଲେ ନାହିଁ । ବଇଦା ଉଦ୍ଦେଶ୍ୟରେ ପରିବାରରେ ସମସ୍ତଙ୍କର ମିଳିତ ବିଦ୍ରୋହ ତାଙ୍କ ହୃଦୟକୁ ପଙ୍ଗୁକରି ଦେଲା । ବଇଦା ନିଜର ଅନିଚ୍ଛା ସତ୍ତ୍ୱେ ନିଜ ଗାଁକୁ ଟିକେଟ କାଟିଲା । ଉମାଶଙ୍କରଙ୍କ ପରିବାରରେ ସମସ୍ତେ ବିଜୟୋଲ୍ଲାସରେ ମାତି ଉଠିଲେ କିନ୍ତୁ ଉମାଶଙ୍କରଙ୍କର ଆଖିର କେଇ ବୁନ୍ଦା ଅଶ୍ରୁ ବଇଦାର ଉଦ୍ଦେଶ୍ୟରେ ଧୂସର ମାଟିକୁ ଆର୍ଦ୍ର କରିଥିଲା ।

 

ବୃଦ୍ଧ ଉମାଶଙ୍କର ଆଉ କେଇଟା ଦିନପରେ ପରପାରିର ନିର୍ଦ୍ଦେଶରେ ଏଘର ଛାଡ଼ିଯିବେ, ହେଲେ ପ୍ରଭୁଭକ୍ତ ବଇଦା ଆଉ ହୁଏତ ଫେରିନପାରେ । ହେଲେ ସେ ଯଦି ଆଜି ଥାଆନ୍ତା କେତେ ଶାନ୍ତିରେ ଟିକିଏ ନିଶ୍ୱାସ ମାରି ପାରନ୍ତେ ଉମାଶଙ୍କର । ବଇଦା କଣ ନ କରିଛି ତାଙ୍କର ! ସାତ ଆଠ ବର୍ଷ ତଳେ ସେ ଯେତେବେଳେ ବେମାର ପଡ଼ିଥିଲେ ସେତେବେଳେ ବଇଦା କେତେ ସେବା ନ କରିଛି ତାଙ୍କର । ଦୁଇ ହାତରେ ନିର୍ବିକାର ଭାବେ ଝାଡ଼ା ପରିଶ୍ରାକୁ ଆଞ୍ଜୁଳା ଆଞ୍ଜୁଳା କରି କାଢ଼ି ନେଉଥିଲା । ପାଖରେ ବସି ଆଶା ଓ ଆଶ୍ୱାସନାର ବାଣୀ ଶୁଣାଉଥିଲା । ସୁନିତାଙ୍କର ମୃତ୍ୟୁପରେ ବଇଦାହିଁ ଥିଲା ତାଙ୍କର ଏକମାତ୍ର ଅବଲମ୍ୱନ । ମାତ୍ର ଆଜି ତାଙ୍କର ପୁଅ, ବୋହୂ, ନାତି, ନାତୁଣୀ ସମସ୍ତେ ଥାଇବି କେହି ଆହାପଦେ କହୁନାହାନ୍ତି । ଅବାଞ୍ଛିତ ଭାବରେ ମୃତ୍ୟୁକୁ ଅପେକ୍ଷା କରିବା ଛଡ଼ା ଆଉବା କଣ କରିବେ ସେ ? କେତେବେଳେ ଯେ ଅଦୃଷ୍ଟର ଇଙ୍ଗିତରେ ତାଙ୍କୁ ଟାଣିନେବ କିଏ ଜାଣେ । ଆଖିରେ ତାଙ୍କର ଲୁହ....ଲୁହ ନୁହେତ ରକ୍ତ !

 

ହଠାତ ପାଦରେ କାହାର ହାତ ଛୁଆଁ ସବୁ ଯନ୍ତ୍ରଣାକୁ ଟାଣିନେଲାପରି ମନେହେଲା । ମୁଣ୍ଡ ଟେକି ଚାହିଁଲେ ଉମାଶଙ୍କର । ଆଖିଯୋଡ଼ାକ ବୁଜିହୋଇ ଆସୁଛି । ମୁଣ୍ଡଟା ଭାରି ଭାରି ଲାଗୁଛି । ପାଦତଳେ ବଇଦାର ଅସ୍ପଷ୍ଟ ଛବିକି ଦେଖି ଉମାଶଙ୍କର ଆଶ୍ଚର୍ଯ୍ୟ ହୋଇ ମୃଦୁସ୍ୱରରେ କହିଲେ, ‘‘ଆରେ ତୁ, ତୁ ଆସିଛୁ ?’’

 

‘‘ହଁ ବାବୁ, ଶୁଣିଲି, ଆପଣ ବାଧିକାରେ ପଡ଼ିଛନ୍ତି । ମନ ମାନିଲା ନାହିଁ । ଛାତି ଭିତରଟା କଣ ହୋଇଗଲା । ଘରେ ପୁଅବୋହୂ ସମସ୍ତେ ମନା କରୁଥିଲେ, ହେଲେ ମନ କଣ ବୁଝୁଛି । କେମିତି ନ ଆସିଥାଆନ୍ତି ହଜୁର ? ଏଇ ହାତ କଣ ନ କରିଛି ତୁମର !’’

 

ଉମାଶଙ୍କର ବଡ଼ବଡ଼ ଆଖିରେ ଚାହିଁଥାନ୍ତି । ଲୁହ ଡବଡ଼ବ ଆଖିରୁ ଦୁଇବୁନ୍ଦା ଲୁହ ଗଡ଼ିଆସିବାକୁ ଉପକ୍ରମ କରୁଥାଏ । କଣ ଯେ କହି ସେ ବଇଦାକୁ କୃତଜ୍ଞତା ଜଣାଇବେ ?

 

ଉଭୟ ନିରବ, ନିଷ୍ପନ୍ଦ । ବଇଦାର ଦୁଇ ହାତକୁ ଛାତିରେ ଯାବୁଡ଼ି ଧରି ଉମାଶଙ୍କର ଏକ ପରିତ୍ୟକ୍ତ ଭଙ୍ଗା ଅଇନା ପରି ପ୍ରତିବିମ୍ୱିତ କରିବାକୁ ଚେଷ୍ଟା କରୁଥାଆନ୍ତି ବିଗତ ଇତିହାସକୁ....ଅତୀତ ସହିତ ବର୍ତ୍ତମାନକୁ ।

Image

 

ଅଭିଶପ୍ତ କେଦାର ଧର୍ଷିତା ଗଉରୀ

 

ସିଗାରେଟ୍‌ ଖଣ୍ଡେ ପଞ୍ଜାବୀ ପକେଟରୁ ବାହାର କରି ଅଗ୍ନି ସଂଯୋଗ କଲେ ଯତୀନ୍ଦ୍ର । ବାଁ ହାତକୁ ଟେବୁଲ୍‌ ଉପରେ ଚାପଦେଇ ସାମାନ୍ୟ ଝୁଙ୍କି ପଡ଼ିଲେ ଆଗକୁ । ଗପଟିକୁ ଯେମିତି ହେଉ ସାରିବାକୁ ପଡ଼ିବ । ଏହା ଭିତରେ ଚାରି ପାଞ୍ଚ କପ୍‌ ଚାହା ଓ ଗୋଟେ ପ୍ୟାକେଟ୍‌ ସିଗାରେଟ୍‌ ସରିଲାଣି । ତଥାପି ଶେଷ ହେଉନି ଗପଟି । ପୃଷ୍ଠା ପରେ ପୃଷ୍ଠା ଓଲଟୁଛି ।

 

ଅବଶ୍ୟ ବର୍ତ୍ତମାନ ଗପର ନାୟକ ଜୀବନ ତାର ପ୍ରେମିକାକୁ ଖୋଜି ଖୋଜି ଘୁମେଇ ପଡ଼ିଛି ପୁରୀ ସମୁଦ୍ର ବେଳାର ବିସ୍ତୀର୍ଣ୍ଣ ବାଲୁକାଶଯ୍ୟାରେ ।

 

ଏଇଠି ଗପର ବିରତି ଘୋଷଣା କରାଯାଇପାରେ ।

 

* * *

 

ସଂଧ୍ୟା ହେଲାଣି । ଏ ପର୍ଯ୍ୟନ୍ତ ଫେରୁନାହିଁ ଜାହ୍ନବୀ । କୁଆଡ଼େ ଗଲା ସେ ? ସେ ତ ଏଇଠାରେହିଁ ତାକୁ ଅପେକ୍ଷା କରିବାକୁ କହି ତାର ବନ୍ଧୁ ଘରକୁ ଯାଇଥିଲା । ଅନ୍ତତଃ ପକ୍ଷେ ଦିନେ ଦୁଇ ଦିନ ପାଇଁ କେଉଁଠି ଗୋଟେ ରହଣିର ବନ୍ଦୋବସ୍ତ କରିବା ପାଇଁ । ଅବଶ୍ୟ ତାର କହିବା ଅନୁଯାୟୀ ଫେରିବାରେ କିଛିଟା ବିଳମ୍ୱ ହୋଇଯାଇଛି ।

 

ପାଖ ଛକ, ସମୁଦ୍ର କୂଳ, ସବୁଠି ବୁଲି ଆସିଲାଣି ଜୀବନ । ଅନେକଙ୍କୁ ପଚାରିଲାଣି; କିନ୍ତୁ କୁଆଡ଼େ ଗଲା ଜାହ୍ନବୀ ! କିଛି ସନ୍ଧାନ ମିଳୁନି । ସେ କଣ ଫେରିଯାଇଛି ଘରକୁ ?

 

ଉଭୟ ତ ଘରକୁ ଫେରିବେ ନାହିଁ ସଂକଳ୍ପ କରି ଘର ଛାଡ଼ି ଶ୍ରୀକ୍ଷେତ୍ରକୁ ଆସିଥିଲେ; ଯେଉଁଠି ସେମାନେ ପରସ୍ପରକୁ ଆପଣାରୁ ଅଧିକ ଆପଣାର କରିବା ପାଇଁ ପ୍ରତିଶ୍ରୁତିବଦ୍ଧ ହୋଇଥାଆନ୍ତେ ଓ ସ୍ୱାମୀ ସ୍ତ୍ରୀ ଭାବେ ପରସ୍ପରକୁ ସ୍ୱୀକୃତି ଦେଇଥାଆନ୍ତେ........ଜଗନ୍ନାଥଙ୍କ କରୁଣା ଭିକ୍ଷା କରି ନୂଆ ସଂସାର ଗଢ଼ିଥାଆନ୍ତେ ।

 

ଏଥର ସିଗାରେଟ୍‌ରେ ଶେଷ ଚୁମ୍ୱନ ଦେଲେ ଯତୀନ୍ଦ୍ର । ସୁଶ୍ରୀ କେତେବେଳୁ ଚା’କପ୍‌ଟେ ଥୋଇଦେଇ ଗଲାଣି, ନଜର ନାହିଁ । ଖୁବ୍‌ କ୍ଳାନ୍ତ ଲାଗୁଛି । ଆଉ ଅଧିକ କିଛି ଭାବି ହେଉନାହିଁ । ଆଖି ଦୁଇଟି ଲାଲ୍‌ ହୋଇ ଆସିଲାଣି, ଝାଳେଇ ଗଲାଣି ହାତ । ତଥାପି ଶେଷ ହେଉନି ଗପଟି ।

 

ତେବେ ଗପର ନାୟକ ଏଇଠି ସମୁଦ୍ରକୁ ଲମ୍ଫପ୍ରଦାନ କରି ଆତ୍ମହତ୍ୟା କରିଦେଲେ କଣ ହୁଅନ୍ତା ?

 

ଆଜିକାଲି ଏପରି ଉଦାହରଣ ଅବଶ୍ୟ କମ ବା ନାହିଁ କହିଲେ ଚଳେ । କାରଣ ବର୍ତ୍ତମାନର ପ୍ରେମ ଆଉ କେଦାର-ଗଉରୀର ପ୍ରେମ ନୁହେଁ । ବରଂ ଏବେ ଏହା ଅବିବାହିତ ଯୁବକ ଓ ଯୁବତୀଙ୍କ ପାଇଁ ଏକପ୍ରକାର ସାମୟିକ ନିଯୁକ୍ତି ବା ଆମୋଦ ପ୍ରମୋଦ ।

 

ତେବେ ବର୍ତ୍ତମାନ କଣ କରିବ, ଗପର ନାୟକ ଓରଫ ଜୀବନ ? ଫେରିଯିବ ଘରକୁ, ପରିତ୍ୟକ୍ତ ସମାଜକୁ ? କଣ କହିବେ ବାପା ? କଣ କହିବ ବୋଉ ? କଣ କହିବ ସମାଜ ? କଣ କହିବ ଜାହ୍ନବୀର ଜୀବନ୍ତ ବା ମୃତ ଆତ୍ମା ?

 

ତେବେ ସେ ଏଇଠାରେ ଆଉଟିକିଏ ଅପେକ୍ଷା କରିବ । ହୁଏତ ଜାହ୍ନବୀ.....

 

ନା, ସେ କେବେହେଲେ ଫେରିଯାଇ ନ ଥିବ ଘରକୁ । ବୋଧହୁଏ ଅସାମାଜିକ ଯୁବକମାନଙ୍କ ହାବୁଡ଼ରେ ପଡ଼ିଯାଇଛି ବିଚାରୀ । କାରଣ ପ୍ରତିଦିନ ସମ୍ୱାଦପତ୍ର ପୃଷ୍ଠାରେ ଏପରି ଘଟଣା ପ୍ରକାଶିତ ହେବା ଯେମିତି ନିତ୍ୟ ନୈମିତ୍ତିକ ଘଟଣା ପାଲଟିଗଲାଣି ।

 

ଏଇଠି ଅଟକି ଗଲେ ଯତୀନ୍ଦ୍ର । ଚା କପ୍‌ରୁ ଚା ଖାଲି ହୋଇଗଲାଣି, ଆଖି ମୁଦି ହୋଇ ଆସୁଛି, ସମୟ ରାତି ଦଶ । ହଠାତ୍‌ କିଛିଗୋଟେ ଶବ୍ଦରେ ପ୍ରକୃତିସ୍ଥ ହେଲେ ସେ ।

 

—ଆରେ, ଶର୍ମିଷ୍ଠା !

 

ଶର୍ମିଷ୍ଠା ଯେ ତାଙ୍କ ଜୀବନ ଓ ସାହିତ୍ୟର ଉତ୍ସ ।

 

—ଗପ ଲେଖା ସରିଲା ?

 

ଶର୍ମିଷ୍ଠା ପ୍ରଶ୍ନିଳ ଚାହାଣିରେ ଚାହିଁଛନ୍ତି ଯତୀନ୍ଦ୍ରକୁ ।

 

ନାଁ, ଗପର ନାୟିକା ତାର ନାୟକକୁ ଛାଡ଼ି ଚାଲିଯାଇଛି ବା କେହି ଦୁର୍ବୃତ୍ତ ବଳପୂର୍ବକ କୌଶଳ କରି ନେଇଯାଇଛି ଓ ଗପର ନାୟକ ତାକୁ ଖୋଜି ଖୋଜି ଘୁମେଇ ପଡ଼ିଛି ସମୁଦ୍ର ବେଳାରେ ।

 

—ତା’ ପରେ ?

 

—କହିଲ ଦେଖି, ତା ପରେ କଣ କ୍ଷତି ହୋଇଯାଆନ୍ତା ଗଳ୍ପର ନାୟକ ସମୁଦ୍ରକୁ ଲମ୍ଫଦେଇ ଆତ୍ମହତ୍ୟା କଲେ ?

 

—ସମୁଦ୍ର କଣ କୋଳେଇନେବ ତମରି ନାୟକକୁ ! ସେ କାହାରିଠାରୁ କିଛି ବି ଗ୍ରହଣ କରେନା ଯତୀନ୍ଦ୍ର । ତୁମେ ଦେଖିଛ ସେଦିନ ଆମେ ଯେତେଥର ଫୁଲ, ନଡ଼ିଆ ସମୁଦ୍ର ଗର୍ଭକୁ ଫିଙ୍ଗିଦେଲେ, ସେ ପୁନର୍ବାର ଫେରେଇଦେଲା କୂଳକୁ । ବିଚରା ଯେତେଥର ସେ ସମୁଦ୍ରକୁ ଲମ୍ଫ ପ୍ରଦାନ କରିବ, ସେତେଥର ଫେରିଆସିବ କୂଳକୁ ଅଣନିଶ୍ୱାସୀ ହୋଇ ।
 

—ତେବେ ?

 

—ଏହାତ ଖୁବ୍‌ ସହଜ । ଧର, ଗପର ନାୟକ ବେଳାଭୂମିରେ ଶୋଇଯାଇଛି କ୍ଲାନ୍ତିରେ, ଦୁଃଖରେ, ଅଭିମାନରେ, ଅନୁଶୋଚନାରେ । ସଂଧ୍ୟା...ସଂଧ୍ୟା ପରେ ରାତ୍ରି । ଚାରିଆଡ଼େ ଶୂନ୍‌ଶାନ୍‌...ଅନ୍ଧାର ଓ ସମୁଦ୍ରର ଗର୍ଜନ ।

 

ପୁଣିଥରେ ପକେଟ୍‌ରୁ ସିଗାରେଟ୍‌ ଖଣ୍ଡେ ବାହାର କରି ଅଗ୍ନି ସଂଯୋଗ କଲେ ଯତୀନ୍ଦ୍ର । ଦୀର୍ଘନିଃଶ୍ୱାସରେ ନିର୍ନିମେଷ ନୟନରେ ଚାହିଁରହିଲେ ଶର୍ମିଷ୍ଠାଙ୍କୁ; ଯେମିତି ସେ ଶର୍ମିଷ୍ଠାଙ୍କୁ ତାଙ୍କ ବିବାହର ଦଶବର୍ଷ ପରେ ନୂଆ କରି ଦେଖୁଛନ୍ତି । ଚାରିଆଡ଼େ ଖେଳେଇ ହୋଇଯାଇଛି ଧୂଆଁ ଓ ସେହି ଧୂମ କୁଣ୍ଡଳୀ ଭିତରେ ଏକ କାରୁଣ୍ୟର ସ୍ୱର ସେ ଶୁଣୁଛନ୍ତି ଅବା !

 

—ହଠାତ୍‌ କାହାର କଇଁ କଇଁ କ୍ରନ୍ଦନରେ ନିଦ ଭାଙ୍ଗିଲା ନାୟକର । କାହାରିକୁ ଦେଖିବାର ଉପାୟ ନାହିଁ । କେବଳ ବାରିହେଉଛି ଲୁଣିପବନ ସହ ସମୁଦ୍ରର ଭୟଙ୍କର ଗର୍ଜନ ଝାଉଁବଣର ସନ୍‌ସନ୍‌ ଶବ୍ଦ । ଦୋହଲି ଯାଉଛି ନାୟକର ଛାତି ଓ ସେ ଅନୁଭବ କରୁଛି ଏ କରୁଣ କ୍ରନ୍ଦନ ସତେ ଯେପରି ତାର ନିହାତି ଆପଣାର । କ୍ରମେ ଅଧିକରୁ ଅଧିକ ଅସହାୟ ହୋଇଉଠୁଛି ଜୀବନ ଓ ମନେହେଉଛି ସେ ଯେମିତି ଆକସ୍ମିକଭାବେ ନପୁଂସକ ପାଲଟିଯାଉଛି ।

 

ଏଥର ଅଧାଜଳା ସିଗାରେଟ୍‌ଟିକୁ ପାଦରେ ଦଳିଦେଲେ ଯତୀନ୍ଦ୍ର ଓ ପୁଣି ଥରେ ବାଁ ହାତରେ ଟେବୁଲ୍‌ରେ ଚାପଦେଇ ଝୁଙ୍କିପଡ଼ିଲେ ଆଗକୁ । ବେଡ଼୍‌ରୁମ୍‌ରେ ଛୋଟପୁଅ ପୁପୁନ ଚିର୍‌ଚିରେଇ ଉଠିଲା । ଡ୍ରଇଂରୁମ୍‌ରୁ ବାହାରିଗଲେ ଶର୍ମିଷ୍ଠା ।

 

ଏବେ ଗପର ନାୟକ ଭୟଙ୍କର ରାତ୍ରିର ଅନ୍ଧକାରକୁ ଅତିକ୍ରମ କରି ଅଟକିଯାଇଛି ଅସ୍ପଷ୍ଟ ନାରୀମୂର୍ତ୍ତିଟି ପାଖରେ ଓ ନାରୀମୂର୍ତ୍ତିଟି ତାର ପ୍ରିୟତମ ଓରଫ ଜୀବନର ପାଦକୁ ଜାବୁଡ଼ି ଧରି କହୁଛି—ଫେରିଚାଲ ଜୀବନ । ମୋର ଆଉ ଶ୍ରୀକ୍ଷେତ୍ର ଦରକାର ନାହିଁ.....ଜଗନ୍ନାଥଙ୍କ ଆଶୀର୍ବାଦ ଦରକାର ନାହିଁ !

 

ସିନ୍ଦୂରା ଫାଟିଆସୁଛି ପୂର୍ବ ଆକାଶରେ । ବଡ଼ଦେଉଳର ଆଳତି ଘଣ୍ଟା ମୃଦଙ୍ଗ ସହ ଭକ୍ତ କଣ୍ଠରୁ ଶୁଭୁଛି :

 

‘ଜନନ୍ନାଥ ହେ ! କିଛି ମାଗୁନାହିଁ ତୋତେ

ଧନ ମାଗୁନାହିଁ, ଜନ ମାଗୁନାହିଁ, ମାଗୁଛି ଶରଧା ବାଲିରୁ ହାତେ ।’

Image

 

ଖୁନୀ

 

—ଆଲୋକ ।

 

—ପ୍ରଭା !

 

ହଁ, କିନ୍ତୁ....ମୋର ଭଲପାଇବା, ତୁମକୁ ଆପଣେଇ ନେବାର ଅନ୍ତରାଳରେ ତୁମେ ଏତେ ଯେ ଭୟଙ୍କର ଘୃଣ୍ୟ କେବେ ବି ଚିନ୍ତା କରି ନଥିଲି ।

 

—ଓ ! ତାହେଲେ......ତୁମେ ବି ସେମାନଙ୍କ ଭିତରେ ଜଣେ, ଯେଉଁମାନଙ୍କ ଆଖିରେ ଆଲୋକ ହତ୍ୟାକରୀ, ଖୁନୀ, ଜହ୍ଲାଦ ! କିନ୍ତୁ....ସେମାନଙ୍କୁ ତୁମେ ଚିହ୍ନିଛ ପ୍ରଭା ? ସେମାନଙ୍କ ଉପରର ଆବରଣ ଟେକି, ମୁହଁର ଏନାମେଲ୍‌ ଛଡ଼େଇ ଥରେ ହେଲେ ଦେଖିଛ ସେମାନଙ୍କର ଅସଲ ଚେହେରା ?

 

ମୁଁ ଜାଣେ, ଭଲଭାବରେ ଜାଣେ ସେମାନଙ୍କୁ ଦୋଷୀ ସାବ୍ୟସ୍ତ କରି ଶାସ୍ତିଦେବାର ସାହସ ତୁମର କି ତୁମ ସମାଜର ନାହିଁ ?

 

କିନ୍ତୁ ମୁଁ ଆଜି ହତ୍ୟାକାରୀ, ଖୁନୀ । ମୁଁ କାହାକୁ ହତ୍ୟା କରିଛି ତୁମେ ଜାଣ ? ମୋର ପ୍ରକୃତ ଉଦ୍ଦେଶ୍ୟ କଣ ଥରେହେଲେ ଚିନ୍ତା କରିଛ ?

 

—ତେବେ, ତୁମେ କଣ କହିବାକୁ ଚାହଁ ତୁମେ ନିର୍ଦୋଷ ? ଆଲୋକ ! ତୁମେ କଣ ତୁମ ଯୁକ୍ତି ସପକ୍ଷରେ ଆବଶ୍ୟକୀୟ ସାକ୍ଷ୍ୟ ଦେଇପାରିବ ? କାଠଗଡ଼ାରେ ଠିଆହୋଇ ସମସ୍ତଙ୍କୁ ବୁଝେଦେଇ ପାରିବ, ତୁମେ ନିର୍ଦ୍ଦୋଷ ?

 

ଆଲୋକର ଆଖିରେ ଆଖିଏ ପ୍ରସନ୍ନତା । ସତରେ ସେ କଣ ତାର ବକ୍ତବ୍ୟରେ ପ୍ରଭାକୁ ସନ୍ତୁଷ୍ଟ କରିପାରିବ ? ଆଖି ସାମ୍ନାରେ ଅନେକ ପ୍ରଶ୍ନବାଚୀ ? ?

 

ତଥାପି ତାକୁ କହିବାକୁ ହେବ, ପ୍ରଭା ଯେ ତାର ଅତି ଆପଣାର । ଆରମ୍ଭ କଲା ଆଲୋକ—ଶୁଣ, ପ୍ରଭା, ମୁଁ ଆଜି ମୋ ସ୍ମୃତିର କେତୋଟି ପୃଷ୍ଠା ଉନ୍ମୋଚନ କରୁଛି । ଯେଉଁମାନେ ତୁମକୁ ସନ୍ଦେହର ମରିଚୀକା ଭିତରକୁ ଟାଣିଆଣିଛନ୍ତି, ସେମାନଙ୍କର କେତୋଟି ଚିତ୍ର ବିଲୁଆଖାଇ, ଖଣ୍ଡଗିରି, ଦଶପଲ୍ଲା, ବ୍ରହ୍ମପୁର ଓ ବୁର୍ଲା ଇତିହାସରେ ଅଙ୍କିତ ।

 

ବିଲୁଆ ଖାଇର ବାଲୁକା ପ୍ରାନ୍ତରେ ନିରୀହା ନିସ୍ପେଷିତା ଧର୍ଷିତା ଛବିର କରୁଣ ଚିତ୍କାର ତୁମକୁ ଏବେ ବି କହିବ ସେହି ନିଷିଦ୍ଧ ପ୍ରହରରେ କିପରି, କାହିଁକି ଓ କିଏ ସେହି ବିଭୀଷିକାମୟ ଚିତ୍ରାଙ୍କନ ପାଇଁ ଦାୟୀ ! ବିଳାସିନୀ ଅଦ୍ୟାବଧି ବି ତାର ପୂର୍ଣ୍ଣ ଇସ୍ତାହାର ଦେବାକୁ ସମସ୍ତ କଳଙ୍କକୁ ପ୍ରତ୍ୟାଖ୍ୟାନ କରି ଜୀବିତ । କନକ ବିଚାରୀ ଜୀବନ ଯନ୍ତ୍ରଣାରେ ଛଟପଟ ହୋଇ ବହୁଦୂରକୁ ଚାଲିଯାଇଛି । ବୁର୍ଲା ଇଞ୍ଜନିୟରିଂ କଲେଜ ଛାତ୍ରଙ୍କ ମର୍ମନ୍ତୁଦ ଆର୍ତ୍ତନାଦକୁ କିପରି ବନ୍ଧୁକମୁନରେ ଉଡ଼େଇ ଦିଆଯାଇଛି ତାର ପୂରା ହିସାବ ହୁଏତ କାହାରି ପାଖରେ ନାହିଁ !

 

ପ୍ରଭା ମୂକ ଭୟଭୀତା ବନହରିଣୀ ପରି ଚାହିଁଛି ଆଲୋକକୁ ଓ ଆଲୋକ କହି ଚାଲିଛି ଏ ଜାତିର କରୁଣ ଇତିହାସରୁ କେତୋଟି ପୃଷ୍ଠା ।

 

—ପ୍ରଭା, ତୁମେ କଣ ସେହି ଧର୍ଷିତା, ନିସ୍ପେଷିତା ଓ ନିର୍ଯ୍ୟାତିତାମାନଙ୍କ ପାଇଁ ସମବେଦନା ଜଣାଅନା ? ମୁଁ ସେହିମାନଙ୍କ ସାହାଯ୍ୟକାରୀ, ସେହିମାନଙ୍କର ସମର୍ଥନକାରୀ ଅନ୍ଧକାରକୁ ହତ୍ୟାକରିଛି । ଲାଭଖୋର, ଦୁର୍ନୀତିପରାୟଣ, ନରହନ୍ତାଙ୍କର ଛଦ୍ମବେଶ ଉନ୍ମୋଚନକରି ସମସ୍ତଙ୍କ ଆଗରେ ଧରାପକେଇ ଦେଇଛି । ମୁହଁରୁ ଏନାମେଲ ଛଡ଼େଇ ଛଦ୍ମପୋଷାକ ଓହ୍ଲେଇଦେଇ ଛଡ଼େଇ ନେଇଛି ଧାରକରା ସଂଳାପ ଓ ଭଣ୍ଡ ସାହିତ୍ୟିକମାନଙ୍କର ଜାତିକୁ ଦଉଡ଼ାଇଦେବାର ବାହାସ୍ଫୋଟ !

 

—ତେବେ କୁହ ପ୍ରଭା, ହତ୍ୟାକାରୀ କିଏ ? ଖୁନୀ କିଏ ?

 

ପ୍ରଭା ନିର୍ନିମେଷ ନୟନରେ ଚାହିଁଛି ଆକାଶକୁ । ସେ କ୍ରମେ ଆନନ୍ଦରେ ଆତ୍ମହରା ହୋଇ ମିଶିଯାଇଛି ଆଲୋକର ଛାତିରେ.....ଆଲୋକର ମମତାରେ.....ଆଲୋକର ବାସ୍ନାରେ ।

Image

 

ରୋମନ୍ଥନ

 

ଭଗବାନ ମଣିଷକୁ ଦୁଇଟି ଆଖିଦେଇଛନ୍ତି ମଣିଷକୁ ଚିହ୍ନିବା ପାଇଁ.....ଦିବ୍ୟଜ୍ୟୋତିର ସାନ୍ନିଧ୍ୟପାଇଁ । ମଣିଷ ଯଦି ସେହି ଅମୂଲ୍ୟ ରତ୍ନ ଦୁଇଟିର ସଦ୍‌ବ୍ୟବହାର କରିବାକୁ ଅସମର୍ଥ, ମଣିଷକୁ ଚିହ୍ନିବାକୁ ଅସମର୍ଥ, ତେବେ ଭଗବାନ କାହିଁକି ବା ଏପରି ଦୁଇଟି ମହାର୍ଘ ଜିନିଷକୁ ଦେବେ-। ମଣିଷ, ମଣିଷ; ସେ ପଶୁ ନୁହେଁ । ମଣିଷଭିତରେ ପଶୁତ୍ୱର ଉଦ୍ରେକ ମଣିଷର ମଣିଷତ୍ୱକୁ ମାରିଦିଏ । ମଣିଷ ପଶୁହୁଏ....ଜଙ୍ଗଲର ବାଘଭାଲୁଠୁ ହିଂସ୍ର ହୁଏ ।

 

ଯଦି ଗୟାଧର ସେହି ଆଖିଦୁଇଟିର ସଦ୍‌ବ୍ୟବହାର କରିଥାଆନ୍ତା, ମଣିଷକୁ ଚିହ୍ନିଥାଆନ୍ତା, ଆଜି ହୁଏତ ତାକୁ ଏପରି ଆଖିଲୁହରେ ଅତୀତକୁ ସାମ୍ନାରେ ଥୋଇ ଅନୁତାପ କରିବାକୁ ପଡ଼ନ୍ତା ନାହିଁ....ଆଖି ଦୁଇଟି ତାର ଅଦୃଷ୍ଟ ଛଡ଼େଇ ନିଅନ୍ତା ନାହିଁ ।

 

ନୀଳଆକାଶର ତଳେ ସବୁଜ ପ୍ରକୃତି ଲହଡ଼ା ମାରି ନାଚୁଛି, ମୁକ୍ତମନରେ ମୁକ୍ତବିହଙ୍ଗ ଉଡ଼ିଯାଉଛି, ସୂର୍ଯ୍ୟ ଆଲୋକରେ ଉଦ୍‌ଭାସିତ ହେଉଛି ପୃଥିବୀ, କୁଳୁ ନିନାଦିନୀ ଝରଣା ବହିଯାଉଛି ସମୁଦ୍ରର ସାନ୍ନିଧ୍ୟ ପାଇଁ । ପ୍ରାପ୍ତବୟସ୍କା ଅବିବାହିତା କୁମାରୀର ଦେହରେ ଲହଡ଼ା ମାରୁଛି ଯୌବନର ଢେଉ । ହେଲେ ଗୟାଧର ପାଇଁ ଏ ପୃଥିବୀ ସବୁଦିନ ଅନ୍ଧାର ହୋଇଯାଇଛି, ସୂର୍ଯ୍ୟାଲୋକ ମହଳଣ ପଡ଼ିଛି, ନୀଳ ଆକାଶରେ ଛାଇଯାଇଛି କଳା ବାଦଲ ।

 

ସେ ଦିନ କେତେ କାକୁତି ମିନତି କରିନଥିଲା ପଦ୍ମା, କେତେ ଅନୁନୟ ବିନୟ କରିନଥିଲା ସେ ପାଦତଳର ସେବାକାରିଣୀର ଗୌରବପାଇଁ; କିନ୍ତୁ କଣ କଲା ସେ ? ସାମାନ୍ୟ ଗୋଟାଏ ବେନାମୀ ଚିଠିରେ ବିବାହର ମାସ ନ ପୁରୁଣୁ କୁଳଟାର ମୋହରମାରି ପଠାଇଦେଲା ବାପ ଘରକୁ ।

 

ପଦ୍ମାର ସେହି ଭସାଣିଆ ବଡ଼ବଡ଼ ଆଖିଯୋଡ଼ାକ ନିରବରେ କେତେକଥା ନ କହିଥିଲେ ତାକୁ ‘‘ମତେ ବିଶ୍ୱାସକର ଗୟାଧର, ମୁଁ ସ୍ୱଚ୍ଛ, ସୁନ୍ଦର । ମୋର ଅନ୍ତରକୁ କେବେହେଲେ ବି ପଙ୍କର ପଙ୍କିଳତା ସ୍ପର୍ଶ କରିନାହିଁ । ମୁଁ ମୋର ନାରୀତ୍ୱର ସାମାନ୍ୟତମ ଶ୍ରଦ୍ଧାକୁ ତୁମଛଡ଼ା ଆଉ କାହାକୁ ସମର୍ପିଦେଇ ନାହିଁ । ତୁମେ ମୋର ସ୍ୱାମୀ, ଇହ ପରକାଳର ଦେବତା । ବିବାହ ବେଦୀରେ ବିଧିର ବିଧାନକୁ ମାନିନେଇ ପୁରୋହିତଙ୍କର ପୂତମନ୍ତ୍ର ଧ୍ୱନିରେ ଅଗ୍ନିକୁ ସାକ୍ଷୀରଖି ତୁମର ସେ ସିନ୍ଦୂର ଟୋପାକୁ ସ୍ୱାଗତ କରିଛି । ମୋତେ ବିଶ୍ୱାସକର, ଗୟାଧର, ମୁଁ ତୁମ ଛଡ଼ା ଆଉ କାହାକୁ ଏ ହୃଦୟରେ ସ୍ଥାନ ଦେଇ ନାହିଁ ।’’

 

ହେଲେ ସବୁ ବ୍ୟର୍ଥ ହୋଇଥିଲା । ଗୟାଧର ରୋକ୍‌ଠୋକ୍‌ କହିଦେଇଥିଲା ଯେ ସେ କୁଳଟା, କଳଙ୍କିନୀ । ସେ କେବେହେଲେ ଆଉ ତାକୁ ନିଜ ଅନ୍ତରରେ ସ୍ଥାନ ଦେଇ ପାରିବ ନାହିଁ । ସେ ପରିତ୍ୟକ୍ତା, ଅବାଞ୍ଛିତା, ପତିତା; କୁଳବୋହୂର ଗୌରବ ପାଇଁ ତାର ଅଧିକାର ନାହିଁ ।

 

ବିଚାରୀ ପାଦଧରି ଅନେକଥର ବୁଝାଇବାକୁ ଚେଷ୍ଟାକରି ନିର୍ଯ୍ୟାତନା ସହିଥିଲା ସେ ଦିନ ! ତଥାପି ସେ ସ୍ୱାମୀଙ୍କର ପଦାଘାତକୁ ସତୀ ସୀତାର ମନନେଇ, ସାବିତ୍ରୀର ପ୍ରାଣନେଇ ଓ ଅନୁସୂୟାର ଦୃଷ୍ଟି ନେଇ ସେ ସହି ନେଇଥିଲା; କିନ୍ତୁ ହାୟ ଗୟାଧର ଚିହ୍ନିପାରିଲା ନାହିଁ ସେହି ନାରୀହୃଦୟର ଆତ୍ମୀୟତାକୁ । ଶେଷରେ ପଦ୍ମା ବାଧ୍ୟହୋଇ ଅନିଚ୍ଛାସତ୍ତ୍ୱେ ଫେରିଆସିଲା ତାର ସେହି ପିଲାଦିନର ଶାନ୍ତ ଗମ୍ଭୀର କୁଟାକାଠିର ମମତାକୁ ସମ୍ୱଳ କରି ।

 

ବାପା, ମାଆ, ଭାଇ, ଭାଉଜ ଅନେକ ବୁଝାଇ ଥିଲେ । ରୀନାଭାଉଜ ବାରମ୍ୱାର କହିଥିଲେ—‘‘ପଦ୍ମା, ସବୁପୁରୁଷ ଗୟାଧରଭଳି ପଶୁତ୍ୱର ଅଧିକାରୀ ନୁହନ୍ତି । ତୁମେ ବର୍ତ୍ତମାନ ଇଚ୍ଛାକଲେ ବି ନୂଆ ସଂସାର ଗଢ଼ିବ ।’’ ହେଲେ ପ୍ରତିବାଦ କରିଥିଲା ପଦ୍ମା—‘‘ନାଁ, ସେ ଆଉ କେବେ ହେଲେ ବିବାହ କରିବ ନାହିଁ । ସେଦିନର ମାହେନ୍ଦ୍ରବେଳାରେ ଅଗ୍ନିକୁ ସାକ୍ଷୀ ରଖି ଯେଉଁ ହୃଦୟରେ ଗୟାଧରକୁ ନିଜର କରିନେବାକୁ ଶପଥ କରିନେଇଥିଲା, ସେ ହୃଦୟକୁ ସେ ଆଉ କାହାକୁ ସମର୍ପିଦେଇ ପାରିବନି । ସେ ବି ସବୁଦିନେ ବାପାମାଆଙ୍କର ବୋଝ ହୋଇ ରହିବ ନାହିଁ । ସେ ନିଜେ ନିଜର ଦାୟିତ୍ୱ ନେବ ।’’

 

ୟା ଭିତରେ ଦୁଇବର୍ଷ ବିତିଯାଇଛି । ପଦ୍ମା ବର୍ତ୍ତମାନ କଟକ ବଡ଼ ଡାକ୍ତରଖାନାରେ ନର୍ସ ଚାକିରିଟିଏ ଯୋଗାଡ଼କରି ନିଜ ଦାୟିତ୍ୱ ନିଜେ ନେଇଛି । ପ୍ରତିଦିନ ବହୁଗ୍ରାମରୁ କଟକ ଯିବାଆସିବା କରିବାକୁ ପଡ଼େ । କିନ୍ତୁ ବହୁଦିନପରେ ଗୟାଧରକୁ ହଠାତ୍‌ ଦିନେ ସେ କଟକରୁ ଫେରୁଥିବା ବସ୍‌ରେ ଦେଖି ଆଶ୍ଚର୍ଯ୍ୟ ହୋଇଗଲା । ଆଜି ଦୁଇବର୍ଷପରେ ସେ ଗୟାଧରକୁ ପ୍ରଥମଥର ଦେଖୁଛି-। ଗୟାଧର ପ୍ରତିଦିନ ଡିଉଟିରେ ସେହି ଲାଇନ୍‌ରେ ବସ୍‌ ନେଇ ଯାଏ କିନ୍ତୁ ସେ ଏ ଦୁଇବର୍ଷରେ ତାକୁ ଭେଟି ନାହିଁ । ପଦ୍ମା ବସ୍‌ଭିତରକୁ ଉଠିଆସିଛି ସତ କିନ୍ତୁ ଟିକେଟ ପାଇଁ ପଇସା ବଢ଼ାଇ ପାରୁନାହିଁ, ସହଜ ସରଳ ଭାବରେ ଯେମିତି ଅନ୍ୟଯାତ୍ରୀମାନେ ବଢ଼େଇ ଦେଉଛନ୍ତି । ମନରେ ଅନେକ ଚିନ୍ତା, ଅନେକଭାବନାର ଖିଅ କୁଆଡ଼ୁଆସି ଗୁଡ଼େଇ ହୋଇଯାଇଛି । କେତେବେଳେ କେଉଁ ଖିଅରେ କେଉଁଖିଅ ଯୋଡ଼ି ଯାଉଛି ତ ପୁଣି କେଉଁଠି ଛିଡ଼ି ଯାଉଛି । ମୁଣ୍ଡଟା ଘୁରେଇ ଦେଉଛି । ପାଦତଳର ଜାଗାଟା ତଳକୁ ଖସିଗଲାପରି ମନେହେଉଛି ।

 

ହଠାତ୍‌ ଗୟାଧର ଧସେଇ ଆସିଲା ପାଖକୁ । ଆଖି ଗୁଡ଼ାକ ଲାଲଦିଶୁଛି, ହାତରେ ଖାତା ପେନ୍‌ସିଲ । ବେପରୁଆ ଠାଣି । ଗୟାଧରର ଅସ୍ୱାଭାବିକ ଚିତ୍କାରରେ ଚମକି ଉଠିଲା ପଦ୍ମା.....‘‘କାହାକୁ ଏତେବେଳେଯାଏ ଅପେକ୍ଷା କରିଛୁ ? ପଇସା ଦେଇ ଟିକେଟ୍‌ କାଟିବାକୁ ମନ ହଉନାହିଁ ନା ? କେଉଁ ଘଇତା ଅଛି ଯେ ଟିକେଟ୍‌ କାଟିଦେବ ?’’

 

ପଦ୍ମାର ଛାତିରୁ କଲିଜାଟା ଖସିପଡ଼ିଲା ପରି ମନେହେଲା । ହଠାତ୍‌ ପାଟିରୁ ବାହାରିଗଲା—‘‘କାହିଁକି ତୁମେତ ଟିକେଟ୍‌ଟିଏ କରିଦେଲେ କିଛି ଅସଙ୍ଗତ ହେବନାହିଁ ।’’

 

ଚିହିଁକି ଉଠିଲା ଗୟାଧର । କ୍ଳିନରକୁ ଡାକି ଅକଥ୍ୟ ଭାଷାରେ ଗାଳି ଗୁଲଜକରି ଧକ୍‌କାମାରି ବାହାର କରିଦେଲା ପଦ୍ମାକୁ । ବଡ଼ ବଡ଼ ତାର ସେହି ଭସାଣିଆ ଆଖି ଦୁଇଟିର ନିରବ ଅଭିଯୋଗ ଶୁଣିଲାନି । ଗାଡ଼ିରୁ ପଦାକୁ ବାହାରି ଆସୁଆସୁ କହିଥିଲା ପଦ୍ମା—‘‘ହେ ଭଗବାନ, ମତେ ଆଉଟିକିଏ ସହିବାକୁ ଶକ୍ତି ଦିଅ ।’’ ସେ ଗୟାଧରର ଉଦ୍ଦେଶ୍ୟରେ ବି କହିଥିଲା—‘‘ହଉ, ଭଗବାନ କରନ୍ତୁ ତୁମେ ମୋ ପାଇଁ ସବୁଦିନ ଅନ୍ଧ ହୋଇଯାଅ; କିନ୍ତୁ ମୁଁ ତୁମଛଡ଼ା ଆଉ କାହାକୁ ହୃଦୟରେ ସ୍ଥାନ ଦେଇ ପାରିବିନାହିଁ ।’’

 

ଗୟାଧରର ଓଠରେ ବେପରୁଆ ହସ, ବିଜୟୀର ପୌରୁଷ । ଏହାପରେ ସେ ଚାଲିଆସିଲା ଗାଡ଼ିଧରି, ଆଉ ବିଚାରୀ ପଦ୍ମା....ସେ କେମିତି ଆସିଲା, କଣ କଲା ଆଉ ବୁଝିନାହିଁ ଗୟାଧର । କିନ୍ତୁ ଏବେ.....

 

ଆକସ୍ମିକଭାବେ ଅନ୍ଧ ହୋଇଗଲାପରେ ବାରମ୍ୱାର ସେ ପ୍ରଶ୍ନ କରୁଛି ନିଜକୁ, ନିଜର ପାଶବିକ ସ୍ୱଭାବକୁ; ମନେପକାଉଛି ସତରେ ପଦ୍ମାର ଆଖିଲୁହ ଆଜିତାକୁ ଅନ୍ଧକରି ଦେଇଛି । ନୀଳଆକାଶରେ ଘୋଡ଼େଇଦେଇଛି କଳାବଉଦର ବହଳଛାଇ, ସୂର୍ଯ୍ୟରେ ଭରିଦେଇଛି ଅନ୍ଧକାର, ସବୁଜପ୍ରକୃତିରେ ଭରିଦେଇଛି ଶତ ଶୂନ୍ୟତା ?

Image

 

ଘଷା ପଥରର ଆତ୍ମଲିପି

 

ଷ୍ଟେସନ ପଛପାଖ ବଖୁରିକିଆ ଝୁମ୍ପୁଡ଼ି ଘରେ କବାଟ ଆଉଜେଇ ଦେଇ କଇଁକଇଁ କାନ୍ଦୁଥିଲା ଶାନ୍ତି । ଅତୀତର ବହୁ ହଜିଲା ସ୍ମୃତିକୁ ସାଉଁଟି ଆଣି ଭସାଇ ଦେବାକୁ ଯେମିତି ତାର ଦୁଇ ଆଖି ବଦ୍ଧପରିକର । ବଞ୍ଚିବାର ମୋହ, ଜୀବନକୁ ଉପଭୋଗ କରିବାର ଆକାଂକ୍ଷା, ଏ ସବୁର ଊର୍ଦ୍ଧ୍ୱରେ ଜଠର ଜ୍ୱାଳାହିଁ ତାକୁ ଟାଣିଆଣିଲା ରାସ୍ତାକଡ଼ରୁ ଏ ଝାଟିମାଟିର ନର୍କକୁ ।

 

ସେ ତ କେବେ ଚାହିଁ ନଥିଲା ବହୁ ଅସାମାଜିକ, ମଦ୍ୟପ, କାମାନ୍ଧ ଯୁବକଙ୍କର ବାହୁଫାଶରେ ନିଜକୁ ଲୋଟେଇ ଦେଇ ତାର ଜୀବନ ଓ ଯୌବନକୁ ଖିନ୍‌ଭିନ୍‌ କରି ଏହି ଅନ୍ଧାରୁଆ ବସ୍ତିରେ ସଳିତାଟିଏ ହୋଇଯିବାକୁ ! ସେ ତ କେବେ ଚାହିଁ ନ ଥିଲା ସମସ୍ତଙ୍କ ପାଇଁ ମୋହିନୀ କନ୍ୟାଟେ ହୋଇଯିବାକୁ ! ସେ ତ କେବେ ସ୍ୱପ୍ନରେ ସୁଦ୍ଧା ଭାବି ନ ଥିଲା ଏପରି ଏକ ଘୃଣ୍ୟ ଜୀବନ ନେଇ ଆତ୍ମତୃପ୍ତିର ହସର ଛଳନାରେ ଲୁହ-ଲହୁର ସମୁଦ୍ରରେ ଉବୁଟୁବୁ ହେବାକୁ । ବରଂ ସେ ତାର ଅବିବାହିତା ଜୀବନରେ କୁଆଁରୀକନ୍ୟାର ମନ ନେଇ ଧୂଳି ଧୂସରିତା ଗାଁ ଦାଣ୍ଡରେ ମଧୁର ସ୍ୱପ୍ନରେ ଆତ୍ମହରା ହୋଇଛି, ପୁଚି ଖେଳିଚି, ଗାଧୁଆ ତୁଠରେ ନିଜର ପ୍ରତିଚ୍ଛବି ନିକଟରେ ସୁନ୍ଦର ଯୁବକର ପରିକଳ୍ପନା କରି ମନେ ମନେ ବେଶ ଆହ୍ଲାଦିତ ହୋଇଛି ।

 

ଏମିତି କୁଆଁରୀ ଜୀବନର ଚକ କିଛିବାଟ ଗଡ଼ିଗଲା ପରେ ହଠାତ୍‌ ଅଟକି ଯାଇଛି ସେ ମନର ମଣିଷଟିଏ ପାଇଁ ଓ ଆକସ୍ମିକଭାବେ ସମ୍ପର୍କର ସୂତାଟେ ଯୋଡ଼ି ହୋଇଯାଇଛି ଅଶୋକ ବୋଲି ଏକ ସୁସ୍ଥ ସୁନ୍ଦର ଯୁବକର ଆଖିରେ । ଅଶୋକ, ବେଶ ପ୍ରଶାନ୍ତ ଯୁବକ, ବଳିଷ୍ଠ ଚେହେରା, କୁଞ୍ଚୁକୁଞ୍ଚିଆ କେଶ । ତାର ଖୁବ୍‌ ନିକଟେଇ ଯାଇଛି ଶାନ୍ତି । ମନେହୋଇଛି ସତେଯେମିତି ସେ କେବଳ ଅଶୋକ ପାଇଁ ଗଢ଼ା....ଅଶୋକର ହୃଦୟରେ ରଜନୀଗନ୍ଧାର ମାଳଟେ ହୋଇଯିବାକୁ ତାର ଜନ୍ମ । ସତରେ କି ସୁନ୍ଦର ଈଶ୍ୱରଙ୍କର ସୃଷ୍ଟି !

 

ହେଲେ ସବୁ ଆଶା, ସବୁ ସ୍ୱପ୍ନ, ସଫଳ ହୁଏନା !

 

ସବୁ ଗଛରେ ଫୁଲ ଫୁଟେନା !

 

ସବୁ ଜହ୍ନ କୁଆଁରୀ ଜହ୍ନ ହୋଇପାରେନା !

 

ସବୁ ରାତି ମଧୁରାତି ହୋଇପାରେନା !

 

ସେଦିନ ଏଇ ସତ୍ୟଟିକକ ବୁଝିଥିଲେ ହୁଏତ....

 

ପ୍ରେମ ଚିର ସୁନ୍ଦର ! ଚିର ମଙ୍ଗଳମୟ ! ଚିର ଶାଶ୍ୱତ !

 

ଏଇ ଧାରଣା ମନରେ ନେଇ ସେ ସେଦିନ ବାପା, ମାଆ, ଭାଇ, ଭଉଣୀ ସମସ୍ତଙ୍କର ବନ୍ଧନ କାଟି ଚାଲି ଆସିଲା ମୁକୁଳା ଜୀବନର ଆନନ୍ଦ ପାଇଁ । ନୀଳ ଆକାଶରେ ପିଞ୍ଜରାମୁକ୍ତ ବିହଙ୍ଗୀଟେ ହୋଇ ନିରାପଦରେ ଉଡ଼ି ବୁଲିବାର ଯନ୍ତ୍ରଣା ଯେ ଏମିତି ଭୟଙ୍କର, ତାହା କିଏ ଜାଣିଥିଲା ! ଅଶୋକ ଯେ ଅଶୋକ ନୁହେଁ ପୋକଶୁଙ୍ଗା ଏହା ଜାଣିବାର ସୁଯୋଗ ପାଇ ନ ଥିଲା ସେ । ଅଶୋକକୁ ଆପଣାର କରି ସବୁ ଶୋକକୁ ଅତିକ୍ରମ କରିଯିବାର ସ୍ୱପ୍ନ ସତରେ କେଡ଼େ ମାରାତ୍ମକ ?

 

ଯେଉଁଦିନ ସେ ବାପାଙ୍କର ଆଭିଜାତ୍ୟ, ମାଆର ମାତୃତ୍ୱ, ଭାଇ ଭଉଣୀଙ୍କର ବନ୍ଧନ, ସମାଜର ଆପଣେଇନେବାର ବିଶେଷତ୍ୱକୁ ଏଡ଼େଇ ଦେଇ ଅଶୋକ ସହ ପାଦ ମିଳେଇ ରାଜଧାନୀକୁ ଆସିଲା; ସେ ସେହି ଦିନର ପ୍ରତିଶ୍ରୁତିକୁ ପ୍ରତାରଣା ବୋଲି ବୁଝିଥିଲେ ଏମିତି ଏକ ଘୃଣ୍ୟ ଜୀବନ, ଅଭିଶପ୍ତ ଦେହ ନେଇ ଏଠାରେ ସନ୍ତୁଳି ହେଉ ନ ଥାନ୍ତା ।

 

ହଠାତ୍‌ ଏକ କଳଙ୍କମୟ ନିଶାର୍ଦ୍ଧରେ ଛୋଟିଆ ଭଡ଼ାଘରେ ଅଶୋକ ସହ ତାର କେତେକ ମଦ୍ୟପ ବନ୍ଧୁଙ୍କୁ ଦେଖି ଭୟ ପାଇ ଯାଇଥିଲା ସେ । ସେମାନଙ୍କର ଅଶ୍ଳୀଳ ଇଙ୍ଗିତ, ଅସଙ୍ଗତ ରୁକ୍ଷ ଭାଷା ଓ ଅସାମାଜିକ ବ୍ୟବହାରରେ ମନେମନେ କ୍ଷୁବ୍‌ଧା ହୋଇ କିଛି କହିବା ପୂର୍ବରୁ ବଳିଷ୍ଠ ଯୁବକଟିଏ ଭୋକିଲା ବାଘ ପରି ମାଡ଼ି ଆସିଥିଲା ତାରିଆଡ଼େ ଓ ତାପରେ ବାରମ୍ୱାର ଝୁଣି ପକେଇଥିଲା ତାର କଅଁଳ ମାଂସକୁ । ଏମିତି ଜଣକ ପରେ ଜଣକର ପାଶବିକ ନିର୍ମମ ଅତ୍ୟାଚାରରେ ବେହୋସ ହୋଇ ଯାଇଥିଲା ସେ ଓ ତାର ନିସ୍ତେଜ କ୍ଷତାକ୍ତ ଦେହଟା ନିର୍ବିକାର ମଣିଷଟିଏ ପରି ପଡ଼ିରହିଥିଲା....ଶୂନ୍ୟତାକୁ ସାଥି କରି ।

 

ପରଦିନ ସୂର୍ଯ୍ୟକିରଣ ମାଟି ଛୁଇଁ ଚତୁର୍ଦ୍ଦିଗକୁ ଆଲୋକିତ କରିବା ପୂର୍ବରୁ ଶାନ୍ତି ନିଜକୁ ଆବିଷ୍କାର କଲା ଏକ ପରିତ୍ୟକ୍ତ ଭଙ୍ଗାକୁଡ଼ିଆର ଚଟାଣରେ । ଉଠିବାକୁ ବଳପାଉନାହିଁ, ମୁଣ୍ଡ ବୁଲାଉଛି, ଆଖି ଦୁଇଟା ଦୁଇଟା ବଡ଼ ଅଗ୍ନିପିଣ୍ଡ ପରି ଜଳି ଉଠୁଛି । ଅବଶ ଦେହ, ନିଥର ପାଦ, ଚତୁର୍ଦ୍ଦିଗଶୂନ୍ୟ । ଏହି ଶୂନ୍ୟତାଭିତରେ ସେ ଆଖି ମେଲି ଚାହିଁଲା । ସେ ଅନୁଭବ କଲା ପୂର୍ବାକାଶର ଦିଗ୍‌ବଳୟରୁ ସୂର୍ଯ୍ୟଙ୍କ ପଛପଟୁ ଅନେକଗୁଡ଼ାଏ ହାତ ତାକୁ ହାତଠାରି ଡାକୁଛନ୍ତି, ହେଲେ ପରମୁହୂର୍ତ୍ତରେ ମନେହେଲା ଏହା ବି ଏକପ୍ରକାର ମନର ପ୍ରବଞ୍ଚନା ଛଡ଼ା ଆଉ କିଛି ନୁହେଁ-

 

ଏହାପରେ ସେ ରାସ୍ତା ଉପରକୁ ଆସି ଅଶୋକକୁ ଖୋଜିଲା; ହେଲେ ବହୁଲୋକଙ୍କର ଅସ୍ପଷ୍ଟ ଶବ୍ଦରେ ଅପ୍ରତିଭ ହୋଇଉଠିଲା ସେ । ପୁଣି ଦୁଇ ଆଖିରୁ ଦୁଇଟୋପା ଲୁହ ତାର ନିଗିଡ଼ି ଆସି ମିଶିଗଲା ମାଟିରେ ।

 

ପେଟରେ ଭୋକ, ଛାତିରେ କୋହ, ଆଖିରେ ଅବିଶ୍ୱାସର ମୁଦ୍ରା, ନିଃଶ୍ୱାସରେ ତାର ବୈଶାଖର ଅସହାୟତା ।

 

କଣ କରିବ ସେ ? ବାପା, ମାଆ, ଭାଇ-ଭଉଣୀ ଏମାନେ କଣ କ୍ଷମା ଦେବେ ତାକୁ ? ଗାଁ ଲୋକେ କଣ ରଖେଇଦେବେ ? ବାରଲୋକ ବାରକଥା କହିବେ । କିଏ କହିବ କଳଙ୍କିନୀ, ଦୋଚାରୁଣୀ ବା ଏମିତି ଆଉ କେତେ କଣ !

 

ସତରେ ସେ କଣ ଏମିତି କାନ୍ଦିକାନ୍ଦି ମାଟିରେ ମିଶିଯିବ ! ଭୋକରେ ପେଟ ଜଳୁଛି । ସୂର୍ଯ୍ୟ ମୁଣ୍ଡ ଉପରେ ହାଇ ମାରି ଢୁଳେଇ ପଡ଼ିଲେଣି ପଶ୍ଚିମକୁ । ଦୁଇଦିନ ହେଲା ଉପାସ । ପେଟକୁ ପାଣି ମୁନ୍ଦେ ବି ଯାଇନାହିଁ । ପାଖ ଷ୍ଟେସନକୁ ଗଲେ ହୁଏତ ମାଗି ଯାଚି ଦୁଇଟା କିଛି ଖାଇଦେବ ସେ ।

 

ଏଥର ଆଉ ଡେରି ନ କରି ପାଦ ବଢ଼େଇଲା ଆଗକୁ । ହାତ ପତେଇଲା ପ୍ଲାଟ୍‌ଫର୍ମରେ ଠିଆହୋଇଥିବା ଯାତ୍ରୀଙ୍କ ଆଡ଼େ, ହେଲେ ଥରିଉଠିଲା ଦୁଇଟି ହାତ । ପଛକୁ ଫେରି ଆସିଲା ଦୁଇପାଦ । ନାଁ, ସେ ମରିଯିବ ପଛେ ଭିକ ମାଗି ପେଟ ପୋଷିବ ନାହିଁ ।

 

ହେଲେ କେଉଁଠି ସହିହେଉଛି ଭୋକ ! ଏଥର ଠିକ୍‌କଲା ସେ ଯାହା ହେଉ ପଛେ ହାତ ପାତିବ । ସବୁପ୍ରକାର ନିର୍ଯ୍ୟାତନା ପରେ ବି ବଞ୍ଚିବ । ବଞ୍ଚିବାର ମୋହ ତାର ଦୁର୍ନିବାର ।

 

ସେ ହାତ ବଢ଼େଇଲା, କହିଲା-ବାବୁ ! କିଛି ଦିଅ, ନିଆଶ୍ରିଲୋକ, ଦୁଇଦିନ ହେଲା ଖାଇନି । ସେ ଏତେଗୁଡ଼ାଏ ଶବ୍ଦ ସିନା ଏକାବେଳକେ ଉଚ୍ଚାରଣ କରିପକେଇଲା ହେଲେ ଥରିଉଠିଲା ତାର ଓଠ, ଛଳ ଛଳ ହୋଇଉଠିଲା ଦୁଇ ଆଖି; କିନ୍ତୁ କିଏ ବା କଣ କାହିଁକି ଦେବ ଯେ-!

 

ଅପର ପକ୍ଷରେ କେତେକ ଅସାମାଜିକ ଯୁବକଙ୍କର ଅଶ୍ଳୀଳ ଇଙ୍ଗିତ ।

 

କ୍ରମେ ସଂଧ୍ୟା ହେଲା । ରାଜଧାନୀର ବିଜୁଳିଖୁଣ୍ଟରେ ସ୍ୱର୍ଣ୍ଣାଭ ଆଲୋକରେ ଦୀପ୍ତମନ୍ତ ହୋଇଉଠିଲା ଜନପଥ....ସଚିବାଳୟ ମାର୍ଗ ।

 

ଶାନ୍ତି ହାତ ପତେଇ ବହୁଲୋକଙ୍କ ସାମ୍ନାରୁ ବୁଲି ଆସିଲାଣି । କିଏ କହୁଛି ବାଇଆଣୀଟେ, କିଏ କହୁଛି ହିଷ୍ଟ୍ରିୟା ପେସେଣ୍ଟ । ପୁଣି କିଏ ଟାହୁଲି କରି କହୁଛି—ଯା ଯା କିଛି ନାହିଁ, ଭଲ ଚେହେରା ତ ଅଛି, ଖାଇବାକୁ ମିଳୁନି, ହାତ ପତାଇ ମାଗୁଛି !

 

କାହାକୁ କଣ କହିବ ସେ ? ମୁହଁ ବୁଲେଇ ଫେରିଆସୁଛି ପଛକୁ, ଘୃଣା ଓ ଅଭିମାନରେ ଦୀର୍ଘଶ୍ୱାସନେଇ ପୁଣିଥରେ ଚାରିଆଡ଼କୁ ଭଲକରି ଚାହୁଁଛି ।

 

ଏଥର ସେ ଶେଷଥର ପାଇଁ ସାମ୍ନାରେ ଠିଆହୋଇଥିବା କେତେକ ସମବୟସ୍କା କଲେଜ ଛାତ୍ରୀଙ୍କ ଆଗରେ ହାତ ପତେଇ ଠିଆହେଲା । ଭାବିଥିଲା ପୁରୁଷମାନେ ସିନା ନିଷ୍ଠୁର, ହେଲେ ନାରୀ ନୁହେଁତ ? ଏଠିବି ସେହି ଅଶ୍ଳୀଳ ଇଙ୍ଗିତର ତାତ୍ସଲ୍ୟ । କିଏ ବା ଏଠି ବୁଝୁଛି କାହାକୁ-? ସମସ୍ତେ ନିଜନିଜ ସ୍ୱାର୍ଥରେ ହିଁ ବ୍ୟସ୍ତ ।

 

ଆଉ ସହି ହେଉନାହିଁ । ମୁଣ୍ଡ ବୁଲେଇ ଦେଉଛି, ପାଟି ଅଠାଅଠା ଲାଗୁଛି । ପେଟ ଚାଖଣ୍ଡକ ଚିତ୍କାର କରି କହୁଛି—ମୋର ଖାଦ୍ୟ ଦରକାର । ପାଦ ଚାଲୁନି, ଅବଶ ଲାଗୁଛି ଦେହ । ହୁଏତ ଆଉଟିକେ ପରେ କଚାଡ଼ି ହୋଇ ପଡ଼ିବ ଭୂଇଁଉପରେ ସେ ।

 

ଏବେ ପାଖରେ ଥିବା ପଥରଖୁଣ୍ଟକୁ ଆଉଜି ବସିଲା ଶାନ୍ତି । ଷ୍ଟେସନର ଯାତ୍ରୀ ସଂଖ୍ୟା କମିଆସିଲାଣି । ଯେଉଁମାନେ ଶେଷଟ୍ରେନକୁ ଅପେକ୍ଷା କରିଛନ୍ତି, ସେମାନଙ୍କ ଭିତରୁ ଜଣେ ଦୁଇଜଣଙ୍କୁ ଛାଡ଼ିଦେଲେ ସମସ୍ତେ ପ୍ରାୟ ପ୍ଲାଟ୍‌ଫର୍ମର ସିମେଣ୍ଟ ବେଞ୍ଚଗୁଡ଼ିକରେ ଘୁମେଇ ପଡ଼ିଛନ୍ତି ।

 

ଚାହାବାଲାଙ୍କର—ଏ—ଚାଏ !

 

ପେଡ଼ାବାଲାଙ୍କର—ପେ-ଡ଼ା, ପେ-ଏ-ଏଡ଼ା !

 

ପାନବିଡ଼ିବାଲାଙ୍କର—ପାନ ବିଡ଼ି ସିଗାରେଟ୍‌ ଡାକ ଶୁଭୁଛି !

 

ଶାନ୍ତି ନିରବରେ ଦୂର ଲାଇଟ୍‌ ପୋଷ୍ଟର ବିଜୁଳିବତୀକୁ ଚାହିଁରହିଛି ଅସତୃଷ୍ଣ ଚାହାଣିରେ-

 

ହଠାତ୍‌ ଜଣେ ବଳିଷ୍ଠ ଦୀର୍ଘକାୟ ଯୁବକକୁ ସାମ୍ନାରେ ଦେଖି ପୁଣି ଥରେ ଶଙ୍କିଗଲା ତାର ହୃଦୟ, ହେଲେ ତାଠାରୁ କେଇ ପଦ ଆଶା ଆଶ୍ୱାସନା ଶୁଣିଲା । ଆଶ୍ରାଟିଏ ପାଇଛି ଭାବି ଲୋକଟି ସହ ରିକ୍‌ସାରେ ବସିଲା ଶାନ୍ତି ।

 

ଲୋକଟି କିଏ ? ସେ କେଉଁଠିକି ଯିବ ବା ତାକୁ ଏତେ ଆଶା ଓ ଆଶ୍ୱାସନା ଦେବାର କାରଣ କଣ ? ହେଲେ କିଛି ବୁଝିପାରିଲା ନାହିଁ ବିଚାରୀ କିନ୍ତୁ ସେ ଏହି ଆକସ୍ମିକ ଘଟଣାପରେ ନିଜକୁ ଆବିଷ୍କାର କଲା ଏଥର ଝାଟିମାଟିର ଏକ ଝୁମ୍ପୁଡ଼ିରେ ।

 

ଯୁବକଜଣକ କେଇପଟ ଶୁଖିଲା ରୁଟି ଓ ମାଂସ ବଢ଼େଇ ଦେଇ ଦୂରରୁ ଲକ୍ଷ୍ୟ କରୁଥିଲା-। ଶାନ୍ତି କିଛି ନକହି ଏକା ନିଃଶ୍ୱାସକେ ଚୋବେଇଗଲା ରୁଟିକେଇପଟ ଓ ସୁରେଇରୁ ନିଗାଡ଼ି ପିଇନେଲା ପାଣିପେଟେ । କ୍ଷୁଧା ଯେ ଏଡ଼େ ହିଂସ୍ର, ଏଇ ପ୍ରଥମଥର ବୁଝିଲା ସେ-। ଅପରିଚିତ ଯୁବକ ଆଡ଼କୁ ଚାହିଁ ସେ ଭୟ ଓ ଆନନ୍ଦରେ କୃତଜ୍ଞତା ଜଣାଇ ତଳକୁ ମୁହଁ ପୋତିଲା-

 

କିନ୍ତୁ ଯୁବକର ଅଶ୍ଳୀଳ ଇଙ୍ଗିତ ଓ କର୍କଶ ହସରେ ପୁଣିଥରେ ଥରିଉଠିଲା ତାର ଛାତି ।

 

ଚାରିଆଡ଼େ ଶୂନ୍‌ଶାନ । ଶେଷ ଟ୍ରେନର ଛୁକ୍‌ଛୁକ୍‌ ଶବ୍ଦ କ୍ରମେ ଦୂରକୁ ଘୁଞ୍ଚିଗଲାଣି । କେବଳ ଚାରିଆଡ଼େ ବହଳ ଅନ୍ଧାର ପରସ୍ତ ପରସ୍ତ ହୋଇ ଜମାଟ ବାନ୍ଧିଛି ।

 

ଏଥର ସେ ଅନୁଭବ କରୁଛି କେହି ଜଣେ ତାର ଅନ୍ତର୍ବାସରୁ ବହିବାଂସ ପର୍ଯ୍ୟନ୍ତ ଖୋଲି ଫୋପାଡ଼ି ଦେଉଛି ଓ ଜୋର୍‌କରି ଟାଣିନେଇଛି ନିଜପାଖକୁ, ଖୁମ୍ପିଯାଉଛି ଏପଟ ସେପଟକରି । ସେ ତତଲା କଡ଼େଇରେ ଲାଞ୍ଜବାଡ଼େଇ ଜିଅନ୍ତା କଉମାଛ ପରି ବୁଝିବାକୁ ଚେଷ୍ଟା କରୁଛି ନିଜକୁ....ଏ ସମାଜକୁ ।

 

ସବୁ ଅବୁଝ-ଅବୁଝା ଭିତରେ ସେ ବୁଝିପାରୁଛି ଅଶୋକକୁ....ସତ୍ୟ, ନ୍ୟାୟ, ଧର୍ମକୁ....ପ୍ରେମ, ପ୍ରୀତି ଓ ଶ୍ରଦ୍ଧାକୁ ।

 

* * *

 

ଏବେ କିନ୍ତୁ ପଥର ହୋଇଯାଇଛି ସେ । ବହୁଲୋକ ଆସୁଛନ୍ତି, ଯାଉଛନ୍ତି । ଏହି ଆସିବା ଯିବାର ପୋଖରୀତୁଠରେ ସେ ବହୁ ଚିହ୍ନା-ଅଚିହ୍ନାପାଦର ଘଷାପଥର ପାଲଟିଯାଇଛି । ନିଜକୁ ପୁନର୍ବାର ବୁଝିବାର ଅବକାଶ ବା ଆବଶ୍ୟକତା ନାହିଁ । ଏମିତି ଏ ଜୀବନନେଇ ସମ୍ପୂର୍ଣ୍ଣ ନିଃଶେଷ ହୋଇଯିବାହିଁ ତାର କାମ୍ୟ । ରାମଚନ୍ଦ୍ରଙ୍କ ପାଦଧୂଳି ଆଉ ଲୋଡ଼ାନାହିଁ ତାର ।

 

ପଣତରେ ଆଖି ପୋଛି ଠିଆହେଲା ଶାନ୍ତି । ସୂର୍ଯ୍ୟଙ୍କ ରକ୍ତିମ ଆଭା କ୍ରମେ ପଶ୍ଚିମାକାଶକୁ ରକ୍ତାଭ କରିଦେଲାଣି । ସେ ବର୍ତ୍ତମାନ ପଥରର ହୃଦୟ ନେଇ ଅପେକ୍ଷାକରିବ କାମନାର ତୃଷ୍ଣାରେ ସନ୍ତୁଳି ହୋଇ ଆସୁଥିବା ମଣିଷମାନଙ୍କ ପାଇଁ !

Image

 

କୁମାର ପୂର୍ଣ୍ଣିମା

 

ସ୍ୱାମୀ ଅନୁରକ୍ତା ସୁନ୍ଦରୀ ତରୁଣୀର କପାଳରେ ସିନ୍ଦୂରବିନ୍ଦୁ ପରି କାର୍ତ୍ତିକର ପହିଲି ଆକାଶରେ ଜହ୍ନ ହସୁଥିଲା ଓ ହସୁଥିଲା । ଆଖିରୁ ଝରି ପଡ଼ୁଥିଲା ବହୁ ପ୍ରତିଶ୍ରୁତିର ମୁରୁଜ । କୁଆଁରୀମାନଙ୍କର କୁଆଁରୀ ଜହ୍ନକୁ ଅର୍ଘ୍ୟ ବାଢ଼ି ପୁଚିଖେଳର ଆୟୋଜନରେ ଲାଗି ପଡ଼ିଥିଲେ ଚମ୍ପା, ମାଳତୀ, କନକ, ମଧୁଛନ୍ଦା ଓ ଆଉମାନେ । ବିଚାରୀ ଶେଫାଳି ନିଜକୁ ଚାହିଁ ବିଶ୍ଳେଷଣ କରୁଥିଲା କୁଆଁରୀ ମନର ମଧୁମୟ ସ୍ୱପ୍ନ-ସଙ୍ଗୀତକୁ, ଯାହାର ମୂର୍ଚ୍ଛନାରେ ଦିନେ ସେ ଏମିତି କୁଆଁରୀ ଜହ୍ନରେ ଗୀତ ଗାଇ ନିଜକୁ ହଜେଇ ଦେଇଥିଲା କୁମାରୀତ୍ୱର ଆନନ୍ଦରେ । ନୂଆ ଫ୍ରକ୍‌ ପିନ୍ଧି ପ୍ରଥମ ଥର ସୂର୍ଯ୍ୟଙ୍କୁ ଅଞ୍ଜଳି ବାଢ଼ିଲାବେଳେ ଉଚ୍ଚାଟିତ ହୋଇଥିଲା ସେ । ହସି ହସି ଗଡ଼ିଯାଇଥିଲେ ମଧୁସ୍ମିତା-। ଟିକିଟିକି ପାଦର ପାଉଁଜି ଶବ୍ଦରେ କ୍ରମେ ଏଇ କୁଆଁରୀ ଜହ୍ନ ସହ ପରିଚୟଟା ଘନିଷ୍ଠ ହୋଇଉଠିଲା ଓ ସେ ନିଜକୁ ନିଜ ହାତରେ ସଜେଇ ପ୍ରତିଦ୍ୱନ୍ଦିତା ଆରମ୍ଭ କଲା ପଡ଼ିଶା ଘରର ତା ସାଥିଝିଅଙ୍କ ସହିତ । ନିଜେ ବାପାଙ୍କ ସାଙ୍ଗରେ ଯାଇ ନିଜ ପାଇଁ ଫ୍ରକ୍‌ କିଣିଲା.....ତେଲ, ରିବନ୍‌, ଲିପ୍‌ଷ୍ଟିକ୍‌ ଆଣି ବୋଉକୁ ଅଳିକଲା ମୁଣ୍ଡ ବାନ୍ଧିଦେ ବୋଲି ।

 

କିନ୍ତୁ ଏବେ ଦିନକୁ ଦିନ କେଉଁ ଗୋପନୀୟ ଅଭାବରେ ଅସହାୟ ହୋଇ ଉଠୁଥିଲା ତାର ଛାତି । ଯୌବନର ପ୍ରଥମ ପାହାଚରେ କୁଆଁରୀ ଜହ୍ନକୁ ଚାହିଁ ସେ ବହୁକିଛି କଳ୍ପନା କରି ଲାଜରା ମୁହଁରେ ଚାହିଁଥିଲା ବିଜନ ଓ ମଧୁସ୍ମିତାକୁ । ମଧୁସ୍ମିତାଙ୍କର ସ୍ନେହବୋଳା କର୍କଶ ସ୍ୱର-କଣ, ଏମିତି ବୋକୀଟେ ପରି ଚାହିଁଛୁ ଯେ, ଅଞ୍ଜଳି କେତେଥର ଆସିଲାଣି ଡାକିବାକୁ ?

 

ତରତରରେ ଶେଫାଳି ଲାଗିପଡ଼ିଥିଲା କାମରେ । ମୁଣ୍ଡ ବାନ୍ଧୁବାନ୍ଧୁ ଅଇନା ଆଗରେ ନିଜକୁ ନିଜେ ଅନେକ ନୀରବ ପ୍ରଶ୍ନ ପଚାରି ହାଲିଆ ହୋଇ ପଡ଼ିଥିଲା ହେଲେ ବିଜନ ଚାହିଁଥିଲେ ତାରିଆଡ଼େ । ବୋଧହୁଏ ସେ ବିବାହ ପରେ ବିଗତ ପଚିଶ ବର୍ଷକୁ ବିଶ୍ଳେଷଣ କରୁଥିଲେ ତାଠି । କ୍ରମେ କପାଳ ତାଙ୍କ ବାରମ୍ୱାର କୁଞ୍ଚିତ ହୋଇ ସମତୁଲ ହୋଇଯିବା ପୂର୍ବରୁ ବହୁ ସ୍ମୃତିର ଜୁଆର ଉଠୁଥିଲା ତାଙ୍କ ଦୁଇ ଆଖିର ନୀଳ ଶୂନ୍ୟତାରେ ।

 

ଶୂନ୍ୟ ଆକାଶର ନୀଳିମାକୁ ଚାହିଁବାକୁ ଭାରି ଭଲଲାଗେ ବିଜନକୁ । ଅବସର ସମୟରେ ଏହି ନୀଳଆକାଶକୁ ଚାହିଁବାଟା ଅଭ୍ୟାସରେ ପଡ଼ିଯାଇଥିଲା ତାଙ୍କର ସେହି ମଧୁମୟ ମୁହୂର୍ତ୍ତରୁ, ଯେଉଁ ମୁହୂର୍ତ୍ତରେ ମଧୁସ୍ମିତା ନୂଆହୋଇ ଏମିତି ଏକ ନୀଳଶାଢ଼ି ପିନ୍ଧି ଏଘରେ ପାଦଦେଇଥିଲେ ।

 

ଏହାପରେ ସମୟ ଗଡ଼ିଚାଲିଲା । ଶେଫାଳିର ଜନ୍ମ ଓ ବୋଉର ଆକସ୍ମିକ ମୃତ୍ୟୁ । ଏବେ ଶେଫାଳି ଫ୍ରକ୍‌ ଛାଡ଼ି ଶାଢ଼ି ପିନ୍ଧିଲାଣି । ଏବେ ସେ ଆଉ ଆଗର ଶାନ୍ତ, ସୁଧାର ବୋକୀ ଝିଅ ନୁହେ । ସେ ଭଲକରି ବୁଝିଲାଣି ଏ ସମାଜକୁ.....ଏ ଜୀବନକୁ ।

 

ବିଜନଙ୍କ ପାଖରେ ମଧୁସ୍ମିତାଙ୍କର ବାରମ୍ୱାର ପ୍ରଶ୍ନ; କଣ ଝିଅପାଇଁ କେଉଁଠି ବରପାତ୍ର ବୁଝିଲ ନା ନାହିଁ ?

 

କି ଲୋକ ! ଝିଅକୁ କଣ ବୁଢ଼ୀ କରିବ ? ତା ସାଙ୍ଗର ଅଳି, କୃଷ୍ଣା ଦି ଦିଟା ପିଲାର ମାଆହେଲେଣି । ଯଦି ଭଲଗତି ଅଛି ଶୀଘ୍ର କେଉଁଠି ବୁଝାବୁଝି କର । ଶେଷକୁ ଯେମିତି ମୁଁ ଦହଗଞ୍ଜ ନହୁଏ ।

 

ବିଜନ ବହୁଜାଗାରୁ ବୁଲିଆସିଲେଣି । ଘର ଥିଲେ ବର ନାହିଁ; ବର ଥିଲେ ଘର ନାହିଁ । ବଜାରରେ ଦରଦାମ୍‌ ଚଢ଼ା । ଗାଈ-ବଳଦପରି ଦର କଷାକଷି । ନା, ଏତିକିରେ ପଟିବନାହିଁ । ଟି. ଭି. ସୋଫାସେଟ୍‌, ଗାଡ଼ି ଓ ତିରିଶହଜାରଟଙ୍କା ନଗଦ ଦରକାର । ଅତି ବେଶିରେ ଟଙ୍କାରୁ ପାଞ୍ଚହଜାର କମେଇ ଦିଆଯାଇ ପାରେ ।

 

ବିଜନ, ସାଦାସିଧା ଲୋକ । ସେଭିଙ୍ଗ୍‌ସ ବ୍ୟାଙ୍କ ବା ଅନ୍ୟ କେଉଁଠି ଫଟାଅଧଲାଟାଏ ବି ନାହିଁ । ଗଲା ବନ୍ୟାରେ ଘରଖଣ୍ଡିକ ଧୋଇ ଯାଇଥିଲା । ଏବେ ଜି. ପି. ଏଫ୍‌ରେ ଯାହାଥିଲା ଉଠେଇ ଘରଖଣ୍ଡିକ ତୋଳିଛନ୍ତି । କେଉଁଠି ଫଟାଅଧଲାଟାଏ ବି ନାହିଁ ।

 

ବିଜନଙ୍କର ମାଆ ବେଳେବେଳେ ଭାରି ବିରକ୍ତ ହୁଅନ୍ତି- ଯଦି ଝିଅକୁ ଉଠେଇ ନପାରୁଛ, ବିଷଟିକେ ଦେଇ ଦେଉନ । ସବୁ କଳଙ୍କ ଧୋଇ ଯିବ ?

 

ଛାତି ଭିତରଟା ମନ୍ଥି ହୋଇଯାଏ ବିଜନଙ୍କର ହେଲେ ମୁହଁରେ ଶୁଖିଲା ହସଫୁଟେଇ କୁହନ୍ତି—ରୁହ, ତୁମର ବ୍ୟସ୍ତ ହେବା ଦରକାର ନାହିଁ । ମୁଁ ବୁଝୁଛି । ଠିକ୍‌ ସମୟରେ ଶେଫାଳିର ବାହାଘର ହେବ ।

 

ଶେଫାଳି ସବୁ ଶୁଣେ । ବାପା, ମାଆ ଓ ଆଈର କଥା ବେଳେବେଳେ ଫୋଡ଼ି ହୋଇଯାଏ ତାର ଛାତିରେ । ତାର ନିଷ୍ପାପ ହୃଦୟ ବିଦ୍ରୋହ କରିଉଠେ । ଇଚ୍ଛାହୁଏ ସେ ସଫାସଫା ବତେଇ ଦେବ ଦୁଇପଦ—ମୋ ବିଷୟରେ ମୁଣ୍ଡ ଖେଳାଇବାର କାହାର ଦରକାର ନାହିଁ, ମୋ ଭାଗ୍ୟରେ ଯାହାଥିବ ହେବ ।

 

କିନ୍ତୁ ଶଙ୍କିଯାଏ ହୃଦୟ, କଣ କହିବେ ବାପା, କଣ କହିବ ମାଆ । ବିଚାରୀ ଚୁପ୍‌ ରହେ-। ଆଖିରୁ ଲୁହ ଗଡ଼େଇ ବିଛଣାରେ ମୁହମାଡ଼ି ସମସ୍ତଙ୍କ ଅଲକ୍ଷ୍ୟରେ ନୀରବ ବିଦ୍ରୋହକରେ-। ଭଗବାନଙ୍କୁ ପ୍ରଶ୍ନକରେ—କେତେଦିନ ମୋର ଏ ଯନ୍ତ୍ରଣା ? କେତେଦିନ ମୋର ଏ ଦୁଃଖ ?

 

ହଠାତ୍‌ ମଧୁସ୍ମିତାଙ୍କ ଡାକରେ ପ୍ରକୃତିସ୍ଥ ହେଲା ଶେଫାଳି । କଣ ଏମିତି ପହଡ଼େ ହେଲା ଢେଙ୍କିଟାପରି ବସିଛୁ ମ ? ଗୋଟାଏ ଭଲଦିନରେ ହସଖୁସି କିଛିନାହିଁ ? ଗାଁ ଦାଣ୍ଡରେ ସାହିଟାସାରା ଝିଅ ଗୀତଗାଇ, ପୁଚିଖେଳି କେତେ କଣ କରୁଛନ୍ତି । ତୁ ଏମିତି ବୋକୀଟାପରି ବସିଛୁ କଣ ?

 

—ମଧୁସ୍ମିତାଙ୍କ ସ୍ୱର ସବୁଦିନ ଏମିତି ଗମ୍ଭୀର, ବାତ୍ସଲ୍ୟମୟ ।

 

—ବାପା, ବିଜନ ଏମିତି ନିରୀହ, ନିଷ୍କପଟ ।

 

—ଆଈର ସବୁଦିନେ ଏମିତି ମୁରବୀପଣିଆ ।

 

ଶେଫାଳି ମୁଣ୍ଡ ଟେକିଲା । ଆକାଶରେ ଜହ୍ନ ଚିକ୍‌ଚିକ୍‌ କରୁଛି । ଗୋଟି ଗୋଟିକରି ବାରିହୋଇ ପଡ଼ୁଛି ଗଛରପତ୍ର, ପରିଷ୍କାର ଶୁଭୁଛି—‘କୁଆଁର ପୁନେଇ ଜହ୍ନଗୋ, ଫୁଲ ବଉଳବେଣୀ’......ଏମିତି ଅନେକ କିଛି ଓ କୁଆଁରୀ ଝିଅଙ୍କର ଚାପାଚାପା ହସ ।

 

ହେଲେ ସେ ହସିପାରୁନି; ଯେତେ ଚେଷ୍ଟାକଲେବି, ଆଖିରେ ଜକେଇ ଆସୁଛି ଲୁହ । ସତରେ ଏମିତି କଣ ସବୁ ଦରିଦ୍ର ମଧ୍ୟବିତ୍ତ ପରିବାରର ଝିଅଙ୍କର ଭାଗ୍ୟ ?

 

ଗଲାକାଲି ପିଉସା କହୁଥିଲେ ଆର ଗାଁ ପ୍ରଧାନଘରର ବୋହୂକୁ ତାର ଶାଶୁ, ନଣନ୍ଦ ଓ ସ୍ୱାମୀ ପିଟିପିଟି ମାରିଦେଲେ । କାରଣ ତାର ବାପା ବାହାଘରବେଳେ ଜବାବ କରିଥିବା ଯୌତୁକ ଦେଇପାରିଲେ ନାହିଁ । ସେ ବି ଦୁଇଦିନ ତଳେ ଖବରକାଗଜରୁ ପଢ଼ିଥିଲା ଚଳିତ ବର୍ଷ ଦେଶରେ ଯୌତୁକଜନିତ ହତ୍ୟା ଓ ଆତ୍ମହତ୍ୟା ବୃଦ୍ଧିପାଇଛି ।

 

ନାଁ, ସେ ଆଜି କୁଆଁର ପୁନେଇଁ ଗୀତଗାଇ, ପୁଚିଖେଳି ନିଜକୁ ହଜେଇ ଦେଇପାରିବ ନାହିଁ କୁଆଁର ପୁନେଇଁର ମିଛ ମାଦକତାରେ ।

 

ମୁଣ୍ଡ ବିନ୍ଧୁଛି, ଜରଜର ଲାଗୁଛି । ଚତୁର୍ଦିଗରୁ ଅନେକ ସ୍ମୃତି ଗୁଡ଼ିଏ ସରଳରେଖା ହୋଇ ପରସ୍ପରକୁ ଅତିକ୍ରମ କରୁଛନ୍ତି ଅନେକ ଗୁଡ଼ିଏ ବିନ୍ଦୁରେ ।

 

ସେ ଏଥର ଯିବ ଓ ମାଆଙ୍କୁ ତାର ମୁଣ୍ଡ ବିନ୍ଧୁଥିବା କଥାକହି ଟିକିଏ ଶାନ୍ତିରେ ଶୋଇବାକୁ ଚେଷ୍ଟାକରିବ, ଭୁଲିଯିବ ତାର ଅତୀତ ଓ ବର୍ତ୍ତମାନକୁ ।

 

ସେ ଭବିଷ୍ୟତକୁ ବୁଝିବାକୁ ଚେଷ୍ଟା କରିବ ନାହିଁ, କାରଣ ଭବିଷ୍ୟତ ସବୁବେଳେ ଅନ୍ଧକାରମୟ, ଅସ୍ପଷ୍ଟ ।

 

ଅତୀତର ସ୍ମୃତି ଅପେକ୍ଷାକୃତ ବର୍ତ୍ତମାନ ପାଇଁ ଦୁଃଖଦାୟକ ଓ ଯନ୍ତ୍ରଣା ଜର୍ଜରିତ ।

 

ବର୍ତ୍ତମାନ କିଛିଟା ଅନିଶ୍ଚିତ ଦ୍ୱନ୍ଦ୍ୱମୟ, କିଛିଟା ସ୍ପଷ୍ଟ ଓ ସମ୍ଭାବନାମୟ ।

 

ତଥାପି ସେ ବର୍ତ୍ତମାନ ବଞ୍ଚିବ ଭବିଷ୍ୟତ ପାଇଁ; କାରଣ ଯନ୍ତ୍ରଣା ହିଁ ଜୀବନ ଓ ଜୀବନ ହିଁ ହେଉଛି ଯନ୍ତ୍ରଣା ।

Image

 

Unknown

ଚଲାପଥ

 

ଶୁକୁଟାର ହାଡ଼ୁଆ କାଳିଆ ଦେହଟା ଖରାରେ ଚକ୍‌ଚକ୍‌ ମାରୁଛି ମୁଗୁନିପଥର ପରି । ମୁଣ୍ଡଉପରେ ସୂର୍ଯ୍ୟ ଅଟକି ଯାଇଛନ୍ତି, କାଳିଆ କଷରା ଭିଡ଼ିମୋଡ଼ି ହୋଇ ମାଡ଼ି ଚାଲିଛନ୍ତି ଆଗକୁ-। ଲଙ୍ଗଳ ମୁନରେ ଚିରି ହୋଇଯାଇଛି ବସୁଧା, ଶୁକୁଟାର ହାତ କ୍ରମେ ଟାଣ ହୋଇଯାଉଛି କଣ୍ଟିରେ-। ବାଁ ହାତରେ ପାଞ୍ଚଣକୁ ହଲାଇ ହଲାଇ ପାହୁଣ୍ଡ ପକାଉଛି ଆଗକୁ । ଆଜି ଯେମିତି ହେଲେ ଏ ଆଠଗୁଣ୍ଠିଆ କିଆରୀଟା ସରିଲେ ରାସ୍ତା ସେ କଡ଼ର ଦୁଇଗୁଣ୍ଠିଆକୁ ଯିବ । ନହେଲେ ପ୍ରଧାନ ବୁଢ଼ା ଫୁର୍‌ସତ ଦେବନି ତାକୁ । ଯାହା ପାଟିକୁ ଲାଗିବ ବକିଯିବ ମନଇଚ୍ଛା ବା ମୂଲ କାଟିଦେବ ।

 

ମନ୍ଥିହୋଇଯାଉଛି ପେଟ ଭିତରଟା । ମୂଲ କାଟିଦେବ । ମୂଲ କାଟିଦେଲେ କଣ କରିବ ସେ । ଝାଇଁଝାଇଁ ହୋଇଯାଉଛି ମୁଣ୍ଡ । ଘରେ କଅଁଳା ଛୁଆଟା ବେମାର ପଡ଼ିଛି । ସାଗୁ, ଚିନି ଓ ମିଶ୍ରି ଟିକେ ଲୋଡ଼ା । ସକାଳୁ ଔଷଧ ଆଣି ଦେଇ ଆସିଥିଲା, ଚାରିଟଙ୍କା ବାକିଅଛି ଡାକ୍ତରବାବୁଙ୍କର । ଆଠଟଙ୍କା ମଜୁରୀ, ଘରେ ପାଞ୍ଚପରାଣି କୁଟୁମ୍ୱ, ଖୁଦ ମୁଠେନାହିଁ, କୁଆଡ଼େ ବା ଆସିବ ! ବାଡ଼ିଗୋବରେ ଗୋବେତ ନାହିଁ ଭୂଇଁ । ପରଓଳିରେ ଘରକରି ରହିଛି । ତା ବାପାର ଦେହାନ୍ତପରେ ଯାହା ଦୁଇଗୁଣ୍ଠ ଧାନଜମି ଥିଲା, ତାହା ଶୁଦ୍ଧିକାମରେ ସରିଛି ।

 

ଏକୁଟିଆବେଳେ ଏତେ ଭାବିବାକୁ ନଥିଲା ତାର । ଯା ମଜୁରୀ ଆଣେ ଶାଗ ପଖାଳକରି କଟିଯାଏ । କେହି ନବାକୁ ନାହିଁ କି କେହି ଦବାକୁ ନାହିଁ । ଏହି ସମୟରେ ଏପାଖ ସେପାଖ କରି ଯାହା ଶହେ ପାଞ୍ଚପା ସଞ୍ଚିଥିଲା, ହାତକୁ ଦି ହାତ ହେବାରେ ଗଲା ।

 

ଗୋଟିଏ ପେଟରୁ ଦୁଇପେଟହେଲା । ତଥାପି ଚଳେଇନିଏ ଶୁକୁଟା । ହସଖୁସିରେ ପାଣିର ସୁଅପରି ବିତିଯାଏ ସମୟ ହେଲେ ଏବେ ସଂସାର ବଢ଼ିଲାରୁ ବଳେଇ ଗଲାଣି ଦୁଃଖ ।

 

ବଳଦର ପାଟିରୁ ବାଚୁ ବାହାରିଲାଣି । ଗୋଡ଼ ଉଠଉନାହାନ୍ତି ସହଜରେ । ପାଟିକରୁଛି ଶୁକୁଟା ‘‘ହଁ, ବୁଲ-ବୁଲ ଏଇଠି, ଆ-ରେ !’’ ବିଚରା କଣ କରିବେ, କାଳିଆ କଷରା, କର୍ମକୁ ଆଦରି ପାହୁଣ୍ଡ ପରେ ପାହୁଣ୍ଡ ପକେଇ ଆଗକୁ ମାଡ଼ି ଚାଲିଛନ୍ତି ଯାହା । ଚିରି ହୋଇଯାଉଛି ମାଟିର ଚମଡ଼ା । ଥପଥପ ନିଗିଡ଼ ପଡ଼ୁଛି ଝାଳ । ଝାଳ ନୁହେଁ ତ ରକ୍ତ, ଶୁକୁଟାର ରକ୍ତ ।

 

ହେଲେ କଣ ବା ଅଧିକ ମିଳୁଛି ଶୁକୁଟାକୁ, ଶାଗଭଜା କରାଣ୍ଡିଶୁଖୁଆ ଓ ତୋରାଣି ମୁନ୍ଦେକୁ ଛାଡ଼ି । ହେଇହେଇ ବାବୁଘର ନ୍ୟାୟ-ନିମନ୍ତ ହେଲେ କଣ ଦିଟା ମିଳେ । ଆଗେ କୁଣିଆ-ମଇତ୍ର ଓ ନିଜେ ଖାଇପିଇ ସାରିଲେ ଏ ମଳିମୁଣ୍ଡିଆଙ୍କ କଥା । ମନେ ପଡ଼ିଲେ ଭଲ, ନହେଲେ ନାହିଁ । ସେ ବି କେଉଁ ବାର ବର୍ଷରେ ଥରେ । ବାଡ଼ମୂଳ, ଓଳିତଳ, କେଉଁ ଅନ୍ଧାରୁଆ ଜାଗାରେ ଛପିକି ବସିଥିବ । ସମସ୍ତେ ଖାଇସାରିବାପରେ ବଳକା ଜିନିଷ ହେଲେ ପତର ପଡ଼ିବ । ଭାତ ଥିଲେ ତରକାରୀ ନଥିବ ବା ତରକାରୀ ଥିଲେ ଭାତ ନଥିବ । ଏଇତ ଏ ମଳିମୁଣ୍ଡିଆଙ୍କର ଭାଗ୍ୟ !

 

ମନେ ପଡ଼ୁଛି ଶୁକୁଟାର, ସେଦିନ ଭାଗବତଘରେ ପୁରାଣ ପଣ୍ଡା ପୁରାଣ ପଢ଼ୁପଢ଼ୁ ବୁଝାଉଥିଲେ: ଦୁର୍ଯ୍ୟୋଧନର ଉରୁଭଙ୍ଗପରେ ଦୁର୍ଯ୍ୟୋଧନ କୃଷ୍ଣକୁ ଯୋଡ଼ହସ୍ତରେ କହିଥିଲା-ହେ ମହାନୁଭବ ! ଏ କରୁକ୍ଷେତ୍ର ସମରପାଇଁ ମତେ କାହିଁକି ଦାୟୀ କରୁଛନ୍ତି । ଆପଣ ତ ସର୍ବମୟ କର୍ତ୍ତା । ଏତ ଆପଣଙ୍କର ସୃଷ୍ଟି, ତେବେ ମୋ ପ୍ରତି ଏ ପକ୍ଷପାତିତା କାହିଁକି ?

 

ସତରେ ଭଗବାନ ତାକୁ କାହିଁକି ଏମିତି ଜନ୍ମଦେଇଛନ୍ତି ? କଣ ତାର ଅପରାଧ ? କାହିଁକି ଜଣେ ଲୋକ ରାସ୍ତା କଡ଼ରେ ଭୋକ ଉପାସରେ ଛଟପଟ ହୋଇ ମରୁଥିଲାବେଳେ ଅନ୍ୟଜଣେ ଧୋବ-ଧଉଳିଆ ଚିକ୍‌କଣ ହୋଇ ବେଶ୍‌ ଆରାମରେ କ୍ଷୀରି-ଖେଚୁଡ଼ିରେ ବା ମଦ-ମାଂସର କୋଳାହଳ ଭିତରେ ସମୟ କାଟିବ ?

 

ବେଳ ଗଡ଼ିଗଲାଣି । ସୂର୍ଯ୍ୟ ପଶ୍ଚିମ ଆକାଶକୁ ସାମାନ୍ୟ ନଇଁପଡ଼ିଲେଣି । ଘୁଁ-ଘୁଁ ଶବ୍ଦରେ ଫାଟିପଡ଼ୁଛି କାନ । ଶୁକୁଟା ମଥା ଟେକିଲା ଉପରକୁ । ଆକାଶରେ ଉଡ଼ାଜାହାଜଟାଏ ଚଢ଼େଇଟେ ପରି ଉଡ଼ିଯାଉଛି, ଇଚ୍ଛାହେଉଛି ଶୁକୁଟାର; ସେ ଏମିତି ଚଢ଼େଇଟିଏ ହୋଇଯାଆନ୍ତା କି ଉଡ଼ିଉଡ଼ି ପଳେଇଯାଆନ୍ତା କୌଣସି ଏକ ଦୂରରାଇଜକୁ; ଯେଉଁଠିକି ମାଲିକର ଲାଲ ଆଖି ବା ଅଭାବ ଅନଟନର ନିଷ୍ଠୁର ପରିହାସ ନଥାନ୍ତା । ଅଶାନ୍ତି, ଦୁଃଖ ବା ଯନ୍ତ୍ରଣାର ପ୍ରଶ୍ନ ବି ନଥାନ୍ତା । ସେ ସେଠି ହଳଦୀବସନ୍ତଟିଏ ପାଲଟିଯାଆନ୍ତା ଓ ଡାଳରୁ ଡାଳ ଉଡ଼ିବୁଲି ଜୀବନକୁ ଉପଭୋଗ କରନ୍ତା-

 

ଘରେ ଚାରି ଚାରିଟା ପିଲା, ମାଇକିନାଟେ, କଣ କରିବେ ସେମାନେ । ସେମାନଙ୍କୁ ଛାଡ଼ି ଯେତେ ମଉଜରେ ରହିଲେ ବି ଶାନ୍ତିରେ ସେ କଣ ନିଶ୍ୱାସ ମାରିପାରିବ ! ଦେହଟା ଝିମ୍‌ଝିମ୍‌ ଲାଗୁଛି । ପିଞ୍ଜରାବନ୍ଦ ଶାରୀଟି କୌଣସି ଆଶଙ୍କାର ସୂଚନା ପାଇ ବିକଳରେ ଡେଣାହଲାଇ ଅସ୍ପଷ୍ଟ ଶବ୍ଦରେ ଚତୁର୍ଦ୍ଦିଗକୁ ମୁଖରିତ କଲାଭଳି ଶୁକୁଟାର ସରଳ ହୃଦୟଟି କୋହ, ଅଭିମାନ ଓ ଈର୍ଷାରେ ଭରିଉଠୁଛି, ହେଲେ କଣ କରିବ ସେ ? ମାଲିକଙ୍କୁ ଗୁହାରୀ କରିବ ? ତାର ଦୁଃଖ ଜଣେଇବ ? କିନ୍ତୁ କଣବା ମିଳିବ ସେଥିରୁ, ବରଂ ତାର ଅସହାୟତାର ଅଧିକ ସୁଯୋଗ ନେଇ ମାଲିକ ଆହୁରି ନିଷ୍ଠୁର ହୋଇ ପଡ଼ିବ । ତାର ହାଡ଼, ଝୁଣିପକେଇବ ।

 

ତେବେ ସରକାରଙ୍କୁ ଗୁହାରୀ କରିବ ? କିଏ ସରକାର, ସରକାରର କାମ କଣ କିଛି ଜାଣେନା ଶୁକୁଟା । କେବଳ ଭୋଟବେଳେ କେଇଜଣ ଖଦଡ଼ପିନ୍ଧାବାବୁ ଆସନ୍ତି, କାନ୍ଧରେ ହାତପକେଇ, ପାଖରେ ବସେଇ ସୁବିଧା ଅସୁବିଧା ପଚାରନ୍ତି । ସେମାନଙ୍କୁ ଆଗାମୀ ନିର୍ବାଚନରେ ଭୋଟ୍‌ ଦେଇ ଜୟଯୁକ୍ତ କରିବାକୁ କୁହନ୍ତି, ହାତଧରନ୍ତି । ଅନେକ ପ୍ରତିଶ୍ରୁତି ଓ ଆଶ୍ୱାସନା ଦିଅନ୍ତି । ସେ ନିଶ୍ୱାସ ମାରେ । ଶୁଖିଲା ମୁହଁରେ ଅଦିନ ହସ ଫୁଟେଇ କୃତଜ୍ଞତା ଜଣାଏ, ବାବୁଙ୍କୁ ଓଳଗି ହୁଏ-। ଫେରିଲାବେଳକୁ କିଛିବାଟ ବଳେଇ ଦେଇଯାଏ । ନିର୍ବାଚନ ସରେ, ଗାଁରେ ହୋ ହଲ୍ଲା କମିଯାଏ-। ଏହାପରେ ଆଉ କେହି ଶୁକୁଟା ଦୁଆରକୁ ଆସନ୍ତି ନାହିଁ, କଥା କହନ୍ତି ନାହିଁ । ସେ ତାର ଭାଗ୍ୟକୁ ଆଦରି ନୁଆଣିଆ କୁଡ଼ିଆଘରେ ଛୁଆପିଲାଙ୍କୁ ଧରି ପଡ଼ିରହେ ।

 

ସକାଳୁ ନିତ୍ୟକର୍ମ ସାରି ମାଲିକର କାମକୁ ଯାଏ, ସଂଜକୁ କାମସାରି ବଜାରରୁ ଚାଉଳପତ୍ର ଧରି ଘରେ ପହଞ୍ଚେ । ରତନୀ ଘରଭିତରୁ ବାହାରିଆସି ଚଢ଼ାଗଳାରେ ଅଭିଯୋଗ କରେ, ଏତେବେଳଯାଏ କଣ କରୁଥିଲ ? ଖାଇଛ ନାଁ ନାହିଁ ? ତାପରେ ସେ ଗାମୁଛାରୁ ଚାଉଳ ଖୋଲି ପାଛୁଡ଼େ । ଚୁଲିରେ ହାଣ୍ଡି ବସାଏ । ଭଗିଆ, ଶୁକୁଟାର ମୁଣ୍ଡ ଚିପିଦିଏ, ଗୋଡ଼ରେ ହାତ ମାରେ ।

 

ମନେହୁଏ ତାର କିଛି ଦୁଃଖନାହିଁ, କିଛି ଚିନ୍ତାନାହିଁ, କିଛି ଅଭାବନାହିଁ । ସମୟ ଅସମୟରେ ବାଧିକିରେ ପଡ଼ିଲେ ଖୁବ ବାଧେ । କାମ ନ କଲେ ମହାଜନ ମୂଲ ଦିଏନାହିଁ । ଘରସାରା ଉପାସ ରହନ୍ତି । ଆଠ ବର୍ଷର ପୁଅ ଭଗିଆ କାନ୍ଦିକାନ୍ଦି ଗଡ଼ିଯାଏ । ପିଲାଲୋକ, ସେ କଣ ବୁଝିବ ଦୁଃଖ କଣ ? ଦାରିଦ୍ର୍ୟ କଣ ??

 

ସୂର୍ଯ୍ୟ ମୁଣ୍ଡଉପରୁ ଢଳିଗଲାଣି । ଶୁକୁଟା ଏଥର ହଳ ଫିଟାଇ ଠିଆହେଲା, ହିଡ଼ରେ । ନିଶ୍ୱାସନେଲା । କାଳିଆ କଷରା ଦୁହେଁ ଥକାମାରି ବିଲମାଟିରେ ଦଣ୍ଡେ ଠିଆହେଲେ, ଏପାଖ ସେପାଖକୁ ଚାହିଁଲେ । ଧୀରେଧୀରେ ପାଖ ପଞ୍ଚାୟତ ପୋଖରୀ ଆଡ଼କୁ ପାହୁଣ୍ଡ ପକାଇଲେ । ପାଣିଟୋପେ ପିଇବେ, ନିଶ୍ୱାସନେବେ । ଶୁକୁଟା ହଳଲଙ୍ଗଳ କାନ୍ଧକୁ ଉଠେଇଲା, ଖୁବ ଭାରିଭାରି ଲାଗୁଛି । ଇଚ୍ଛାହେଉଛି ବସିପଡ଼ିବ କି ଟିକେ । ତଥାପି ସେ ଆଗକୁ ପାଦ ବଢ଼ଉଛି, ଭିଡ଼ି ଓଟାରି ଚାଲିଛି । ଏମିତି ସେ ସବୁଦିନେ ଭିଡ଼ି ଓଟାରି ଆଗକୁ ଚାଲିଥିବ । ଏ ଚାଲିବାର ଶେଷହେବନି ଜମା । ସେ ଯେତେ ଆଗକୁ ଯିବ, ରାସ୍ତା ଲମ୍ୱିଯିବ ଦୂରକୁ । ଏ ଚାଲିବାର ଶେଷହେବନି ଜମା । ସେ ଯେତେ ଆଗକୁ ଯିବ, ରାସ୍ତା ଲମ୍ୱିଯିବ ଦୂରକୁ । ଏମିତି ଅନେକ ଖରା ଆସିବ, ବର୍ଷା ଆସିବ, ଶୀତ ଆସିବ, ତାର ପୁଅ ବେମାରିରେ ପଡ଼ିବ, ମାଲିକ ଅତ୍ୟାଚାର କରିବ, ହେଲେ ସେ ଏମିତି ବଞ୍ଚିବ; ପଡ଼ିଉଠି ଆଗକୁ ଚାଲିବ ଓ ଏହି ବଞ୍ଚିବା ଭିତରେ ଆନନ୍ଦର ଅନ୍ୱେଷଣ କରିବ ।

 

ଏଇଥିପାଇଁ ତ ତାର ଜନ୍ମ । ତେବେ ଦୁଃଖ କାହିଁକି ?

 

କାଳିଆ କଷରା ପାଣିପିଇ ପୋଖରୀ ହୁଡ଼ାରେ ବରଗଛ ମୂଳେ ନିଶ୍ୱାସ ମାରୁଛନ୍ତି । ଶୁକୁଟା ଚାହିଁଛି, ସେମାନଙ୍କ ପାଟିରୁ ଲାଳ ବୋହୁଛି, ଆଖିରୁ ଲୁହ ଗଡ଼ୁଛି, ପେଟ ଭିତରକୁ ପଶିଯାଉଛି ।

 

ସତରେ, ଏଇମାନେ ତାର ଆତ୍ମୀୟ, ବନ୍ଧୁ, ଚଲାପଥର ସାଥି । ଏଇମାନଙ୍କୁ ନେଇ ତାର ଆନନ୍ଦ, ଏଇମାନଙ୍କୁ ନେଇ ତାର ଜୀବନ । ଶୁକୁଟାର ଆଖି ଦୁଇଟି ଲୁହରେ ଗୋଳେଇହୋଇ ଢଳଢ଼ଳ ହେଉଛି, ପଦ୍ମପତ୍ରରେ କାକର ଟୋପାଭଳି । ହାତରୁ ଖସି ପଡ଼ିଲା ପାଞ୍ଚଣ, ସେ କାନ୍ଧରୁ ଲଙ୍ଗଳ ଜୁଆଳି କାଢ଼ି ଡେରିଦେଲା ବରଗଛରେ । ଧୀରେଧୀରେ ଆଗକୁ ଯାଇ ବସିପଡ଼ିଲା ଠିକ୍‌ କାଳିଆ କଷରାଙ୍କର ମୁହଁ ମଝାମଝିରେ । ଆଉଁଷିବାକୁ ଲାଗିଲା ବେକତଳକୁ । ସେମାନେ ବି ଶୁକୁଟା ହାତର ମଧୁର ସ୍ପର୍ଶ ପାଇ କୁରୁଳି ଉଠିଲେ, ମୁହ ଟେକି କୃତଜ୍ଞତା ଜଣାଇଲେ । ଶୁକୁଟା କହିଲାଗିଥାଏ ନୀରବ ଛଳଛଳ ଆଖିରେ ସେମାନଙ୍କୁ ତାର ଜୀବନର ଇତିହାସ । ସୂର୍ଯ୍ୟ ତେରଛେଇ ସବୁଦେଖୁଥାଏ ଆତ୍ମବିଭୋର ହୋଇ । କ୍ରମେ ଶୁକୁଟାର ଦୁଃଖରେ ଯେମିତି ଧିମେଇ ଆସୁଥାଏ ତା ତେଜ । କାଣ୍ଟିବଗ ଦୁଇଟା ପୋଖରୀ ହୁଡ଼ାରେ ବସି ଏକାଧ୍ୟାନରେ ଚାହିଁଥାଆନ୍ତି କଳାଭଅଁର ପାଣିକୁ ଧ୍ୟାନସ୍ଥ ଯୋଗୀପରି ।

Image

 

ଖେଳ

 

ପେଣ୍ଡୁଟି ଦୁଇଦଳ ଖେଳାଳୀଙ୍କ ହାତରୁ ହାତହୋଇ ଉଠୁଛି ପଡ଼ୁଛି, ହୋହଲ୍ଲା ଭିତରେ । ପରସ୍ପର ଦଳକୁ ଜିତାଇବା ପାଇଁ କ୍ରମେ ତତ୍ପର ହୋଇ ଉଠୁଛନ୍ତି । ପେଣ୍ଡୁ ଉପରକୁ ଉଠୁଛି ଓ ଖସିପଡ଼ୁଛି । ମାଟି ନଛୁଉଁଣୁ ପୁଣି କାହାହାତରେ ବାଜି ନେଟ୍‌ ପାରିହୋଇ ପଡ଼ୁଛି ବିପରୀତ ଦଳର ହାତରେ । ସମସ୍ତେ ସଚେତନ ହୋଇଉଠୁଛନ୍ତି । ସଚେତନ ହୋଇଉଠୁଛି ସମସ୍ତଙ୍କର ସ୍ନାୟୁ । ସମାନ୍ତରାଳ ଭାବରେ ଉଭୟଦଳ ଯୋଗାଡ଼ କରୁଛନ୍ତି ପଏଣ୍ଟ୍‌ । ଦେଖଣାହାରୀଙ୍କ କରତାଳିରେ ଖେଳାଳୀମାନଙ୍କ ଉତ୍ସାହ ବଢ଼ିଯାଉଛି ମିନିଟ୍‌ର୍‌ ଘଣ୍ଟାକ୍ରମରେ ।

 

ଝରକାଦେଇ ଚାହିଁଛି ଅନୁପମ । ସେ ମନକୁ ମନ ଏକାତ୍ମ ହୋଇଯାଉଛି ପେଣ୍ଡୁଟି ସହ-। ବହୁସ୍ମୃତିର ଦରଜା ଖୋଲିଯାଉଛି ଆଗରେ । ସେ ପରିଷ୍କାର ଅନୁଭବ କରୁଛି ଜୀବନକୁ, ଯାହାକି ଠିକ୍‌ ଏମିତି ବାରମ୍ୱାର ଉପରତଳ ହେଉଛି ଦୀର୍ଘ ଅଣଚାଳିଶ ବର୍ଷହେଲା । କେତେବେଳେ ଉପରକୁ ଉଠିଛି ତ କେତେବେଳେ ଖସିପଡ଼ିଛି ଅସହାୟ ହୋଇ । ଏହି ଜୀବନର ଉଠାପକା ଖେଳଭିତରେ କେତେ ହସ, କେତେ କାନ୍ଦ, କେତେ ଖରା, କେତେ ବର୍ଷା, କେତେ ଶୀତ, କେତେ ବସନ୍ତ । କେଡ଼େ ବିଚିତ୍ର ଏ ଜୀବନ, କେଡ଼େ ବିଚିତ୍ର ଏ ଅନୁଭବ । କେତେବେଳେ ଯେ ଏ ଖେଳ ବନ୍ଦହେବ କିଏ ଜାଣେ !

 

ସତରେ କେତେ ସାମ୍ୟ ଏ ପେଣ୍ଡୁଟିର ତା ଜୀବନ ସହିତ । ନିରବରେ ଅନୁଧ୍ୟାନ କରୁଛି ଅନୁପମ । ସବୁ ସରଳତା ଭିତରେ ଅବୁଝା ହୋଇଯାଉଛି ସବୁ । ବଲ୍‌ଟା ଉପର ତଳହୋଇ ଏପଟ ସେପଟ ହେଉଛି ନେଟ୍‌ରେ, ଯେମିତି ସମୟର ନେଟ୍‌ରେ ଏପଟସେପଟ ହେଉଛି ଜୀବନ-ଯନ୍ତ୍ରଣାରୁ ଆନନ୍ଦକୁ ଓ ଆନନ୍ଦରୁ ଯନ୍ତ୍ରଣାକୁ ।

 

ସେକ୍ରେଟେରୀ କହିଛନ୍ତି ଆଜି ସବୁ କାମ ସରିବ । ମାର୍ଚ୍ଚମାସ । ଏହାପରେ ପନ୍ଦରଦିନ ସେ ଦିଲ୍ଲୀଯିବେ ଟୁରରେ । ବାରମ୍ୱାର ତାଗଦା, ଆଖି ଜାଲଜାଲିଆ ଦିଶୁଛି । ତେଣୁ ଝରକାଦେଇ ବାରମ୍ୱାର ପଡ଼ିଆକୁ ଚାହୁଁଛି ଅନୁପମ, ହେଲେ ବାହାରକୁ ଯିବାର ଉପାୟ ନାହିଁ ଫାଇଲ୍‌ର ଜଞ୍ଜାଳରୁ ।

 

ଘରେ ସ୍ତ୍ରୀ, ପିଲାଛୁଆଙ୍କର ତେଲ ଲୁଣର ଜଞ୍ଜାଳ, ଅଫିସରେ ଫାଇଲପତ୍ରର ଜଞ୍ଜାଳ ବଡ଼ ଅସହ୍ୟ ମନେ ହେଉଛି । ସତରେ ଆଖି ଆଗରେ ଏ ଫାଇଲ୍‌, ଟେବୁଲ, ପେପରୱେଟ୍‌, ପିନ୍‌କୁସନ୍‌, କାଳି କଲମ ଅଡ଼ୁଆ ଲାଗୁଛି ଆଖିକୁ । ଇଚ୍ଛାହେଉଛି ଏଗୁଡ଼ା ଉଠେଇଦେବ ଆଗରୁ, ହେଲେ.......ନିଜେ ଯଦି ସେକ୍ରେଟେରୀ ବା ଉପର ଅଫିସର ହୋଇଥାଆନ୍ତା ସାଙ୍ଗେ ସାଙ୍ଗେ ସିନା ପିଅନକୁ ଆଦେଶ ଦିଅନ୍ତା ଏଗୁଡ଼ା କିଛି ଦରକାର ନାହିଁ ମୋର; ଆଉ ଏତିକି ଶୁଣି ଆଜ୍ଞା ବୋଲି ଦୁଇ ତିନିଟା ପିଅନ ଲାଗିପଡ଼ନ୍ତେ କାମରେ । ତତ୍‌କ୍ଷଣାତ ଓଲଟପାଲଟ ହୋଇଯାଆନ୍ତା ସବୁକିଛି । ଚଷମାତଳୁ ଶାସନ କାଇଦାରେ ଆଖି ବୁଲେଇ ଆଣନ୍ତା ଚର୍ତୁଦିଗରେ । ସବୁ ନିସ୍ତବ୍‌ଧ ହୋଇଯାଆନ୍ତା ମୁହୂର୍ତ୍ତକେ । ସେ ସଙ୍ଗେସଙ୍ଗେ ଷ୍ଟେନୋ ଡାକି ଆଦେଶ ଦିଅନ୍ତା-ଉତ୍ତାରି ପକାଇବାକୁ ତା ମୁହଁରେ ତା ଜୀବନର ସ୍ମୃତିକୁ । ଉତ୍‌ଥାନ ପତନର ଇତିହାସକୁ ।

 

ହେଲେ ଏହା ତ କେବେ ଜୁଟିବ ନାହିଁ ଭାଗ୍ୟରେ । ଜୁନିଅର ଆସିଷ୍ଟାଣ୍ଟରୁ ଏହି ଦୁଇ ତିନିବର୍ଷ ହେଲା ପ୍ରମୋଶନ ମିଳିଛି ସିନିଅର ଆସିଷ୍ଟାଣ୍ଟକୁ । ତା ବି ବହୁ ଧରାଧରିକରି, ସେକ୍ରେଟେରୀଙ୍କୁ କିଛି ହାତଗୁଞ୍ଜା ଦେଇ, ହେଇହେଇକି ଚାକିରି ସରିଲାବେଳକୁ ସେକ୍‌ସନ ଅଫିସରଟେ ହେବ ଯାହା । ଯା ପଛରେ ଅଫିସର ଶବ୍ଦଟା ସିନା ଯୋଡ଼ାହେବ ହେଲେ ସେହି କିରାଣି କାମ । ତା ବି ସହଜ ନୁହେଁ । ଆହୁରି ତା ଉପରେ ଚାରିପାଞ୍ଚଜଣ ଅଛନ୍ତି ପ୍ରମୋଶନ ପାଇବାକୁ, ସେମାନଙ୍କପରେ ଯାଇଁ ୟାର ଯାହାହେବ ।

 

ଘରେ ସାନପୁଅ ମୁନା ସବୁବେଳେ ପଚାରେ, ବାପା, ତୁମେ କାହିଁତ ଅଫିସର ହେଉନା-? ଭାରି ମଜା ହୁଅନ୍ତା । ମୋ ସାଙ୍ଗ ଲୁଲାର ବାପା ଅଫିସର, ତାଙ୍କୁ ଗାଡ଼ି ମିଳିଛି, ଫୋନ୍‌ ମିଳିଛି-। ସେ ଅଫିସର, ବହୁତ ପଇସା ପାଉଛନ୍ତି । ପ୍ରତ୍ୟେକ ଦିନ ତାଙ୍କର ମାଛ ଆସୁଛି, କ୍ଷୀର ଆସୁଛି, ମିଠା ଆସୁଛି । ବହୁତଲୋକ ତାଙ୍କଘରକୁ ଆସୁଛନ୍ତି । ଲୁଲା କହୁଥିଲା ଆଜି ସକାଳେ କିଏଜଣେ ଅଫିସର ତାଙ୍କଘରକୁ ଆସିଥିଲେ-। ଗୋଟାଏ ବଡ଼ ଇଲିଶି, ତଟକା କୋବି ଓ ମିଠା ଆଣିଥିଲେ । ଗଲାବେଳକୁ ଲୁଲାହାତରେ ଦୁଇଶହ ଟଙ୍କା ଦେଇଗଲେ । ବାପା, ତୁମେ ଅଫିସର ହୁଅ, ଆମଘରକୁ ସେମିତି ବହୁତ ଲୋକ ଜିନିଷ ନେଇ ଆସିବେ-। ଅଫିସ୍‌ଗାଡ଼ି ମିଳିବ, ଫୋନ୍‌ ମିଳିବ । ମୁଁ ଲୁଲାପରି ପ୍ରତିଦିନ ଗାଡ଼ିରେ ବସି ସ୍କୁଲ ଯିବି ଓ ଆସିବି ।

 

କଣ କହନ୍ତା ଅନୁପମ ! କିପରି ବୁଝେଇ ଦିଅନ୍ତା ପାଞ୍ଚବର୍ଷର ମୁନାକୁ କେମିତି ଦୁର୍ନୀତିର ସାଙ୍କେତିକ ଫର୍ମୁଲା, ଯାହାଦ୍ୱାରା ଲୁଲାର ବାପା ଲକ୍ଷଲକ୍ଷ ଟଙ୍କା ରୋଜଗାର କରୁଛନ୍ତି । ଖାଲି ଲୁଲାବାପା କାହିଁକି ଏମିତି ଲୁଲାପରି ଅନେକଙ୍କର ବାପାମାନେବି । ହେଲେ କଣ ବୁଝିବ ମୁନା !

 

ହଁ, ରହ, ବ୍ୟସ୍ତ କାହିଁକି ମୁଁ ବି ଅଫିସର ହେବି । ଆମକୁ ବି ଗାଡ଼ି ମିଳିବ । ତୁ ପ୍ରତ୍ୟେକ ଦିନ ଗାଡ଼ିରେ ବସି ସ୍କୁଲ ଯିବୁ । ଅନୁପମଙ୍କ ଏ ଛୋଟିଆ କଥାକୁ ବହୁଦିନରୁ ସତେଯେପରି ଅପେକ୍ଷା କରିଥିଲା ମୁନା । ଆନନ୍ଦରେ ନାଚିଗଲା ତାର ସରଳ ମନ, ଟିକି ହୃଦୟ । ସେ ଲୁଲାପରି ଗାଡ଼ିରେ ବସି ସ୍କୁଲ ଯିବ । ସଙ୍ଗେସଙ୍ଗେ ଡେଇଁଡ଼େଇଁ ଚିତ୍କାର କରି ଜଣେଇ ଦେଇଥିଲା ସମସ୍ତଙ୍କୁ–‘‘ବାପା ଅଫିସର ହେବେ, ଫୋନ୍‌ ମିଳିବ, ଗାଡ଼ି ମିଳିବ । ଆମ ଘରକୁ ବହୁତ ଲୋକ ଆସିବେ-। ମିଠା ଆଣିବେ, ମାଛ ଆଣିବେ ।’’

 

ମୁନାକଥାରେ ଅନୁପମଙ୍କ ବାପା ମୁରୁକି ହସି ମୁଣ୍ଡ ହଲେଇଥିଲେ ମାତ୍ର । ହେଲେ ମନ୍ଦାକିନୀ ଚିହିଁକି ଉଠିଥିଲେ ରାଗରେ । ଲାଜନାହିଁ ତୁମକୁ । ଏ ପୁଣି ଅଫିସର ହେବେ । ଅଫିସର ଲୋକ ଯିବେ କୁଆଡ଼େ ! ମୁନା ଖିଙ୍କାରି ଉଠିଲା ବୋଉକୁ-ତୁ ତ ଓଲିଟା, ରହ ବାପା ଅଫିସର ହୁଅନ୍ତୁ, ଦେଖିବୁ ଆମର ବି ଟି.ଭି. ଆସିବ, ଫୋନ୍‌ ଆସିବ, ଗାଡ଼ି ଆସିବ ।

 

ଚୁପ୍‌ଚାପ୍‌ ସବୁ ଶୁଣିଯାଏ ଅନୁପମ, କାରଣ ମନ୍ଦାକିନୀ ସବୁବେଳେ ଅବୁଝା । କେବଳ ମନ୍ଦାକିନୀ କାହିଁକି, ସବୁ ସ୍ତ୍ରୀ ଏମିତି ଅବୁଝା । ଭଲମନ୍ଦ କିଛି ବୁଝି ହେବନାହିଁ । କଣ ନାହିଁ କଣ ଗୋଟାଏ କରିଯିବେ । ସବୁବେଳେ ରାଗ ଓ ଅଭିମାନ ।

 

ଅନୁପମ ଆଗଭଳି ଚାହିଁଛି ଖେଳ ପଡ଼ିଆକୁ । ଖେଳ ଚାଲିଛି । ପେଣ୍ଡୁଟି ଏପଟ ସେପଟ ହେଉଛି ନେଟ୍‌ରେ । ନିଜକୁ ସ୍ଥିର ରଖି ପାରୁନି ଅନୁପମ । ଇଚ୍ଛା ହେଉଛି ସେ ବି ଖେଳନ୍ତା-। ହେଲେ ସେକ୍ରେଟେରୀଙ୍କ ତାଗଦା ସବୁ ସାରିବାକୁ ପଡ଼ିବ । ସେ ଟୁର୍‌ରେ ଯିବେ, ମାର୍ଚ୍ଚମାସ-

 

କେମିତି ସରିବ ଯେ ସାତଦିନର କାମ ଗୋଟିଏ ଦିନରେ ! ମୁଣ୍ଡ ବିନ୍ଧିଲାଣି ! ଆଉ ଧାଡ଼ିଟିଏ ବି ଲେଖିହେବନି ଫାଇଲ୍‌ରେ । ସେକ୍ରେଟେରୀ ଏପର୍ଯ୍ୟନ୍ତ ବସିଛନ୍ତି ରୁମ୍‌ରେ । ପାଞ୍ଚଟାରେ ଯିବା କଥା । ପାଞ୍ଚଟା ପନ୍ଦର ହୋଇଗଲାଣି । ଅଣ୍ଟା ବିନ୍ଧିଲାଣି । ଉଠି ଠିଆହେଲା ଅନୁପମ । ମୁଣ୍ଡକୁ ଆଉଁସିନେଇ ଠକ୍‌ଠାକ୍‌ ଫୁଟେଇନେଲା ହାତର ଆଙ୍ଗୁଳିକୁ ।

 

କେଡ଼େ ସୁନ୍ଦର ନ ହୁଅନ୍ତା ବର୍ତ୍ତମାନ ଅଫିସ୍‌ ଭିତରେ ସବୁ ଆସବାବପତ୍ର ଫାଇଲ୍‌ଠୁ ଆରମ୍ଭ କରି ଆଖିଆଗରେ ଥୁଆହୋଇଥିବା ପିନ୍‌କୁସନ ଯଦି ପେଣ୍ଡୁଟିଏ ହୋଇଯାଆନ୍ତା; ଆଉ ଅଫିସରେ ଏ ପର୍ଯ୍ୟନ୍ତ ଥିବା କିରାଣୀଠୁ ପିଅନ ପର୍ଯ୍ୟନ୍ତ ସବୁ କର୍ମଚାରୀ ଜଣେଜଣେ ଖେଳାଳୀ ହୋଇଯାଆନ୍ତେ ଓ ଅଫିସ୍‌ଟା ଗୋଟାଏ ଖେଳପଡ଼ିଆ ହୋଇଯାଆନ୍ତା ! ଅନୁପମ ଏଭଳି ଭାବି ଚାଲିଛି କେତେ କଣ ବାରମ୍ୱାର ଖେଳପଡ଼ିଆକୁ ଚାହିଁ । ସତରେ କେଡ଼େ ଅସହାୟ ତାର ଜୀବନ ଏ ପମ୍ପଦିଆ ପେଣ୍ଡୁପରି !

 

ହଠାତ୍‌ ଧଡ଼କିନା ଖୋଲିଗଲା ସେକ୍ରେଟାରୀଙ୍କ ରୁମ୍‌ର ଦରଜା । ଭିତରୁ ବାହାରି ଆସିଲେ ସମରେନ୍ଦ୍ର ମହାନ୍ତି । କାହାକୁ କିଛି ନକହି ଓହ୍ଲେଇ ଗଲେ ତଳକୁ, ପାହାଚରୁ ପାହାଚ । ଦଲକାଏ ଥଣ୍ଡାପବନ ଚୁମାଦେଲା ଛାତିରେ । ନିଶ୍ୱାସନେଲା ଅନୁପମ ।

 

ଆଉ ଏଥର ଡରନାହିଁ କାହାକୁ । ଫାଇଲ୍‌ ପତ୍ର ଓ ପିନ୍‌କୁସନ ପେଣ୍ଡୁ ହେବା ଦରକାର ନାହିଁ ଏଥର । କାରଣ ବର୍ତ୍ତମାନ ସେ ଦଉଡ଼ିଯିବ ଖେଳ ପଡ଼ିଆକୁ ଆଉ ସବୁଖେଳାଳୀଙ୍କ ଭିତରେ ଜଣେ ହୋଇଯିବ । ପ୍ରତକ୍ଷ୍ୟଭାବେ ତଉଲିବ ଜୀବନକୁ, ଯନ୍ତ୍ରଣାକୁ, ସମୟକୁ ଓ ଆନନ୍ଦକୁ । ବାରମ୍ୱାର ତା ହାତରେ ବଲ୍‌ ବାଜି ଉଠିଯିବ ଉପରକୁ । ଯେତେଥର ବଲ୍‌ ଜାଲ ପାରିହୋଇ ମାଡ଼ିଆସିବ ତା ଆଡ଼େ ସେ ସେତେଥର ଫେରେଇଦେବ ଅପର ପକ୍ଷକୁ ।

 

ଅନୁପମ ଫାଇଲ୍‌ ବାନ୍ଧିଲା ଏଥର । ଆଉ କଣ କେଉଁଠି ରହିଗଲା କି ଆଖିବୁଲେଇ ଦେଖିନେଲା ଚାରିକଡ଼କୁ ତାପରେ ଓହ୍ଲାଇଗଲା ପାହାଚରୁ ପାହାଚ ।

 

ହେଲେ ସେତେବେଳକୁ ଖେଳପଡ଼ିଆ ନୀରବରେ ଶୋଇପଡ଼ିଥାଏ । ଝାପ୍‌ସା ଅନ୍ଧାର ଭିତରେ ଦୁଇଜଣ ନେଟ୍‌ ଫିଟାଉ ଥାଆନ୍ତି ଖୁଣ୍ଟରୁ । ବଲ୍‌ଟି ଅସହାୟଭାବେ ତଳେ ଗଡ଼ୁଥାଏ ଜାରଜ ଶିଶୁଟେ ପରି । ପାଖ ମନ୍ଦିରରୁ ସଂଧ୍ୟା ଆଳତୀର ଘଣ୍ଟାଶବ୍ଦରେ ଆକାଶରୁ ମାଡ଼ିଆସୁଥାଏ ଅନ୍ଧାର । ଅନୁପମଙ୍କ ଆଖିରୁ ଧୀରେ ଧୀରେ ଓହ୍ଲେଇ ଯାଉଥାଏ କାମନାର ଏଣ୍ଡୁଅଟିଏ ।

 

ହାତଘଣ୍ଟାର ଘଣ୍ଟାକଣ୍ଟା ଓ ମିନିଟ୍‌ କଣ୍ଟା ଯଥାକ୍ରମେ ସାତ ଓ ବାର ଉପରେ ବିଶ୍ରାମ ନେଇଥାଆନ୍ତି ମୁହୂର୍ତ୍ତକ ପାଇଁ ।

Image

 

କେତୋଟି ମୁହୂର୍ତ୍ତକୁ ପିଠିକରି ଗୋଟିଏ ମୁହୂର୍ତ୍ତକୁ ଖୋଜୁଥିବା ମଣିଷ

 

ସ୍ନିଗ୍‌ଧା ଗପଟେ ଲେଖିବାକୁ କହିଲା ପରଠୁ, ମୁଁ ଭାବୁଛି ଆଜି ଏଇ ମୁହୂର୍ତ୍ତରେ ଗପଟିଏ ଲେଖିଦେବି । ବାରମ୍ୱାର ଖାତା ଓ କଲମ କାଢ଼ି ବସୁଛି, ବହୁ ସ୍ମୃତିକୁ ଓଲଟ ପାଲଟ କରି ଖୋଜୁଛି ମୁହୂର୍ତ୍ତଟିଏକୁ, ଯେଉଁ ମୁହୂର୍ତ୍ତର ଘଟଣାଟିକୁ ମୁଁ ଗପକରି ତା ପାଖରେ ଥୋଇ କହିବି—ଏଇ ନିଅ ଓ ସେ ଆତ୍ମତୃପ୍ତିର ହସ ହସି ଜଡ଼ିଯିବ ମୋ ଦେହରେ । ହେଲେ ମୁଁ ଏ ପର୍ଯ୍ୟନ୍ତ କଲମର କ୍ୟାପ୍‌ ଖୋଲିନି । ବା ହାତର କହୁଣୀରେ ଟେବୁଲ ଉପରେ ଖାତାକୁ ଚାପି ଧରି ବାରମ୍ୱାର ହାତ ମାରୁଛି ମୁଣ୍ଡରେ ଓ ଭାବୁଛି ଯାଇତାଇ ଗପଟେ ଲେଖିଦେଲେ ପସନ୍ଦ ହେବନି ତାର । ଗୋଟିଏ ପରେ ଗୋଟିଏ ଘଟଣା ଆଖି ଆଗକୁ ଆସୁଛି ଚଳଚିତ୍ରର ଦୃଶ୍ୟ ଭଳି, ହୃଦୟଟା ମନ୍ଥିହୋଇ ଯାଉଛି । ସତରେ ବଡ଼ ନିସଙ୍ଗ ଲାଗୁଛି ଅତୀତ ଓ ବର୍ତ୍ତମାନର ମୁହୂର୍ତ୍ତଗୁଡ଼ିକ ।

 

ମନେପଡ଼ୁଛି ଏମିତି ଦିନେ ରୀତା ବି ଅନୁରୋଧ କରିଥିଲା ତାପାଇଁ ଗପଟେ ଲେଖିଦେବାକୁ । ମୁଁ ଗପ ଲେଖିଥିଲି ଓ ନିଜ ଅଜାଣତରେ ତାକୁ ମୋ ଗଳ୍ପର ନାୟିକା କରି ନିଜେ ନାୟକ ହୋଇଯାଇଥିଲି । ସେହିଟା ହିଁ ଥିଲା ମୋର ପ୍ରଥମ ଗପ । କିନ୍ତୁ ମୁଁ ତା ପୂର୍ବରୁ କେବଳ କବିତାହିଁ ଲେଖୁଥିଲି । ସେଦିନ ଗପଟି ଏତେ ସହଜରେ ଓ ଅଳ୍ପସମୟ ଭିତରେ ଲେଖିଥିଲି ଭାବିଲେ ନିଜେ ଆଶ୍ଚର୍ଯ୍ୟ ହୁଏ ।

 

ହେଲେ ଆଜି ସ୍ନିଗ୍‌ଧାଠାରୁ ଅନୁରୋଧ ପାଇଲାପରେ ଇଚ୍ଛାକରି ବି ଗପଟେ ଲେଖିପାରୁନି କି ସେଦିନର ରୀତାକୁ ଗପର ନାୟିକା କରି ନିଜେ ନାୟକ ହେଲାପରି ସ୍ନିଗ୍‌ଧାକୁ ମୋର ଗପର ନାୟିକା କରି ମୁଁ କେନ୍ଦ୍ରବିନ୍ଦୁ ହୋଇପାରୁନି । ବହୁ ସ୍ମୃତିକୁ ଏକ ନିର୍ଦ୍ଦିଷ୍ଟ ମୁହୂର୍ତ୍ତରେ ଏକତ୍ରିତ କରି ଗପଟି ଆରମ୍ଭ କରିବା ମାତ୍ରେ ସେମାନେ ଛିଟିକି ପଡ଼ୁଛନ୍ତି ବହୁଦୂରକୁ । ବାରମ୍ୱାର ଚେଷ୍ଟାକରି ଗପଟି ସାରିବା ପର୍ଯ୍ୟନ୍ତ ମୁଁ ସେମାନଙ୍କୁ ଏକତ୍ର ରଖିପାରୁନି ଏହାର କାରଣ କଣ ହୋଇପାରେ ? ଦୋହରାଉଛି ମନେ ମନେ । ହେଲେ ମୋ ଭାବନରେ ପୂର୍ଣ୍ଣଛେଦ କାହିଁ ଯେ ? କେବଳ ପ୍ରଶ୍ନବାଚୀ (?) ଓ ପ୍ରଶ୍ନବାଚୀ (?) ଏକ ? ଦୁଇ ?? ତିନ୍‌ ??? ବା ଏମିତି ଅନେକ ।

 

ଶେଷରେ ମୁଁ ଏବେ ଏଇ ସିଦ୍ଧାନ୍ତରେ ଉପନୀତ ହେଉଛି ଯେ ଏହାର କାରଣ ମୋର ପ୍ରେମିକା ସହ ସମ୍ପର୍କଟା ଆରମ୍ଭ ହୋଇଥିଲା ନାଟକୀୟ ଭାବେ ଓ ସମାପ୍ତି ବି ହୋଇଥିଲା ଠିକ୍‌ ଅନୁରୂପ ଭାବେ । ମନେପଡ଼ୁଛି ସମ୍ପର୍କର ଆଦ୍ୟପର୍ବର ମୁହୂର୍ତ୍ତଗୁଡ଼ିକ ଏକ ଅତୀତ ଆଷାଢ଼ ଅପରାହ୍ନର । ଯେତେବେଳେ କି-ସେ ଆକସ୍ମିକ ବର୍ଷାର ସମ୍ମୁଖୀନ ହୋଇ କଲେଜରୁ ଫେରିବା ରାସ୍ତାରେ ଆଶ୍ରୟ ନେଇଥାଏ ଝଙ୍କା ଚାକୁଣ୍ଡା ଗଛର ମୂଳରେ ଜାକିଜୁକି ହୋଇ ନୀରିହା ବଣ ହରିଣୀପରି ଓ ମୁଁ ବି ଠିକ୍‌ ସମଦଶାରେ ସାଇକେଲ ଅଟକାଇ ଅଟକି ଯାଇଥାଏ ସେଇଠି । ଚାରିଆଡ଼େ ଟପ୍‌ଟପ୍‌ ବର୍ଷାର କୋରସ । ସେ ଓ ମୁଁ, ମୁଁ ଓ ସେ ଏବଂ ଆମମାନଙ୍କ ଭିତରେ ସମ୍ପର୍କର ସଂଯୁକ୍ତକାରି ସେହି ମୌନ ତପସ୍ୱୀ ଝଙ୍କା ଚାକୁଣ୍ଡା ଗଛ । ଏଇଠାରେହିଁ ସାମାନ୍ୟ କେତୋଟି ପ୍ରଶ୍ନ ଓ ଉତ୍ତର ଭିତରେ ଆରମ୍ଭ ହୁଏ ରୀତାସହ ମୋର ସମ୍ପର୍କ ।

 

ମାତ୍ର ସ୍ନିଗ୍‌ଧା ସହ ଚିରାଚରିତ ଉପାୟରେ ସମ୍ପର୍କଟା ଗଢ଼ିଉଠେ ଅର୍ଥାତ୍‌ ମାମୁଁ ତାଙ୍କଘରକୁ ଯାଇଁ ତାକୁଦେଖି କଥାବାର୍ତ୍ତା କରି ତା ବାପାଙ୍କ ସହ ଦିନ ଧାର୍ଯ୍ୟକଲା ପରେ ସେ ଏକ ନିର୍ଦ୍ଦିଷ୍ଟ ମାହେନ୍ଦ୍ର ମୁହୂର୍ତ୍ତରେ ଆମଘରକୁ ଆସେ ବୋହୂହୋଇ ଓ ଚିରାଚରିତ ପ୍ରଥାରେ ବାସର ଘରେ ମୋତେ ଅପେକ୍ଷା କରି ବାସରଦୀପକୁ ସାକ୍ଷୀକରି ମୋର କରିନିଏ ମତେ । ହେଲେ ମୋର ପ୍ରେମିକା ରୀତା ସହିତ ସମ୍ପର୍କର ଆରମ୍ଭ ଆକସ୍ମିକଭାବେ ଏକ ଅନିର୍ଦ୍ଦିଷ୍ଟ ମୁହୂର୍ତ୍ତରୁ ।

 

ମନେପଡ଼ୁଛି ରୀତାର ପ୍ରଥମକରି ନୀଳ ଲଫାପାର ସ୍ମୃତି ଓ ମହାଶୟ ସମ୍ୱୋଧନ । ଏହାପରେ ବାରମ୍ୱାର ବହୁଥର ଚିଠି ଦେଇଛି ରୀତା । ମହାଶୟରୁ ଆପଣ, ଆପଣରୁ ତୁମେ ଓ ପ୍ରିୟତମ ଇତ୍ୟାଦି ଓ ତାରି ଭିତରେ ଅନେକ ଆତ୍ମୀୟତାର ଅଭିମାନ ।

 

ମୁଁ ଏବେ ସ୍ପଷ୍ଟ ବୁଝିପାରୁଛି ରୀତାସହ ସେତେବେଳ ଅଭିନୟର ମୁହୂର୍ତ୍ତଗୁଡ଼ିକ ଯଦିଚ ଚିରନ୍ତନ ଓ ଶାଶ୍ୱତ ମନେହେଉଥିଲା, ତଥାପି ସେଥିରେ ପ୍ରତିଶୃତି ବଦଳରେ ଭରିରହିଥିଲା ପ୍ରବଞ୍ଚନା । ରୀତା ବର୍ତ୍ତମାନ ପଦସ୍ଥ ଅଫିସର ଜୟନ୍ତ ପଟ୍ଟନାୟକର ସହଧର୍ମିଣୀ । ହୁଏତ ତାର ମନେନଥିବ ଯେ ଚିନ୍ମୟ ଦିନେ ତାର ଆପଣାର ମଣିଷ ହୋଇ ଯାଇଥିଲା ବୋଲି । ଯଦିଚ ମନେଥାଏ ଓ ସେ ଯଦି କେବେ ଅତୀତର ସ୍ମୃତିରେ ସନ୍ତୁଳି ହେଉଥାଏ ତଥାପି ସେ ତାର ଅନିଛାସତ୍ତ୍ୱେ ବାଧ୍ୟ ହେଉଥିବ ନିଜକୁ ଭୁଲାଇ ନିଜର ହୃଦୟକୁ ଆଶ୍ୱାସନା ଦେଇ ଅତୀତର ସ୍ମୃତିକୁ ମନେ ପକାଇ ଦହଗଞ୍ଜ ନହେବାକୁ । ଯଦିଚ କେବେ ମନେପଡ଼ି ଯାଉଥିବ ତାର ହୃଦୟ ମନ୍ଥି ହୋଇଯାଉଥିବ ଓ ସେ ଏକ ଅହେତୁକ ଯନ୍ତ୍ରଣାରେ, ଅଭାବବୋଧରେ ଆଉଟି ହେଉଥିବ ଏବଂ ସେହି ଯନ୍ତ୍ରଣାରୁ ମୁକ୍ତିପାଇବା ପାଇଁ ତାର ସ୍ୱାମୀସହ ପାର୍ଟି, କ୍ଲବ ଆଟେଣ୍ଡ କରି ଡିସ୍କୋ ନାଚୁଥିବ, ପିକ୍‌ନିକ୍‌ ଯାଉଥିବ, ବା ଆଉକିଛି.....

 

କେବଳ ରୀତା କାହିଁକି ସବୁଝିଅ ଏମିତି ବାହା ହେଲାପରେ ନିଜର ପ୍ରେମିକାକୁ ଭୁଲିଯାଆନ୍ତି ଓ ଭୁଲିଯିବାକୁ ବାଧ୍ୟହୁଅନ୍ତି । କିଏ କହିପାରିବ ତାଙ୍କ ପତ୍ନୀର ସ୍ନିଗ୍‌ଧାପରି ଅତୀତରେ କେହି ପ୍ରେମିକ ନଥିଲେ ବୋଲି ? ହୁଏତ ସେ ଆଜି ରୀତାପରି ମଥାରେ ସିନ୍ଦୂର ଲଗାଇ, ହାତରେ ଶଙ୍ଖାପିନ୍ଧି, ସତୀପାଲଟି ଯାଇଛି ।

 

ବହୁତ ସମୟ ହୋଇଗଲାଣି । ମୁଁ ଏହାଭିତରେ ସ୍ନିଗ୍‌ଧାର ଅନୁରୋଧ ସମ୍ପୂର୍ଣ୍ଣଭାବେ ଭୁଲିଯାଇଛି । ଆଖି ଦୁଇଟା ମୁଦିହୋଇ ଆସୁଛି ଓ ମୁଁ ଅନୁଭବ କରୁଛି କାହାର ନରମହାତର ସ୍ପର୍ଶ-। କିଏ ? ରୀତା ! ନାଁ କଦାପି ରୀତା ନୁହେଁ, ସେ ଆଉ ମୋର ପ୍ରେମିକା ହୋଇ ନାହିଁ-। ମୁଁ ତାକୁନେଇ ଆଉ ସ୍ୱପ୍ନଦେଖୁନି, କବିତା ଲେଖୁନି, ସେ ବର୍ତ୍ତମାନ ଜୟନ୍ତ ପଟ୍ଟନାୟକଙ୍କର ସହଧର୍ମିଣୀ । ମୁଁ ଚେଷ୍ଟାକରୁଛି ଆଖିଖୋଲି ଦେଖିବାକୁ, ହେଲେ ଆଖିଖୋଲୁନି, ଖୁବ୍‌ କ୍ଳାନ୍ତ ଲାଗୁଛି ଯଦିଚ ମୁଁ ଅନୁଭବ କରିପାରୁଛି ସେ ମୋ ସାମ୍ନାରେ ବେପରୁଆ କାଇଦାରେ ଠିଆହୋଇ ହସିହସି ଗଡ଼ିଯାଉଛି ଓ ତା ଆଖିର ନୀରବ ଇଙ୍ଗିତରେ କହୁଛି, ‘‘ତୁମେ ଭାରି ବୋକା’’ ।

 

ମୁଁ ଆଶ୍ଚର୍ଯ୍ୟ ଓ ପ୍ରକୃତିସ୍ଥ ହୋଇ ଚାହୁଁଛି ସ୍ନିଗ୍‌ଧାର ନିଟୋଳ ଦେହକୁ, ଯେଉଁଠି ଖୁନ୍ଦିଖାନ୍ଦି ହୋଇ ହସିହସି ବେଦମ ହୋଇଯାଉଛି ଯୌବନ । ମୁଁ ଏବେ ମୋର ହଜିଲା ସ୍ମୃତିର କେତୋଟି ମୁହୂର୍ତ୍ତକୁ ଖୋଜିଆଣି କଲମଧରିଛି ଗପ ଲେଖିବାକୁ । ଚର୍‌ ଚର୍‌ର ଶବ୍ଦରେ ଶବ୍ଦମାନେ ଝଡ଼ି ପଡ଼ୁଛନ୍ତି । ପୃଷ୍ଠାପରେ ପୃଷ୍ଠା ଓଲଟୁଛି ।

 

ରାତିପ୍ରାୟ ଏଗାରଟା ହେଲାଣି, ମୋର ଗପ ଲେଖା ସରୁନି, ହଠାତ୍‌ କାହାର ହସରେ ଦୁହିଁ ହୋଇଯାଉଛି ଛାତି । ମୁଁ ଦେଖୁଛି ସ୍ନିଗ୍‌ଧା ବି ରୀତାପରି ମୋ ଆଗରେ ହସିହସି ବେଦମ ହୋଇଯାଉଛି । ଗପଟିଏ ଲେଖିବାକୁ ଅନୁରୋଧ କରୁଛି, ରାଧାମାଳତୀ ପରି ଦେହରେ ଜଡ଼େଇହୋଇ ଅନେକ ପ୍ରଶ୍ନ ପଚାରୁଛି, ଯଦିଚ ସବୁପ୍ରଶ୍ନର ଉତ୍ତରଦେବା ମୋ ପକ୍ଷେ ବା କାହାରିପକ୍ଷେ ସମ୍ଭବ ନୁହେ ।

 

ହଠାତ୍‌ ମୁଁ ଅନୁଭବ କରୁଛି, ମୋର ପାଦ ଝାଳେଇ ଯାଉଛି, ଛାତି ଥରୁଛି, ହାତରୁ କଲମ ଖସିପଡ଼ୁଛି । ମୁଁ ଉପରକୁ ଅନେଇବାକୁ ଚେଷ୍ଟାକରି ଦେଖୁଛି ସିଲିଂ ଫ୍ୟାନ୍‌ଟା ଫୁଲସ୍ପିଡ଼୍‌ରେ ଘୁରୁଛି ମୋର ମଥାଉପରେ । ଜଣାଯାଉଛି ସତେ ଯେମିତି ଆକାଶଟା ଲଦିହୋଇ ପଡ଼ିବ ମୋର ଛାତିରେ ।

Image

 

ଦୁର୍ଘଟଣା

 

ଖୁବ୍‌ ଜୋରରେ ଦଉଡ଼ୁଥିବା ମଣିଷଟି ଅଟକିଗଲା ଅକସ୍ମାତ । ଘଟିବାକୁ ନଥିବା ଆକସ୍ମିକ ଘଟଣାରେ ସେ ଦଣ୍ଡେ ଉପରକୁ ଚାହିଁଲା । ସୂର୍ଯ୍ୟ ମଥାଉପରୁ ଢଳି ପଡ଼ିଛନ୍ତି ପଶ୍ଚିମକୁ । କ୍ରମେ ନିସ୍ତେଜ ହୋଇଆସୁଛି ସ୍ନାୟୁ । ହାତ ଗୋଡ଼ ମୁହଁ ସବୁଠି ଅଟକି ଯାଇଛନ୍ତି ପ୍ରଶ୍ନବାଚୀମାନେ-। ଆମର ଦାବୀ ପୂରଣ ହେଉ, ଆମର ଦାବୀ ନ୍ୟାଯ୍ୟ ଦାବୀ ବୋଲି ଚିତ୍କାର କରୁଥିବା ମଣିଷମାନେ ନିର୍ବାକ ହୋଇ ପରସ୍ପରକୁ ଚାହୁଁଛନ୍ତି ଅସ୍ୱାଭାବିକ ଭାବେ । ସତେ ଯେମିତି ସେମାନେ ନିହାତି ନିରୀହ, ନିଃସହାୟ, ପଙ୍ଗୁ । କାହାକୁ କିଛି ଦେବାର ନାହିଁ କି କାହାଠୁ କିଛି ନେବାର ନାହିଁ ସେମାନଙ୍କର । ଲାଲ୍‌ ରଙ୍ଗର ବ୍ୟାନର୍‌ ଉପରୁ ଧଳା ଅକ୍ଷରଗୁଡ଼ିକ ପୋଛି ହୋଇଯାଉଛନ୍ତି ଆପେ ଆପେ । ଉପରକୁ ଉଠିଥିବା ବଦ୍ଧମୁଷ୍ଟି ଖସିଆସୁଛି ତଳକୁ ।

 

ଏମ୍ପ୍ଲୟମେଣ୍ଟ ଏକ୍‌ସଚେଞ୍ଚ ସାମ୍ନାରେ ଲାଇନ୍‌ ଲଗାଇଥିବା ବେକାର ବୋଲି କୁହାଯାଉଥିବା ଯୁବକମାନେ ଫେରିଆସୁଛନ୍ତି ଲାଇନ୍‌ରୁ । ବସ୍‌ ଉପରକୁ ଉଠିଥିବା ଯାତ୍ରୀମାନେ ଓହ୍ଲେଇ ଆସୁଛନ୍ତି ତଳକୁ । ଫାଇଲ୍‌ ଥୋଇ ଅଫିସ ଭିତରୁ ଫାଟକ ସାମ୍ନାକୁ ବାହାରି ଆସୁଛନ୍ତି ହାକିମ, କିରାଣୀ ଚପରାଶି ଓ ଅନ୍ୟମାନେ । ସ୍କୁଲ କଲେଜର ଝରକା କବାଟ ବନ୍ଦକରୁଛି ଚୌକିଦାର । କଲୋନୀର ସ୍ତ୍ରୀଲୋକମାନେ ନିଜ ନିଜ କ୍ୱାଟରରୁ ବାହାରିଆସି ରୁଣ୍ଡ ହୋଇଛନ୍ତି ପଦାରେ ଓ କେତେଜଣ ବାଲକୋନୀରେ ଥାଇଁ ଚାହିଁଛନ୍ତି ତଳକୁ ।

 

ସମୟ ୨ଘ. ୩୦ମି. । ଏହା ଭିତରେ ଅଟକିଯାଇଥିବା ମଣିଷଟି ଆଉ କେଇପାଦ ଆଗକୁ ଆସି କାନଡ଼େରୁଛି ଅଳ୍ପ ଦୂରରେ ଫୁସ୍‌ଫାସ୍‌ ଭୁଟ୍‌ଭାଟ୍‌ ହେଉଥିବା ଲୋକମାନଙ୍କ କଥାକୁ । ସମସ୍ତେ ଯେମିତି ବିସ୍ମୟାଭିଭୂତ ହୋଇ ପଡ଼ିଛନ୍ତି । ବିଚରା ଲୋକଟି ବିରକ୍ତ ହୋଇଯାଉଛି ମନେମନେ—‘‘ଏଗୁଡ଼ାକ ଫାଲ୍‌ତୁ ଲୋକ, କିଛି ଜାଣନ୍ତି ନାହିଁ ଏମାନେ; କିଛି ବୁଝନ୍ତିନାହିଁ ଏମାନେ-।’’ ଏମିତି ଏଡ଼େବଡ଼ ଘଟଣାଟେ ଘଟିଯାଇଛି ବୋଲି ପ୍ରତ୍ୟୟ ଆସୁନି ମନରେ । ସେ କେବଳ ଚାହୁଁଛି ସମସ୍ତଙ୍କୁ, ମାଟିକୁ, ଗୋଡ଼ିକୁ, ପାଣିକୁ, ପବନକୁ ।

 

ଓଠରେ ସିଗାରେଟ୍‌ ଖଣ୍ଡେ ଚାପିଧରି ଭୁସ୍‌ଭୁସ୍‌ ଧୂଆଁ ଛାଡ଼ୁଛି ଆକାଶକୁ । ଆକାଶଟା ପାଉଁଶିଆ ପଡ଼ିଆସୁଛି । ଖୁବ୍‌ ଅସହାୟ ଲାଗୁଛି ସବୁକିଛି । ସତରେ କଣ ଏମିତି ଘଟଣାଟିଏ ଘଟିଗଲା ଦୁର୍ଘଟଣା ହୋଇ । ସମୟ ଅପରାହ୍ନ ଚାରିଟା । ଆଖି ଆଗରେ ଟାଣି ହୋଇଯାଉଛି ବିରାଟ ଧୂସର ପରଦା । ସୂର୍ଯ୍ୟ ଖୁବ୍‌ ଅସହାୟ ହୋଇ ପଡ଼ିଛନ୍ତି । ଘୁମେଇ ପଡ଼ିଛନ୍ତି ସାମାନ୍ୟ ।

 

ଲୋକଟି ପୁଣି ଦଉଡ଼ିବାକୁ ଆରମ୍ଭ କରୁଛି, କିନ୍ତୁ ଅନୁଭବ କରୁଛି ଯେମିତି ସେ ଠିଆହୋଇଛି । ତା ପାଦତଳର ମାଟି ଦଉଡ଼ୁଛି ଅଣନିଶ୍ୱାସୀ ହୋଇ । ସେ ସମସ୍ତଙ୍କୁ ଜାବୋଡ଼ି ଧରିବାକୁ ଚାହୁଁ ଥିଲାବେଳେ ନିଃସହାୟ ହୋଇଯାଉଛି ଓ ଖଣ୍ଡଖଣ୍ଡ ମାଂସ ଝଡ଼ିପଡ଼ୁଛି ତା ଦେହରୁ, ଯେମିତି ସ୍ରୋତର ଆଘାତରେ ଖସିପଡ଼ୁଛି ନଈର ଅତଡ଼ା । ଭାରତବର୍ଷର ମାନଚିତ୍ରଟା ବିକଳାଙ୍ଗ ଦେଖାଯାଉଛି ଆଖି ଆଗରେ । ଚତୁର୍ଦିଗରୁ ଭିନ୍ଦ୍ରନ୍‌ୱାଲାମାନେ ରାଇଫଲ୍‌, ଷ୍ଟେନ୍‌ଗନ୍‌ ଧରି ମାଡ଼ି ଆସୁଛନ୍ତି । ଘରେ ପୁଅ ଜରରେ ପଡ଼ିଛି, ଔଷଧ ଆଣିଥାଆନ୍ତା । ହାତରେ ଖାଲି ବ୍ୟାଗ୍‌ଟା, ପରିବା ନେଇଥାନ୍ତା, ଏକାବେଳକେ ଭୁଲିଯାଇଛି । ସେ କିଛି ଭାବିପାରୁନି । ମନେପଡ଼ୁଛି ତା ସାମ୍ନାରେ ବୋଉର କାନ୍ଦୁରା ମୁହଁଟା । ବୋଉ-ଭାରତମାତା-ଏମିତି କେତେ କଣ ଭାବିଚାଲିଛି । ହଠାତ୍‌ ସେ ପ୍ରକୃତିସ୍ଥ ହୋଇ ଶୁଣୁଛି କେହି ଜଣେ କହୁଛି ଆଉ ଦଶମିନିଟ୍‌ । ସେ ନିଜ ହାତ ବନ୍ଧା ଘଣ୍ଟାକୁ ଚାହିଁ ଦେଖୁଛି ଘଣ୍ଟା କଣ୍ଟା ଛଅ ସାତ ମଝିରେ ଓ ମିନିଟ୍‌ କଣ୍ଟା ଦୁଇ ଉପରେ ଟିକ୍‌ ଟିକ୍‌ ଶବ୍ଦ କରୁଛି । ଖୁବ୍‌ ଭୟଙ୍କର ମନେହେଉଛି ଘଣ୍ଟାର ଶବ୍ଦ । ସେ ଯେମିତି ଏବେ ନୂଆକରି ଏ ଶବ୍ଦ ଶୁଣୁଛି ।

 

ସୂର୍ଯ୍ୟ ସଂପୂର୍ଣ୍ଣଭାବେ ଢଳି ପଡ଼ିଛନ୍ତି ପଶ୍ଚିମକୁ । ଆକାଶର ଗୋଟିଏ ପାଖ ଧୂସର ଓ ଅନ୍ୟପାଖଟି ଲାଲ ହୋଇ ମଳିଛା ପଡ଼ିଆସୁଛି । ମାଡ଼ି ଆସୁଛି ଝାପ୍‌ସା ଅନ୍ଧାର । ଦୋକାନ ବଜାର ବନ୍ଦ ହୋଇଗଲାଣି । ସମସ୍ତେ ସଂତ୍ରସ୍ତ ହୋଇ ବାହାରକୁ ଚାହିଁଛନ୍ତି । ଖୁବ୍‌ ଜୋରରେ ଦଉଡ଼ୁଥିବା ଲୋକଟି ବର୍ତ୍ତମାନ ନିଜ କ୍ୱାଟର ସାମ୍ନାରେ ଠିଆହୋଇ ଦେଖୁଛି ଡ୍ରଇଂରୁମ୍‌ରେ ଅସମ୍ଭବ ଭିଡ଼ । ପଡ଼ିଶା ଘରର ଛୁଆ ପିଲା ସ୍ତ୍ରୀଲୋକ କେତେଜଣ ବସିଛନ୍ତି ଟ୍ରାଞ୍ଜିଷ୍ଟରକୁ ଘେରି । କାହାରି ମୁହଁରେ କଥାନାହିଁ । କ’ଣ ଏମିତି ଘଟିଯାଇଛି ଯେ ? ସବୁ ମିଛ, ତୁଚ୍ଛା ମିଛ । ମନେ ମନେ ଲୋକଟି ବିରକ୍ତ ହୋଇ ଟ୍ରାଞ୍ଜିଷ୍ଟରର ଭଲ୍ୟୁମ୍‌ ବଢ଼େଇଦେଇ ନିର୍ବାକ୍‌ ହୋଇ ଶୁଣୁଛି—‘‘ଆମେ ଦୁଃଖର ସହିତ ଘୋଷଣା କରୁଛୁ ଯେ, ଆମର ପ୍ରିୟ ପ୍ରଧାନମନ୍ତ୍ରୀ ଶ୍ରୀମତୀ ଇନ୍ଦିରା ଗାନ୍ଧୀ ଆଉ ଇହ ଜଗତରେ ନାହାନ୍ତି ।’’

 

ହଠାତ୍‌ ଏକ ଅସହଣୀୟ ଶବ୍ଦକରି ଘର ଭିତରର ବଲ୍‌ବଟି ଲିଭିଯାଇଛି । ଚାରିଆଡ଼େ ଅନ୍ଧାର, ଦୁଃଖ, କୋହ, ଯନ୍ତ୍ରଣା–ସତୁରି କୋଟି ଭାରତୀୟଙ୍କ ଦୀର୍ଘଶ୍ୱାସ ।

Image

 

ଅନ୍ଧାର

 

କ୍ରମେ ଆକାଶଟା ଅନ୍ଧାର ହୋଇଆସୁଛି । ପରସ୍ତ ପରସ୍ତ କଳା ବୋଳି ହୋଇଯାଉଛି ଛାତିରେ, ସବୁକିଛି ଅସ୍ପଷ୍ଟରୁ ଅଦୃଶ୍ୟ ହୋଇଯାଉଛି । ଅଦୃଶ୍ୟ ହୋଇଯାଉଛି ଗଛ, ଲତା, ପାହାଡ଼, ଦୂର ଧାନ କିଆରୀ । ଦିନସାରା ଖଟିଖଟି ନିସ୍ତେଜ ହୋଇପଡ଼ୁଛି କେଉଁ କ୍ଳାନ୍ତ ଶ୍ରମିକର ସ୍ନାୟୁ । ଆଖିପତା ମୁଦି ହୋଇଆସୁଛି ।

 

ଅନେକ କ୍ଲାନ୍ତି, ଅନେକ ଅସହାୟତା ଭିତରେ ରାଧାମୋହନ ସ୍ୱପ୍ନ ଦେଖୁଛନ୍ତି, ଏ ପୃଥିବୀଟା ସମ୍ପୂର୍ଣ୍ଣ ବଦଳିଯାଇଛି । ଗଛଲତା, ଧାନକିଆରି, ନଈପଠା ସବୁଜ ହୋଇଉଠିଛି । ମନେହେଉଛି ସତେଯେମିତି ପତ୍ରରେ ପତ୍ରରେ ମୃଦୁ ସମୀରଣର ଆଘାତରେ ଲହଡ଼ି ମାରୁଛି ଜୀବନ । ସବୁ ମଣିଷ କର୍ମଚଞ୍ଚଳ ହୋଇଉଠିଛନ୍ତି । ଟଣା ଓଟରା ବାଦ-ବିସମ୍ୱାଦ ନାହିଁ । ପ୍ରତ୍ୟେକ ପ୍ରତ୍ୟେକକୁ ଆଲିଙ୍ଗନ କରୁଛନ୍ତି, କୋଳେଇ ନେଉଛନ୍ତି । ଅପସରି ଯାଉଛି ଅନ୍ଧାର । ସୂର୍ଯ୍ୟ ରୂପାକାତି ପରି ଚକ୍‌ଚକ୍‌ କରୁଛି । ପରିଷ୍କାର ଦେଖାଯାଉଛି ଆକାଶ ।

 

ରାଧାମୋହନଙ୍କ ଜୀବନରେ ଆଜି ଏ ସ୍ୱପ୍ନ ନୂଆନୁହେଁ । ସେ ଏମିତି ଅନେକ ସ୍ୱପ୍ନ ଦେଖିଛନ୍ତି, ଆତ୍ମହରା ହୋଇଛନ୍ତି । ଦିସ୍ତା ଦିସ୍ତା କାଗଜରେ ନିଜହାତରେ ଗ୍ରାଫ୍‌କାଟି ତାଙ୍କର ସ୍ୱପ୍ନିଳ ଚିନ୍ତାଧାରାକୁ ରୂପଦେବାକୁ ଘଣ୍ଟାଘଣ୍ଟା ଅନୁଶୀଳନ ଓ ବିଶ୍ଳେଷଣ କରିଛନ୍ତି; ହେଲେ ସବୁ ସ୍ୱପ୍ନ କଣ ସଫଳ ହୁଏ ?

 

ହଠାତ୍‌ ଚମକି ଉଠୁଛି ଛାତି । ନିଦଭାଙ୍ଗି ସେ ଅନୁଭବ କରୁଛନ୍ତି ନିର୍ମମ ଅନ୍ଧାର ବାରମ୍ୱାର ପିଟିହେଉଛି ତାଙ୍କ ଛାତିରେ । ଚତୁର୍ଦିଗରୁ ପାଖେଇ ଆସୁଛି ଭୋକିଲା ମଣିଷ ପିଲାର ବିକଳ କ୍ରନ୍ଦନ ଧ୍ୱନି, ଧର୍ଷିତା ଆକୁଳ ଆହ୍ୱାନ-ରକ୍ଷାକର, ରକ୍ଷାକର ।

 

କିଛି ଦେଖାଯାଉନି ଆଖିକୁ । ସେ ଅନ୍ଧଭଳି ଅସହାୟ ହୋଇପଡ଼ୁଛନ୍ତି ପ୍ରତି ମୁହୂର୍ତ୍ତରେ । ବାରମ୍ୱାର କଡ଼ ଲେଉଟେଇ ବିଛଣାରୁ ପ୍ରକୃତିକୁ ଦେଖିବାକୁ ଚେଷ୍ଟା କରୁଛନ୍ତି ।

 

ବାହାରେ ସାଇଁସାଇଁ ଗର୍ଜନ, ଝଡ଼ ତୋଫାନର ତାଣ୍ଡବ ନୃତ୍ୟ । ମନେହେଉଛି ଏ ରାତି ପାହିବନି । ଏ କାଳରାତ୍ରୀ । ଯନ୍ତ୍ରଣାର ରାତ୍ରୀ, ନିର୍ଯ୍ୟାତନାର ରାତ୍ରୀ, ଏ ରାତ୍ରୀରେ ଏମିତି ବହୁ ନିରୀହ ଭୋକିଲା ଶିଶୁ ଅନାହାରରେ ଚିତ୍କାର କରିବେ, ମୃତ୍ୟୁବରଣ କରିବେ, ବହୁ ନିରୀହା ଯୁବତୀ ଧର୍ଷିତା ହେବେ, ଅସାମାଜିକ ଉତ୍ସୃଙ୍ଖଳ ଯୁବକମାନଙ୍କ ପାଶବିକତାର ଶୀକାର ହେବେ ।

 

ନିଶା ଗର୍ଜୁଛି । ଆଖି ଖୋଲିବି କିଛି ଦେଖି ହେଉନି । ଚାରିଆଡ଼େ ବହଳ ଅନ୍ଧାରର ଭିଡ଼....ନିରୀହ, ନିସ୍ପେଷିତ, ନିର୍ଯ୍ୟାତିତ, ବୁଭୁକ୍ଷୁର କରୁଣ ଚିତ୍କାର । ଏ ଅନ୍ଧାରରୁ ମୁକ୍ତି ନାହିଁ । ମୁଣ୍ଡଟା ଭାରିଭାରି ଲାଗୁଛି । ବୋଧହୁଏ ଅନ୍ଧାରର ନିର୍ମମ ପାଦ ତାଙ୍କୁ ପାତାଳଗାମୀ କରିଦେବ । ସେ ସମ୍ପୂର୍ଣ୍ଣଭାବେ ଏ ଅନ୍ଧାରରେ ଅସ୍ପଷ୍ଟରୁ ଅଦୃଶ୍ୟ ହୋଇଯିବେ ।

 

ସ୍ୱାଧୀନତାର ସଇଁତିରିଶ ବର୍ଷପରେ ବି ଏ ଦେଶର ମଣିଷ ସ୍ୱାଧୀନତାକୁ ଉପଲବ୍‌ଧି କରିନି; ସ୍ୱାଧୀନତାର ମଧୁର ମୂର୍ଚ୍ଛନା ଶୁଣିନି । ତାର ୧୯୪୭ ଅଗଷ୍ଟ ପନ୍ଦର ପୂର୍ବର ଆଗ୍ରହ ଉତ୍କଣ୍ଠା ଜଡ଼ ପାଲଟିଯାଇଛି । ଏବେ ସେ ଦାରିଦ୍ର୍ୟର ଶୃଙ୍ଖଳ ପିନ୍ଧି ପଙ୍ଗୁ । ନିଜପାଇଁ ଓ ନିଜର ପିଲାଛୁଆଙ୍କ ପାଇଁ ପେଟପୁରା ମୁଠାଏ ଭାତ ଯୋଗାଡ଼ କରିହେଉନି, ବଢ଼ିଲା ଝିଅପାଇଁ ବରଟିଏ ଯୋଗାଡ଼ କରିହେଉନି । ମୁମୂର୍ଷୁ ମା ପାଇଁ ଔଷଧଟିକେ କିଣିହଉନି, ଆପଣାର ସ୍ତ୍ରୀକୁ ଲଜ୍ୟା ଘୋଡ଼େଇବାପାଇଁ ଲୁଗାଖଣ୍ଡିଏ ଦେଇହେଉନି ।

 

ସତାବନଟି ଗ୍ରୀଷ୍ମ, ବର୍ଷା, ଶରତ ଓ ବସନ୍ତ ସ୍ପର୍ଶକରି ରାଧାମୋହନ ଏହାଭିତରେ ବହୁକିଛି ହଜେଇ ଦେଇଥିବା ପରି ଅନ୍ୟମନସ୍କ ହୋଇପଡ଼ିଛନ୍ତି । କୌଣସି କାମରେ ଇଚ୍ଛାନାହିଁ, ସ୍ୱତସ୍ଫୁର୍ତ୍ତତା ନାହିଁ । ଖୁବ୍‌ ଅଳସ ଓ ଭାରିଭାରି ଲାଗୁଛି ଏ ସମାଜ, ଏ ସଭ୍ୟତା !

 

ସତରେ ଏ ସମାଜଟା ଅସ୍ପୃଶ୍ୟତା, ଆଧୁନିକତା, ଯୌତୁକ ଓ ରାଜନୈତିକ ସଂକୀର୍ଣ୍ଣତା ଭିତରେ ଅଥର୍ବ ହୋଇଯାଇଛି । ମଣିଷକୁ ପଶୁକରି ପକେଇଛି, ହିଂସ୍ର ଜାନୁଆର କରିତୋଳିଛି । ପାଦେ ଆଗକୁ ଗଲେ ଝୁଣ୍ଟି ପଡ଼ିବାର ଭୟ ?

 

କି ନିଃସ୍ୱ ଏ ମଣିଷ !

 

କେଡ଼େ ଅସହାୟ ତାର ଛାତି !

 

କି ଅଦ୍ଭୁତ ତାର ସ୍ୱପ୍ନ !

 

ଏବେ ସ୍ପଷ୍ଟ ଶୁଭୁଛି ୧୩ ଜଣ ନିରୀହ ବୁର୍ଲା ଇଞ୍ଜିନିୟରିଂ କଲେଜ ଛାତ୍ରଙ୍କ କରୁଣ ଚିତ୍କାର । ଓଃ ! କି ମର୍ମନ୍ତୁଦ ଜଘନ୍ୟ ବେପାର, ଆକସ୍ମିକ ବିଷ୍ଫୋରଣ, ଆନ୍ଦୋଳିତ ହେଉଛି ସମଗ୍ର ଆକାଶ । ମାଟି ଗୋଡ଼ି, ପାଣି, ପବନ ସମସ୍ତେ ଚିତ୍କାର କରୁଛନ୍ତି, ଛଟପଟ ହେଉଛନ୍ତି; ଦୁଃଖର କଡ଼େଇରେ ସନ୍ତୁଳି ହେଉଛନ୍ତି ବାରମ୍ୱାର ।

ଭୟଙ୍କର ଗର୍ଜନ କରୁଛନ୍ତି ବୈତରଣୀ ଏବଂ ବଂଶଧାରା । କିଏ ଜାଣେ କେତେବେଳେ କେଉଁ ମୁହୂର୍ତ୍ତରେ ଏମାନେ କୂଳ ଲଙ୍ଘନ କରିବେ ।

ରାତି ପାହିବାକୁ ଅନେକ ଡେରି । ଖୁବ୍‌ ଭୟଙ୍କର ଲାଗୁଛି ଅନ୍ଧାର । ପେଚାଟା ଆମ୍ୱଡ଼ାଳରେ ବସି ଅଶୁଭ ସୂଚନା ଦେଉଛି । ଦୂର କିଆବୁଦା ତଳୁ ଶୁଭୁଛି କୋକିଶିଆଳମାନଙ୍କର ହୁକେ-ହୋ ଶବ୍ଦ ।

ଯେତେବେଳେ ଜନ୍ମଭୂମିକୁ ସ୍ୱାଧୀନ କରିବା ପାଇଁ ମହାତ୍ମାଗାନ୍ଧୀଙ୍କ ନେତୃତ୍ୱରେ ସଂଗ୍ରାମ ଚାଲିଥିଲା ସେତେବେଳେ କି ଉତ୍କଣ୍ଠା, କି ଉତ୍ସାହ, କି ଉଦ୍ୟମ ନଥିଲା ସେ ସମୟର ତଥାକଥିତ ତରୁଣମାନଙ୍କର ! ସେତେବେଳେ ସେମାନେ କଣ ଏମିତି ଏକ ଭାରତବର୍ଷ ଲୋଡ଼ିଥିଲେ ? ପୋଲିସର ଲାଠି ବନ୍ଧୁକକୁ ବେଖାତିର କରି ତାଙ୍କର ଅନୁଗାମୀମାନେ କଣ ଏଇଥିପାଇଁ ପ୍ରାଣବଳି ଦେଇଥିଲେ ! ଜାତିର ପିତା କଣ ଏମିତି ଏକ ସ୍ୱାଧୀନ ଭାରତ ପାଇଁ ଆଣ୍ଠୁ ନ ଲୁଚା ଲୁଗା ପିନ୍ଧି ସମଗ୍ର ଦେଶରେ ବୁଲିବୁଲି ଜାତୀୟତାର ଅଗ୍ନି ଜଳେଇଥିଲେ ! ଉତ୍କଳଗୌରବ ମଧୁସୂଦନ କଣ ଏହିଭଳି ଏକ ପଙ୍ଗୁ ସମାଜ ଗଠନ ପାଇଁ ଉତ୍କଳ ସମ୍ମେଳନ ଗଢ଼ିଥିଲେ !

ସେ ଠିକ୍‌ ମନେ ପକେଇ ପାରୁଛନ୍ତି ଯେତେବେଳେ ଏ ଦେଶର ତ୍ରିରଙ୍ଗ ପତାକା ଆକାଶ ଛୁଇଁ ପ୍ରଥମ ସୂର୍ଯ୍ୟ ଦେଖିଲା ସେତେବେଳେ କି ଉଲ୍ଲାସ ଖେଳି ଯାଇ ନ ଥିଲା ଦେଶବାସୀଙ୍କଠି ! କିନ୍ତୁ ଆଜି ଅଗଷ୍ଟ ୧୪, ଉଣେଇଶ-ଚଉରାଶି-ଓଡ଼ିଶା ବନ୍ଦ କି ଧୋକ୍‌କା ନ ଦେଇଛି ଏ ଦେଶର ମଣିଷକୁ । ଛଅ ଛଅଟା ଅମୂଲ୍ୟ ଜୀବନର ଅବସାନ । ସରକାରଙ୍କ ରାଜକୋଷରୁ ଲକ୍ଷ ଲକ୍ଷ ଟଙ୍କାର ଅପବ୍ୟୟ । ରାଜନୈତିକ ନେତାମାନଙ୍କ ମଧ୍ୟରେ ବାଦାନୁବାଦ, ଛକାପଞ୍ଝା ଖୁବ୍‌ ଯନ୍ତ୍ରଣାଦାୟକ ମନେହେଉଛି ରାଧାମୋହନଙ୍କୁ । ଆଖିରେ ଲୁହ ଜକେଇ ଆସୁଛି । ବୋଧହୁଏ ସେ ଆଉ ମୁହୂର୍ତ୍ତେ ବି ଶାନ୍ତିରେ ନିଃଶ୍ୱାସ ମାରି ପାରିବେ ନାହିଁ । ଏ ଦେଶ ସବୁଦିନ ପାଇଁ ଅନ୍ଧକାର ଭିତରେ ଲୁଚିଯିବ । ଏ ଜାତି ଧ୍ୱଂସର କରାଳ ହାତରେ ନିଃଶେଷ ହୋଇଯିବ ।

ଆଖି ମୁଦି ହୋଇ ଆସୁଛି । ଅନ୍ଧକାରର ଘନତ୍ୱ ବଢ଼ିଯାଇଛି ଅନେକ ଓ କ୍ରମେ ନୂଆ ସକାଳର ସୂଚନା ମିଳୁଛି । ଦୂର କିଆଗୋହିରୀ ଉହାଡ଼ରୁ କୋକିଶିଆଳମାନେ ପାହାନ୍ତାର ସୂଚନା ଦେଉଛନ୍ତି । ରାଧାମୋହନ ସ୍ୱପ୍ନ ଦେଖୁଛନ୍ତି ଏ ଭାରତବର୍ଷ ସୁନାର ଭାରତବର୍ଷ ପାଲଟିଯାଇଛି । ନିର୍ଯ୍ୟାତନା ଓ ଅତ୍ୟାଚାରର ପ୍ରଶ୍ନ ନାହିଁ । ସମସ୍ତେ ପରସ୍ପର ପ୍ରତି ରାଗ, ଅହଂ ଓ ଅଭିମାନ ଭୁଲିଯାଇଛନ୍ତି । କାହାରି ଦୁଃଖ ନାହିଁ, କାହାରି ଯନ୍ତ୍ରଣା ନାହିଁ, ଏ ଶସ୍ୟଶ୍ୟାମଳା ସୁଜଳା ସୁଫଳା ଭାରତବର୍ଷରେ । ଏ ଭାରତବର୍ଷ ପୁଣ୍ୟ ପବିତ୍ରଭୂମି ପାଲଟିଯାଇଛି । ତାଙ୍କର ସ୍ୱାଧୀନତା ସମୟର ସ୍ୱପ୍ନ ସାର୍ଥକ ହୋଇଛି ।

ରାତି ପାହିବାକୁ ମାତ୍ର ଆଉ ଅଳ୍ପ କେଇଘଣ୍ଟା ବାକି ଅଛି । ଅନ୍ଧାର ଅପସରି ଯାଉଛି । ଆଉ ଭୟ ନାହିଁ, ଶଙ୍କା ନାହିଁ । ରାତି ପାହିବା, ନୂତନ ସକାଳର ସୂର୍ଯ୍ୟାଲୋକରେ ଏ ପୃଥିବୀ ଉଦ୍‌ଭାସିତ ହେବ ।

ପୂର୍ବାକାଶ ଲାଲ ପଡ଼ି ଆସିଲାଣି । ସିନ୍ଦୁରା ଫାଟୁଛି, ସୂର୍ଯ୍ୟ ପୂର୍ବାକାଶରେ ଦିଗ୍‌ବଳୟ ତଳୁ ମୁରୁକି ହସୁଛନ୍ତି । ପାଖ ସରୋବର ତୀରରୁ ବାରମ୍ୱାର ଉଚ୍ଚାରିତ ହେଉଛି କେହି ଜଣେ ନୈଷ୍ଠିକ ବ୍ରାହ୍ମଣର ମନ୍ତ୍ରଧ୍ୱନି—

ଜବା କୁସୁମଂ ସଂକାଶଂ

କାଶ୍ୟପେୟଂ ମହାଦ୍ୟୁତିମ୍‌

ଧ୍ୱନ୍ତ୍ୱାରିଂ ସର୍ବ ପାପଘ୍ନ

ପ୍ରଣତୋସ୍ମି ଦିବାକରଃ ।

 

ରାତି ପାହି ଯାଇଛି । ଅନ୍ଧାର ଅପସରି ଯାଇଛି ସମ୍ପୂର୍ଣ୍ଣଭାବେ । ରାଧାମୋହନ ପରିଷ୍କାର ଦେଖୁଛନ୍ତି ଭାରତବର୍ଷକୁ; ଯେକି ଏକ ଜୀର୍ଣ୍ଣ ମଳିନ ଲୁଗା ପିନ୍ଧି ତାଙ୍କ ସାମ୍ନାରେ ଅଶ୍ରୁ ବିସର୍ଜନ କରି କହୁଛି :

 

—ଏ କଣ ହେଲା ରାଧାମୋହନ !

 

—ଏ ଦୁଃଖର କଣ ଶେଷ ନାହିଁ ?

 

—ଏ ନିର୍ଯ୍ୟାତନାର କଣ ଶେଷ ନାହିଁ ?

 

—ଏ ଯନ୍ତ୍ରଣାର କଣ ଶେଷ ନାହିଁ ?

 

ବୃଦ୍ଧ ରାଧାମୋହନଙ୍କ ଆଖିରୁ ନିଗିଡ଼ି ପଡ଼ୁଛି ଲୁହ । ସେ ବାରମ୍ୱାର ଦୀର୍ଘଶ୍ୱାସ ନେଇ ରାଜପଥକୁ ଚାହୁଁଛନ୍ତି । ଖବର କାଗଜ ବିକାଳି ସାଇକେଲର ପଛପାଖେ ଖବର କାଗଜ ଲଦି ଡାକି ଡାକି ଯାଉଛି—

 

ପଢ଼ନ୍ତୁ ତାଜା ଖବର :

 

—ଏକା ରାତିକେ ଛଅଟି ସ୍ଥାନରେ ହତ୍ୟାକାଣ୍ଡ !

 

—ଦାଦନ ଶ୍ରମିକଙ୍କ ଅଶ୍ରୁଳ କାହାଣୀ !

 

—ବୁର୍ଲାରେ ଐତିହାସିକ ଛାତ୍ରମେଧ ଯଜ୍ଞ !

 

—ପୁରୁଖା ନେତାଙ୍କର ଦଳ ବଦଳ !

 

—ବୈତରଣୀ ବିପଦ ସଙ୍କେତ ଟପିଲା ।

Image

 

ଗୋଟିଏ ପୂର୍ଣ୍ଣାଙ୍ଗ କାହାଣୀର କିୟଦଂଶ

 

ଶଙ୍କର ୟା ଭିତରେ ଚାରିପାଞ୍ଚଥର ଏକାଉଣ୍ଟ ସେକ୍‌ସନରୁ ବୁଲି ଆସିଲାଣି । ଏକତିରିଶି ତାରିଖ, ଦରମା ମିଳିବ । ବିଲ୍‌ ଟ୍ରେଜେରିକୁ ଯାଇଛି । ଘଣ୍ଟାରେ ଅପରାହ୍ନ ଚାରିଟା । ଆଉ ଘଣ୍ଟାଏ ପରେ ଅଫିସ୍‌ ଛୁଟିହେବ । ୟାରି ଭିତରେ ପଇସା ଆସିଗଲେ ଦରମାଟା ମିଳିଯାଆନ୍ତା ।

 

କିରାଣୀ ପିଅନ ପ୍ରଭୁତି ଅଳ୍ପ ପଇସା ପାଉଥିବା ସରକାରୀ ବେସରକାରୀ କର୍ମଚାରୀଙ୍କ ଅବସ୍ଥା ନ କହିଲେ ଭଲ । କାରଣ ପ୍ରାୟ ମାସର ପନ୍ଦର ତାରିଖ ପରଠୁ ପର ଓ ପୂର୍ବମାସର ଆୟବ୍ୟୟ ଖର୍ଚ୍ଚ ନିୟମିତଭାବେ ମନକୁମନ ବା ଆତ୍ମୀୟଙ୍କ ପାଖରେ ହିସାବ କରିବା ଆପେଆପେ କର୍ମସୂଚୀ ଭିତରେ ଯୋଖି ହୋଇଯାଏ । ଆବଶ୍ୟକତାର ଜଞ୍ଜାଳ ସାମୁଦ୍ରିକ ଅକ୍ଟୋପାସ୍‌ ପରି ଷଣ୍ଢୁଆସି ଆକ୍ରମଣ ଆରମ୍ଭ କରିଦିଏ । ଆଜି ତେଲ ନାହିଁ କି କାଲି ଲୁଣନାହିଁ, ଆଜି ୟା ପାଇଁ ଔଷଧ ନାହିଁ ତ ତାର ଲୁଗାନାହିଁ, ବଡ଼ପୁଅର ପଢ଼ାପାଇଁ କାଳି କଲମ କାଗଜ ଦରକାର ତ କୋଉ ଝିଅର ସାଗୁ, ବାର୍ଲି ଦରକାର ।

 

ଏବେ ଏମିତି ଶଙ୍କର ବହୁ ଆବଶ୍ୟକତାର ଘୋଡ଼ଣିରେ ଚାପିହୋଇ ଅନୁଭବ କରୁଛି ଈଶ୍ୱରଙ୍କ ତୃତୀୟ ପାଦରେ ବଳିରାଜାର ପାତାଳୀ ହେବାର ଯନ୍ତ୍ରଣା । ତଥାପି ତାର ହୃଦୟ କଇଁଛପରି ବାରମ୍ୱାର ସମୟ ଉଣ୍ଡି ବୁଝିବାକୁ ଚେଷ୍ଟାକରୁଛି ତାର ଚର୍ତୁପାଶ୍ୱର ପରିସ୍ଥିତିକୁ । ତା ହୃଦୟର ଜୀବନଜୀଜ୍ଞାସା ଭିତରେ ଅନୁଭବର ପରୀକ୍ଷାଗାରରେ ସେ ବିଶ୍ଳେଷଣ କରୁଛି ବିଶ୍ୱାସ ଓ ଅବିଶ୍ୱାସର ମେଞ୍ଚାମେଞ୍ଚା ଅତିକ୍ରାନ୍ତ ସ୍ମୃତିର ବାଲ୍ୟ, କୈଶୋର ଓ ଯୌବନର ଛବିକୁ ।

 

ବାଲ୍ୟ, କି ସୁନ୍ଦର ଅନୁଭବ । ଅଜ୍ଞ ବାଳୁତ ପୁଅର ମାଆକୋଳରେ ଜହ୍ନକୁ ଦେଖିବା, ଭଗବାନ କିଏ ଓ ତାଙ୍କର ଘର କେଉଁଠି ପଚାରି ବାପାଙ୍କୁ ଅସ୍ତବ୍ୟସ୍ତ କରିବା, ନଖାଇବା ପାଇଁ ଜିଦ୍‌କରି ଧୂଳିରେ ଗଡ଼ିବାର ସ୍ମୃତି ମନେପଡ଼ୁଛି ଶଙ୍କରର । ଇଚ୍ଛାହେଉଛି ବର୍ତ୍ତମାନ ସେ ଛୋଟିଆ ପିଲାଟେ ହୋଇଯାଆନ୍ତା କି, ଗାଁ ଦାଣ୍ଡ ଧୂଳିରେ ଗଡ଼ିଯାଆନ୍ତା ଦୁଇଥର । ଦରୋଟି ପାଟିରେ ଜଣଜଣକୁ ପଚାରି ଆସନ୍ତା ଦୁଃଖର କାରଣ କଣ ହୋଇପାରେ । ହୁଏତ କେହି କେହି ବୁଦ୍ଧଙ୍କର ବାଣୀ କାମନାର ବିନାଶରେ ଦୁଃଖର ବିନାଶକୁ ବୁଝେଇବାକୁ ସରଳଭାବରେ ଚେଷ୍ଟାକରି ବତେଇ ଦିଅନ୍ତେ ଆନନ୍ଦ ପାଇବାର ଜ୍ୟାମିତିକ ସୂତ୍ରଟିକୁ । ନଚେତ୍‌ ସେ ବାର ତେର ବର୍ଷର କିଶୋରଟିଏ ହୋଇଯାଆନ୍ତାକି ମାଆକୁ ଜହ୍ନଦେଖାଇବାକୁ ଅଳି କରିବା ପରିବର୍ତ୍ତେ ଦଉଡ଼ିଯାଆନ୍ତା ନଈକୂଳକୁ । ନଈର ସୁଅରେ ପହଁରି ପହଁରି ଆବିଷ୍କାର କରନ୍ତା ଏ ସଂସାର ସମୁଦ୍ରକୁ ଅକ୍ଳେଶରେ ପାରିହେବାର ସାଙ୍କେତିକ ପ୍ରଣାଳୀ; ନଚେତ୍‌ ଲୁଚିଲୁଚି ବାବୁଘର ପିଜୁଳି ଗଛରେ ଚଢ଼ି ଅଭ୍ୟାସ କରନ୍ତା ଦୁର୍ଗମ ପାହାଡ଼ ଚଢ଼ି ଲକ୍ଷ୍ୟସ୍ଥଳରେ ପହଞ୍ଚିବାର ଉପାୟକୁ ବା ଗାଁ ମୁଣ୍ଡ ପଡ଼ିଆରେ ବାଗୁଡ଼ିଖେଳି ଆୟତ୍ତ କରନ୍ତା ଏ ପ୍ରତିଦ୍ୱନ୍ଦିତାପୂର୍ଣ୍ଣ ସମାଜରେ ବଞ୍ଚିବାର ବାଗୁଡ଼ି ଖେଳକୁ !

 

ନାଁ ଏହା କେବେ ବି ସମ୍ଭବ ନୁହେଁ । ସେ ଏତେଗୁଡ଼ାଏ ସମୟର ବ୍ୟବଧାନକୁ କେବେହେଲେ ଓଲଟା ଅତିକ୍ରମ କରି ପହଞ୍ଚି ପାରିବ ନାହିଁ ବାଲ୍ୟ ବା କୈଶୋରରେ । ତେବେ ସେ ଇଶ୍ୱରଙ୍କ କୃପାରୁ ଯଦି ଫେରିଯାଇ ପାରନ୍ତା ତା ଜୀବନର ମାତ୍ର ଛଅ ସାତ ବର୍ଷର ଅତୀତକୁ ତେବେ ସଙ୍ଗେସଙ୍ଗେ ପାଖ ସହର, ସିନେମାହଲ ଓ ପାର୍କଆଡ଼ୁ ଦୁଇଚାରିଥର ସାଇକେଲରେ ଚକରକାଟି ଆସନ୍ତା । ବୋଉକୁ ଧମକଦେଇ କିଛି ପଇସା ନେଉନେଉ ଭଲଭାବରେ ବୁଝିଯାଆନ୍ତା ବ୍ଲାକ ମାର୍କେଟିଂ, ଚାନ୍ଦା ଆଦାୟ ପ୍ରଭୂତି ରୋଜଗାର କରି ପୁଞ୍ଜିବଢ଼ାଇବାର ଫର୍ମୂଲାକୁ, ରାସ୍ତାକଡ଼ରେ ଝିଅକୁ କମେଣ୍ଟ୍‌ମାରି ଜାଣିଯାଆନ୍ତା କେମିତି ଫସେଇନେଇ ଝିଅକୁ ଉପଭୋଗ କରାଯାଏ ।

 

ସତରେ ଭାରି ଦୁଃଖ ଲାଗୁଛି ଆଜି । ସେ କିଛିବି କରିପାରିଲାନି ଜୀବନରେ ।

 

ଏଥର ହାତବନ୍ଧା ଘଡ଼ିକୁ ଚାହିଁଲା ଶଙ୍କର । ପାଖ ସେକ୍‌ସନ୍‌ର ସ୍ୱାଇଁବାବୁଙ୍କୁ ପଚାରିଲା, ଦରମା ଆସିଲାକି ନାହିଁ । ହେଲେ ଉତ୍ତରରେ ଦରମା ଏପର୍ଯ୍ୟନ୍ତ ଆସିନଥିବାର ସମ୍ୱାଦଟା ପାଇ ମୁହଁଟା ଶୁଖିଗଲା ଅଳ୍ପ ନିଆଁରେ ଭଲଭାବରେ ପୋଡ଼ି ହୋଇନଥିବାର କଇଁଥା ବାଇଗଣ ପରି ।

 

ଘରେ ବୋଉକୁ ଭୀଷଣ ଜର, ଆଖି ଖୋଲୁନି । ସକାଳୁ ଡାକ୍ତରଙ୍କୁ କେତେ ନେହୁରା ହୋଇ ସଂଧ୍ୟାରେ ଫିସ୍‌ଦେବାକୁ କହି ଡାକି ଆଣିଥିଲା । ଡାକ୍ତରଙ୍କ ପ୍ରେସ୍‌କ୍ରିପସନଟା ପଡ଼ିଛି ଛାତି ପକେଟ୍‌ରେ । ଦରମା ମିଳିଥିଲେ ତ୍ରିପାଠୀ ମେଡ଼ିକାଲ ଷ୍ଟୋରରୁ ଔଷଧ ନେଇ ଥାଆନ୍ତା, ଡାକ୍ତରକୁ ଫିସ୍‌ ଦେଇଥାନ୍ତା ଓ ବୋଉପାଇଁ କିଛି ଫଳମୂଳ ଆଣିଥାଆନ୍ତା । ହେଲେ ଏ ପର୍ଯ୍ୟନ୍ତ ଦରମା ଆସିଲାନାହିଁ । କ୍ରମେ ଛାତି ପକେଟ୍‌ରେ ପ୍ରେସ୍‌କ୍ରିପ୍‌ସନଟା ଗରମ ଲାଗୁଛି ଛାତିକୁ । ଜଣାଯାଉଛି ଆଉ ଅଳ୍ପ ସମୟପରେ ତା ଛାତିଟା ପ୍ରେସ୍‌କ୍ରିପ୍‌ସନର ନିଆଁରେ ଜଳିଉଠିବ ! ଓଃ.......

 

ସାର୍ଟ ପକେଟରୁ ପ୍ରେସ୍‌କ୍ରିପ୍‌ସନ୍‌ଟା ବାହାର କଲା ଶଙ୍କର, ନାଁ, ଠିକ୍‌ ଅଛି । ଡାକ୍ତରଙ୍କ ଅକ୍ଷରଗୁଡ଼ିକ ଜାଲଜାଲିଆ ଦିଶୁଛି ଆଖିକୁ । ଆଖିଟା ବି ଜଳିଉଠୁଛି, ମୁଣ୍ଡଟା ଭାରିଭାରି ଲାଗୁଛି । କାମକରିବାକୁ ହାତଚାଲୁନି । ବୋଉର ମମତାମୟୀ ମୁହଁଟା ବାରମ୍ୱାର ଆଖିଆଗକୁ ଆସି ଅନଉଛି ତାର ମୁହଁକୁ ଓ ଦୁଇଟି ଆଖିର କରୁଣତାରେ କହୁଛି—‘‘ଶଙ୍କର, ମୁଁ ଆଉ ବଞ୍ଚିବି ନାହିଁ ।’’

 

କ୍ରମେ ଅନ୍ଧାର ମାଡ଼ି ଆସୁଛି ଆଖିରେ । ପାଞ୍ଚଟା କୋଡ଼ିଏ ହେଲାଣି, ଅଫିସ୍‌ର ମାତ୍ର ଦୁଇତିନି ଜଣକୁ ଛାଡ଼ିଦେଲେ ସମସ୍ତେ ଚାଲିଗଲେଣି କେତେବେଳୁ । ହେଲେ ଶଙ୍କର ଅପେକ୍ଷା କରିଛି ମାସଶେଷର ଦରମାକୁ । ଏହା ଭିତରେ ବଡ଼ପୁଅ ଟୁଲୁ ଆସିଥିଲା କହିବାକୁ ‘‘ଆଈ କଥା କହିପାରୁନି, ପାଟି ଖନି ବାଜିଲାଣି । ତୁମେ ଶୀଘ୍ର ଔଷଧ ନେଇ ଆସ, ବୋଉ ଡାକୁଛି ।’’

 

ପାଖରେ ପଇସାଟିଏ ନାହିଁ । ଦରମା କେଇଟା ମାସଶେଷରେ ପାଇ ଘରେ ପହଞ୍ଚୁ ପହଞ୍ଚୁ ହାତ ଖାଲି; ଦୁନିଆସାରା କ୍ଷୀରବାଲାଠୁ ଆରମ୍ଭକରି ତେଜରାତି ଦୋକାନଯାଏଁ ଧାର୍‌ । ଏ ମାସରେ ଟୁଲୁର ଦରମା ଦିଆହୋଇ ପାରିନି, ନାଁ କଟି ଯାଇଛି । ଏଥିରେ ବୋଉର ଏପରି ଅବସ୍ଥା-। କାହାକୁ ହାତ ପାତିବ ଏବେ । ପଡ଼ିଶାଘର ସାନବୋହୂଠୁ ମିନତୀ ଚାରିପାଞ୍ଚ ମାସହେଲା କେତେଟଙ୍କା ଧାର ଆଣିଥିଲା, ଏ ପର୍ଯ୍ୟନ୍ତ ଦିଆହୋଇନି ।

 

କିଏ ତାକୁ ଖାଲିହାତରେ ଔଷଧଦେବ ତା ବୋଉ ପାଇଁ । ତା ବୋଉ ସିନା ଔଷଧଦୋକାନୀର ବୋଉ ହୋଇଥିଲେ ଏତେ ଚିନ୍ତା କରିବାକୁ ପଡ଼ନ୍ତାନାହିଁ । ଦୋକାନୀଟି ନିଜେ ଔଷଧ ଆଣି ଖୁଆଇଦିଅନ୍ତା ବୋଉକୁ ଓ ବୋଉ ସାଙ୍ଗେ ସାଙ୍ଗେ ଭଲହୋଇଯାଆନ୍ତା । ରୋଗ ବିଛଣାରୁ ଉଠି ତା ପାଇଁ ମୁଢ଼ି ଭାଜନ୍ତା, ନଡ଼ିଆ ଭାଙ୍ଗି, ସୋରିଷତେଲ ମୁଢ଼ିରେ ଗୋଳେଇ ଜବରଦସ୍ତି କରନ୍ତା ଖାଇବାକୁ । ହେଲେ........

 

ସତରେ କେଡ଼େ ଅସହାୟ ଏ କିରାଣୀ, ପିଅନଙ୍କର ବୋଉଗୁଡ଼ାକ; ପୁଅଗୁଡ଼ାକ । ପୁଅମାନେ ଔଷଧପାନେ କିଣି ଦେଇ ପାରିବେ ନାହିଁ ଭଲ ମନ୍ଦରେ । ନିଜର ସ୍ତ୍ରୀକୁ ଭଲ ଶାଢ଼ି ଖଣ୍ଡେ କିଣି ଦେଇ ପାରିବେ ନାହିଁ, ପିଲାମାନଙ୍କୁ ଭଲରେ ପେଟପୁରା ମୁଠାଏ ଖାଇବାକୁ ଦେଇ ପାରିବେ ନାହିଁ । ସବୁବେଳେ ଅଭାବ ଆଉ ଅଭାବ । ବାରବ୍ରତ, ପୁନେଇଁ ପର୍ବ ହେଲେ କାହାର ମୁହଁ ଏଣିକି ତ, କାହାର ମୁହଁ ତେଣିକି । ଏଡ଼େବଡ଼ ରଜଟା ଗଲା, ପିଲାଙ୍କ ମୁହଁରେ ପିଠାଖଣ୍ଡେ ବି ବାଜିଲାନି । ବଡ଼ପୁଅର ଜାମା ପ୍ୟାଣ୍ଟ ନାହିଁ । ବର୍ଷକ ତଳେ ତା ମାମୁଁଘର ହଳେ ଦେଇଥିଲେ; ଚିରିଗଲାଣି ।

 

ବୋଉ କହେ ଭଗବାନ ହିଁ ବଡ଼ଲୋକ । ତାଙ୍କରି ଇଚ୍ଛାରେ ସୃଷ୍ଟି ପରିଚାଳିତ ହୁଏ । ଲକ୍ଷ୍ମୀ ଅନ୍ନଦାତ୍ରୀ । ସେ ସମସ୍ତଙ୍କୁ ପଡ଼ିଦିଅନ୍ତି । ହେଲେ କଣ ଅପରାଧ ତାଙ୍କର, ବୋଉର ଏପରି ଅବସ୍ଥାରେ ଔଷଧ ଟିକେ ବି ଦେଇ ପାରୁନି । ସେ ତ କିଛି ଅନ୍ୟାୟ କରିନି ଈଶ୍ୱରଙ୍କ ପାଖରେ । ବରଂ ପ୍ରତିଦିନ ସଂଧ୍ୟାରେ ଠାକୁରଘରେ ମୁଣ୍ଡିଆ ମାରିଛି, ହେ ଈଶ୍ୱର, ମତେ ଉଦ୍ଧାର କର । ମିନତୀ ବି ସକାଳେ ସଞ୍ଜେ ସଞ୍ଜବତୀ ଜାଳିଛି ବୃନ୍ଦାବତୀଙ୍କ ପାଖରେ । ବାରବ୍ରତ ଉପବାସ କରି ଗୁହାରି କରିଛି ଭଗବାନଙ୍କୁ ଏପରି ଦୁଃଖରୁ ଉଦ୍ଧାର କରିବା ପାଇଁ । ମାତ୍ର କଣ ହେଲା ତାର । ଭଗବାନ ଥରେବି ତ ଶୁଣିଲେନି ତାର ଗୁହାରି ।

 

ସମସ୍ତେ କହନ୍ତି ସୁକୃତ ଥିଲେ ପୁଅ ବାପା ମାଆଙ୍କର ହାଡ଼ ଗଙ୍ଗାରେ ନେଇ ପକାଏ । ସେ ତ ଔଷଧଟିକେ ଦେଇପାରୁନି ବୋଉକୁ, ଗଙ୍ଗାରେ ହାଡ଼ ପକାଇବା କଥା ଛାଡ଼ ।

 

ଏମିତି ଭାବିବାରେ ଲାଗିଛି ଶଙ୍କର । ସେ ବାରମ୍ୱାର ଭାବୁଛି ଓ ଏହି ଭାବିବା ଭିତରେ ସେ ତାର ଅତୀତ ଓ ବର୍ତ୍ତମାନର ସ୍ମୃତିକୁ ଅନ୍ୱେଷଣ କରି ଅପେକ୍ଷା କରିଛି ମାସଶେଷର ଦରମାକୁ-। ସଂଧ୍ୟା ଛଅଟା ହେଲାଣି । ଶୁନ୍‌ଶାନ୍‌ ଜଣାପଡ଼ୁଛି ଏତେ ବଡ଼ ଅଫିସଟା । ବାହାରୁ କିଏ ଜଣେ କହିବାର ଶୁଣାଯାଉଛି, ଆଜି ବିଲ୍‌ ପାଶ୍‌ ହୋଇ ପାରିଲାନାହିଁ । ଆସନ୍ତା କାଲି ରବିବାର ଛୁଟି-। ସୋମବାରକୁ ପୁଣି ବିଲ୍‌ କରେକ୍‌ସନ୍‌ ହୋଇଗଲେ ଯାହା ହେବ ।

 

ହଠାତ୍‌ ବଜ୍ର ପଡ଼ିଲା ମୁଣ୍ଡରେ । ସେ ଆଉ କିଛି ଭାବିପାରୁନି ଏଥର । ସିଟ୍‌ ଉପରୁ ଉଠି ଘରମୁହା ଧାଉଁଛି ଯାହା । ରାସ୍ତାରେ ବହୁ ଚିହ୍ନାଲୋକ ଭେଟିଲେ ବି ଜିଭ ଲେଉଟୁନାହିଁ କିଛି କହିବାକୁ । ସମସ୍ତଙ୍କର ଜିଜ୍ଞାସୁ ଦୃଷ୍ଟିକୁ ଏଡ଼େଇ ଅଣନିଶ୍ୱାସୀ ହୋଇ ଦଉଡ଼ୁଛି ତାର ପାଦଦୁଇଟା । ଆଖିରୁ ଠପ୍‌ଠପ୍‌ ନିଗିଡ଼ିପଡ଼ୁଛି ଲୁହ । ଏଥର ସେ ଘର ପାଖରେ ପହଞ୍ଚି ଅନେଇଲା ଦୁଆରବନ୍ଧକୁ ଆଉଜି ଠିଆହୋଇଛି ମିନତୀ । କୌଣସି ଏକ ଦୁର୍ଲ୍ଲଭ ଦ୍ରବ୍ୟ ପ୍ରାପ୍ତିର ଆନନ୍ଦ ଗୋଳିହୋଇଛି ଦେହରେ । ବଡ଼ ଅପ୍ରତିଭ ମନେହେଲା ଶଙ୍କରଙ୍କୁ । ବୋଉର ପାଟି ଖନି ବାଜିଲାଣି, ଟୁଲୁ କହିଆସିଥିଲା ଟିକିଏ ପୂର୍ବରୁ । ହେଲେ ମିନତୀ......

Image

 

ଜନପଥ

 

ଦୀର୍ଘଦିନର ଚାକିରି ଜୀବନରୁ ଅବସର ନେଲାପରେ ବହୁ ଅଭିଜ୍ଞତାକୁ ମନେପକେଇ ପ୍ରୌଢ଼ ମଣିଷଟିର ଛାତି ଓସାରିଯାଏ ଗର୍ବରେ ଠିକ୍‌ ଯେମିତି ଆଜି ଜନପଥର ଛାତି ଓସାରିଯାଉଛି ପ୍ରତିଦିନ । ଜନପଥ ହସୁଛି, ସଂଧ୍ୟା ଆସିଲେ ସ୍ୱର୍ଣ୍ଣାଭ ଆଲୋକରେ ବେଶ ଆକର୍ଷଣୀୟ ମନେହେଉଛି ଜନପଥ ଯେମିତି ପାଖବସ୍ତିର ଯୁବତୀମାନେ ଦେହରେ ଅଳ୍ପଦାମ୍‌ର ଶିଲ୍‌କ ଶାଢ଼ି ବେଢ଼େଇହୋଇ ଅପେକ୍ଷା କରନ୍ତି ପ୍ରୀତି-କାଙ୍ଗାଳ ଯୁବକମାନଙ୍କୁ । ବହୁଦିନପରେ ଅବନୀଶ ଆଜି ବାରମ୍ୱାର ଦେଖୁଛି ମାଷ୍ଟର କ୍ୟାଣ୍ଟିନ୍‌ ଛକରେ ଅର୍ଦ୍ଧନିର୍ମିତ ଘୋଡ଼ା, ରାମ ମନ୍ଦିର ଓ ନିକଟ ଅତୀତରେ ପ୍ରତିଷ୍ଠିତ କୋତେଟି ଆଭିଜାତ୍ୟପୂର୍ଣ୍ଣ ହୋଟେଲକୁ ।

 

ବାପା କହୁଥିଲେ, ସେ ଯେତେବେଳେ ନୂଆକରି ଚାକିରି କରିବାକୁ ଭୁବେନଶ୍ୱର ଆସିଲେ, ଏ ସବୁ କିଛି ନଥିଲା, କେବଳ ଜଙ୍ଗଲ । ଆଈ କହେ ଏ ଜାଗାରେ ନାଁ ଥିଲା ଏକାମ୍ର । ଏଇଠାରେ ଗୋଟାଏ ବିରାଟ ଆମ୍ୱଗଛ ଥିଲା ଯାହାରକି ଉତ୍ତର, ଦକ୍ଷିଣ ପୂର୍ବ ପଶ୍ଚିମ ହୋଇ ଚାରୋଟି ଓ ସିଧାଉପରକୁ ଗୋଟିଏ ଡାଳଥିଲା; ହେଲେ ଏବେ ସେ ସବୁର ଚିହ୍ନବର୍ଣ୍ଣ କିଛିନାହିଁ । କେବଳ ଦୁଇ ତିନି କି.ମି. ଦୂର ପୁରୁଣା ଭୁବନେଶ୍ୱରରେ ଲିଙ୍ଗରାଜ ମନ୍ଦିର, ବିନ୍ଦୁ ସାଗର ଓ ଅନ୍ୟାନ୍ୟ ପୁରାଣବର୍ଣ୍ଣିତ ସ୍ଥାନସବୁ ରହିଛି ।

 

ଆଜି ଅବନୀଶ ଦେଖିଛି ଶିଳ୍ପପତି, ବ୍ୟବସାୟୀ, ମନ୍ତ୍ରୀ, ବିଧାୟକଙ୍କ ପ୍ରାଚୁର୍ଯ୍ୟରେ ଜନପଥ ଏକ ଭୟଙ୍କର ଜଙ୍ଗଲ ପାଲଟିଯାଉଛି । ଦିନ ଦି ପ୍ରହରେ ମଣିଷ-ପଶୁର ପ୍ରାଚୁର୍ଯ୍ୟର ଆକ୍ରମଣରେ ନିରୀହ ମଣିଷ ଛଟପଟ ହେଉଛି, ମୃତ୍ୟୁବରଣ କରୁଛି, ଅବିବାହିତା ଯୁଆନ ଝିଅକୁ ଏଇଠୁ ଅସାମାଜିକ ଯୁବକମାନେ ଝାମ୍ପିନେଇ ଧର୍ଷଣ କରୁଛନ୍ତି, ଖୁମ୍ପି ପକାଉଛନ୍ତି ତାର ନରମ ମାଂସକୁ । ଜନପଥ ସବୁ ଦେଖୁଛି ହେଲେ ଚୁପ୍‌ଚାପ୍‌ ସବୁ ଦୁଃଖ ଯନ୍ତ୍ରଣାକୁ ଛାତିରେ ଚାପିଧରି ମୁହଁମାଡ଼ି ଲୁହଗଡ଼େଇ କହୁଛି—କେତେ ଦିନ ? ଆଉ କେତେଦିନ ?

 

ଜନପଥର ଅଭିଯୋଗକୁ, ଦୁଃଖକୁ, ଅଭିମାନକୁ ସମର୍ଥନ କରି ପଟୁଆର ଚାଲିଛି । ସମସ୍ତଙ୍କ ମୁହଁରୁ ଛିଡ଼ିକି ପଡ଼ୁଛି ବଜ୍ର ଗମ୍ଭୀର କେତୋଟି ଶବ୍ଦ :

 

ଅନ୍ୟାୟ ଶାସନ ଚାଲିବ ନାହିଁ, ଚାଲିବ ନାହିଁ ।

 

ରୁଟି, ଲୁଗା, ଚାକିରି ଲୋଡ଼ା....ଆମର ଦାବୀ ପୂରଣ ହେଉ ଇତ୍ୟାଦି ।

 

ଅବନୀଶ ଭାବୁଛି ସେଯଦି ଏମାନଙ୍କ ଭିତରେ ଜଣେ ହୋଇଯାଆନ୍ତା କିଛି ନ ହେଲେବିତ ନିଜପାଇଁ ଚିତ୍କାରକରି କୁହନ୍ତା—‘ଚାକିରି ଦିଅ, ଚାକିରି ଦିଅ’ ।

 

ମୃଣାଳ କହୁଥିଲା ଏଠାରେ ସହଜରେ ଚାକିରି ମିଳେନି, କାରଣ ଏଠାରେ ଚାକିରି ବିକ୍ରିହୁଏ, ବଜାରର ତେଲଲୁଣ ପରି, ପାଖ ବେଶ୍ୟା ବସ୍ତିରେ ଯୁବତୀଝିଅର ମାଂସ ପରି । ଧର କିରାଣୀ ଚାକିରିପାଇଁ ପାଞ୍ଚହଜାର, ଅଡ଼ିଟର ଚାକିରି ପାଇଁ ଆଠ, ଦଶ ହଜାର, ପିଅନ ଚାକିରିପାଇଁ ଦୁଇରୁ ତିନି ହଜାର ।

 

ତେବେ ଅବନୀଶ ଯଦି ଏହି ପଟୁଆରରେ ଠିଆହୋଇ ଚିତ୍କାର କରେ ମୋତେ ଚାକିରି ଦିଅ, ଚାକିରି ଦିଅ । କିଏ ଶୁଣିବ ତାର କଥା । କିଏ ଯୋଗାଡ଼ କରିଦେବ ଚାକିରି, ବଞ୍ଚିବା ପାଇଁ ଅବଲମ୍ୱନ ? ଜନପଥ ନା ଏ ଜନପଥରେ ଦିନରାତି ଅହରହ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ସ୍ୱାର୍ଥାନ୍ୱେଷୀ ମଣିଷ, ଯେଉଁମାନେକି ମାଛତେଲରେ ମାଛଭାଜି ଦକ୍ଷ ଖେଳୁଆଡ଼ପରି ସଂଗ୍ରହ କରନ୍ତି ରନ୍‌ ପରେ ରନ୍‌ ।

 

ସତରେ ଏମାନଙ୍କର ଆଭିଜାତ୍ୟ ତଳେ ଘୃଣ୍ୟ କ୍ଷୁଧାର୍ତ୍ତ ଶାର୍ଦ୍ଦୁଳଟାଏ ସଦାସର୍ବଦା ଛକି ବସିଥାଏ ମଣିଷ ମାଂସର ଲୋଭରେ । ଅବନୀଶ କଣ ଏମାନଙ୍କର ସମ୍ମୁଖୀନ ହୋଇପାରିବ, ଏମାନଙ୍କୁ ପଛରେ ପକେଇ ନିର୍ଦ୍ଦିଷ୍ଟ ବିନ୍ଦୁରେ ପହଞ୍ଚି ସମସ୍ତଙ୍କୁ ଚେତନା ଦେଇ ଦୁର୍ବଳ ବି ସବଳର ସମ୍ମୁଖୀନ ହୋଇପାରେ ହେଲେ ମହାପୁରୁଷ ଯୀଶୁ ପରା ଏଇମାନଙ୍କର ସମ୍ମୁଖୀନ ହେବାକୁ ଯାଇ କୃଶକାଠରେ ଆଖିବୁଜିଲେ, ସକ୍ରେଟିସ୍‌ ଏଇମାନଙ୍କର ସହ ପ୍ରତିଦ୍ୱନ୍ଦ୍ୱିତା କରି ବିଷପାନ କଲେ । ମହାତ୍ମା ଗାନ୍ଧୀ ଓ ଆବ୍ରାହାମ ଲିଙ୍କନ ଆତତାୟୀର ଗୁଳିରେ ଆଖିବୁଜିଲେ ଚିରଦିନ ପାଇଁ ।

 

ତେବେ.....ଅବନୀଶ କିଛି ଭାବିପାରୁନାହିଁ ।

 

ସେ କଣ ଏଇ ଜନପଥରେ ଠିଆହୋଇ ସଚେତନ କରେଇଦେବ ସମସ୍ତଙ୍କୁ; ସାବଧାନ, ଅନ୍ଧାର ବଢ଼ିଚାଲିଛି । ସକାଳର ସୂର୍ଯ୍ୟୋଦୟ ଅବଶ୍ୟମ୍ଭାବୀ ।

 

ହେଲେ ଜନପଥ ହସୁଛି, ହସିହସି ବେଦମ ହୋଇପଡ଼ିଛି ପୁଣି କିଛି ସମୟ ବାଦ ଠପ୍‌ଠପ୍‌ ନିଗିଡ଼ି ପଡ଼ୁଛି ଲୁହ । କେତେବେଳେ ଓସାରି ଯାଉଛି ତାର ଛାତି ତ କେତେବେଳେ ଦୁଃଖରେ ଝାଉଁଳି ପଡ଼ୁଛି ସେ । ହେଲେ ସେ ନିରବ । ନିଶବ୍ଦ ତାର ସଂଳାପ । ସେ ଧ୍ୟାନମଗ୍ନ, ତପସ୍ୱୀ ।

 

ପଟୁଆର ପାଖେଇ ଆସୁଛି । ଲାଲ୍‌ ପତକା ଓ ପାମ୍ପଲେଟ୍‌ ପରିଷ୍କାର ଦିଶୁଛି । ପଟୁଆରର ପ୍ରତ୍ୟେକ ମଣିଷର କଣ୍ଠରୁ ପଞ୍ଜରା ଥରେଇ ଛିଟିକି ପଡ଼ୁଛି ବଜ୍ରଗମ୍ଭୀର ସ୍ଲୋଗାନ । କି ସମ୍ମୋହନ ଅଛି ସେଥିରେ ? ଅବନୀଶର ଛାତିରେ ଠକ୍‌ଠକ୍‌ ବାଡ଼େଇ ହେଉଛି ଶବ୍ଦଗୁଡ଼ିକ । ଆଖି ଲାଲ୍‌ହୋଇ ଆସୁଛି, ରୋମ ଟାଙ୍କୁରି ଉଠୁଛି, ଡାହାଣ ହାତ ମୁଠାହୋଇ ଉଠିଯାଉଛି ଉପରକୁ ଓ ସେ ବାରମ୍ୱାର ସ୍ଲୋଗାନଦେଇ ପାଦ ମେଳେଇ ଆଗକୁ ଚାଲୁଛି ଅନ୍ୟମାନଙ୍କ ସହ ଏବଂ ଚିତ୍କାର କରୁଛି-ଆମର ଦାବୀ-ପୂରଣ ହେଉ.....ଇନ୍‌କ୍ଳାବ-ଜିନ୍ଦାବାଦ୍‌ ।

Image

 

ପରାଜିତା

 

ଦୀର୍ଘଦିନର ବ୍ୟବଧାନପରେ ସଂଘମିତ୍ରା ଓ ମୀନାକ୍ଷି ଉଭୟ ଆକସ୍ମିକଭାବେ କଳାମନ୍ଦିର ସେଲସ୍‌କାଉଣ୍ଟର ସାମ୍ନାରେ ପରସ୍ପରକୁ ଭେଟି କୋଳାକୋଳି ହୋଇଥିଲେ ଆନ୍ତରିକତାରେ । ସତେ ଯେମିତି ବହୁଦିନରୁ ଏହି ମୁହୂର୍ତ୍ତଟିକୁ ଅପେକ୍ଷା କରିଥିଲେ ଉଭୟ । ଉଭୟଙ୍କର ପ୍ରଶ୍ନିଳ ଆଖି ଚାରୋଟି କ୍ରମେ ଉଜ୍ଜ୍ୱଳି ଉଠୁଥିଲେ । ଛାତି ଭିତରଟା ପୂରି ଉଠୁଥିଲା ମିଳନର ମାଦକତାରେ ।

 

ସମୟ ସଂଧ୍ୟା ଛଅ । ଏଠୁ ମୀନାକ୍ଷି ତା ନଣନ୍ଦ ପାଇଁ ଶାଢ଼ିଖଣ୍ଡେ କିଣି ସାରିଲେ ଟିକେ ମନ୍ଦିରଆଡ଼େ ଯିବ । ରାତିରେ ସେକେଣ୍ଡ ସୋ ସିନେମା ଯିବାର କାର୍ଯ୍ୟକ୍ରମ ଅଛି । ସଂଘମିତ୍ରା ବି ତରତର ହେଉଥିଲା, ପିଲାଙ୍କର ପରୀକ୍ଷା, ସେମାନଙ୍କୁ ଟିକେ ଦେଖିବାକୁ ହେବ ନଚେତ୍‌ ଟିକିଏ ଡେରିହେଲେ ଘରଭିତରେ କଣ ନା କଣ ଗୋଟାଏ କରିପକେଇବେ । ହେଲେ ଅତୀତର ବହୁସ୍ମୃତି ଉଭୟଙ୍କୁ କିଛିସମୟ ମୂକ କରି ଦେଇଥିଲା ଓ ପର ମୁହୂର୍ତ୍ତରେ ଉଭୟେ ହସିହସି ବେଶ୍‌ ଆଳାପ ଆଲୋଚନାରେ ମଜ୍ଜି ଯାଇଥିଲେ ।

 

ସଂଘମିତ୍ରା ଓ ମୀନାକ୍ଷି ଉଭୟ ଥିଲେ ବାଲ୍ୟସଙ୍ଗିନୀ । ସେମାନଙ୍କର ସେତେବେଳର ସମ୍ପର୍କଟା ଥିଲା ମିତା ଓ ମୀନାରେ, ବହୂଚୋରି ଓ ପୁଚିଖେଳରେ, ପୁଅ ଝିଅ ବାହାଘରରେ । ହେଲେ ସମୟର ବିବର୍ତ୍ତନରେ ଉଭୟେ ବିବାହିତା, ଗୃହିଣୀ ଓ ଜନନୀ ।

 

ସଂଘମିତ୍ରାର ସ୍ୱାମୀ ଜଣେ ସାଧାରଣ ସ୍କୁଲ ଶିକ୍ଷକ ଓ ମୀନାକ୍ଷିର ସ୍ୱାମୀ ଜଣେ ଅଧ୍ୟାପକ । ଜଣେ ଖୁବ୍‌ ସାଦାସିଧା ମେଳାପି ଓ ଅନ୍ୟଜଣକ ସ୍ଥିର ଓ ଗମ୍ଭୀର । ଉଭୟଙ୍କର ବୃତ୍ତି ଏକ, ଛାତ୍ରମାନଙ୍କୁ ଉତ୍ତମ ଶିକ୍ଷାଦେବା, ଦିଗ୍‌ଦର୍ଶନ ଦେବା, ମଣିଷ ପରି ମଣିଷ କରି ଗଢ଼ି ତୋଳିବା-। ଉଭୟଙ୍କୁ ଉଭୟଙ୍କର ଛାତ୍ର ସମ୍ମାନ ଦିଅନ୍ତି, ଶ୍ରଦ୍ଧା କରନ୍ତି; ଯଦିଚ ବର୍ତ୍ତମାନ ସମୟରେ ଗୁରୁଛାତ୍ରର ସମ୍ପର୍କଟା ଓଲଟି ଯାଇଛି ପୂରାପୂରି ।

 

ଦିନ ଥିଲା ଛାତ୍ର ଗୁରୁଙ୍କ ପାଇଁ ସବୁ କିଛି ତ୍ୟାଗ କରିବାକୁ ପ୍ରସ୍ତୁତ ଥିଲା, ଗୁରୁ ଥିଲେ ତା ନିକଟରେ ବ୍ରହ୍ମା, ବିଷ୍ଣୁ ଓ ଶିବଙ୍କର ମୂର୍ତ୍ତିମନ୍ତ ବିଗ୍ରହ । ଗୁରୁ ବି ଛାତ୍ରମାନଙ୍କ ପ୍ରତି ଯତ୍ନଶୀଳ ଥିଲେ । ଗୁରୁଙ୍କର ସ୍ନେହ ଓ ଶ୍ରଦ୍ଧାରେ ଛାତ୍ର ନିଜର ପିତାମାତାଙ୍କୁ ଭୁଲି ଶିକ୍ଷା ସମାପ୍ତି ପର୍ଯ୍ୟନ୍ତ ଗୁରୁକୂଳରେ ରହୁଥିଲେ ।

 

ହେଲେ ଏବେ ସଂଘମିତ୍ରାର ସ୍ୱାମୀ କହନ୍ତି ପିଲାମାନେ ଗେହ୍ଲା ହୋଇ ଯାଉଛନ୍ତି, ପାଠଶାଠ ପଢ଼ୁନାହାନ୍ତି, ବାହାର କଳି ଘରେ ପୁରାଉଛନ୍ତି ଯାହା । ଏଥିପାଇଁ ପିଲାମାନଙ୍କର ବାପା ମାଆହିଁ ଅଧିକ ଦାୟୀ । ଅନୁରୂପଭାବେ ମିନାକ୍ଷୀର ସ୍ୱାମୀ ବି କହନ୍ତି ଆଜିକାଲି ପିଲାଗୁଡ଼ାକ ବଦମାସ୍‌, ଏମାନଙ୍କୁ ହାଡ଼େହାଡ଼େ ଚିହ୍ନିବାକୁ ପଡ଼ିବ । କେତେବେଳେ କଣ ନାହିଁ କଣ କରିଯିବେ । କେଉଁ ଝିଅକୁ କମେଣ୍ଟ ମାର ତ କେଉଁଠି ମାଡ଼ପିଟ୍‌ କର । କେଉଁ ଦୋକାନରେ ଖାଇ ପିଇ ପଇସା ନ ଦେଇ ଗାଳିଗୁଲଜ କର ତ, କାହା ଛାତରେ ଚଢ଼ି ଟି. ଭି.ର ଆଣ୍ଟିନା ଖୋଲ ।

 

ସଂଘମିତ୍ରା ମିନାକ୍ଷୀକୁ ଦେଖିବା ପରଠୁ ଆତ୍ମହରା ହୋଇପଡ଼ୁଥାଏ । ଇଚ୍ଛାହେଉଥାଏ ସେ ତା ସମ୍ପର୍କରେ ମିନାକ୍ଷୀକୁ ସବୁକିଛି କହିଯିବ—ସେ ଏଠାରେ କିପରି ତା ସ୍ୱାମୀ ସହ ରହୁଛି, କେମିତି ଅଭାବ ଅନାଟନ ଭିତରେ ତିଳତିଳ ତାକୁ ଜଳିବାକୁ ହେଉଛି, କେମିତି ସେ ତାର ପିଲାମାନଙ୍କ ଯତ୍ନ ଠିକ୍‌ଭାବରେ ନେଇପାରୁନାହିଁ ଇତ୍ୟାଦି, ହେଲେ ମିନାକ୍ଷୀ କଣ କରିପାରିବ ତା’ପାଇଁ ? ତଥାପି ସେ ନିଜର ଇଚ୍ଛାକୁ ଚାପିରଖି ପାରୁନି, କହିଚାଲିଛି ଗୋଟାକ ପରେ ଗୋଟେ ଆଈମା ବୁଢ଼ୀର କାହାଣୀ ପେଡ଼ି ପରି । କିଛି ନ ହେଲେ ବି ମିନାତ ତା’ପାଇଁ ସାମାନ୍ୟଟିକେ ଦରଦ ପ୍ରକାଶ କରିବ, ଆଶ୍ୱାସନା ଦେବ ।

 

ପିଲାଦିନେ ମିନାକ୍ଷୀ ଖୁବ୍‌ ଭଲ ପାଉଥିଲା ସଂଘମିତ୍ରାକୁ । ଖାଇଲେ ମିତା, ଶୋଇଲେ ମିତା, ସ୍କୁଲ ଗଲେ ମିତା, ଖେଳିଲେ ମିତା, ସବୁଠି ମିତାର ଉପସ୍ଥିତି ତାପାଇଁ ନିହାତି ଜରୁରୀ ଥିଲା, ସତେ ଯେପରି ମିତାର ଅନୁପସ୍ଥିତିରେ ମିନାର ସ୍ଥିତିଶୂନ୍ୟ ।

 

କିନ୍ତୁ, ଆଜି ଏ କ’ଣ ? ମିନାକ୍ଷୀ ସଂଘମିତ୍ରାଠାରୁ ତାର ଦୁଃଖଦ ଅଶ୍ରୁଳ କାହାଣୀ ଶୁଣିଲାପରେ ଏମିତି ଅସ୍ଥିର ହୋଇଉଠୁଛି କାହିଁକି ? କାହିଁକି ବଦଳି ଯାଉଛି ତାର ମୁହଁର ରଙ୍ଗ, ଗମ୍ଭୀର ହୋଇଯାଉଛି ଆଖିଦୁଇଟା, ଝାଳେଇ ଯାଉଛି ଦେହ ! ଯେତେହେଲେ ମିତା ତାର ବାଲ୍ୟସଙ୍ଗିନୀ, ସହପାଠିନୀ ଯଦିଚ ସେ ଆଜି ତାକୁ ସାତ ଆଠବର୍ଷ ପରେ ଭେଟୁଛି ଏମିତି ଅଚାନକ ଭାବେ ।

 

କ୍ରମେ ସମସ୍ତ ଧୈର୍ଯ୍ୟ ଭାଙ୍ଗିଯାଉଛି ମିନାକ୍ଷୀର । ସେ ତାର ଦୁଇଟି ପାଦକୁ ସ୍ଥିର ରଖିବାକୁ ଇଚ୍ଛା କରିବି ରଖିପାରୁନି । ଆଭିଜାତ୍ୟର ଅହଂରେ ବନ୍ଦହୋଇ ଆସୁଛି ତାର ଛାତିରେ ଦରଜା, ହେଲେ ସେ ଅସ୍ୱୀକାର କରିପାରୁନି ମିତା ଓ ମିନାର ସମ୍ପର୍କକୁ, ବିବେକକୁ, ଅତୀତର ମଧୁର ବାଲ୍ୟାସ୍ମୃତିକୁ । କିଏ ଯେପରି ବାରମ୍ୱାର ତାର ପଞ୍ଜରାତଳୁ କହିଦେଉଛି ବଚନେ କିଂ ଦରିଦ୍ରତା !

 

ତଥାପି ସେ ନିଜକୁ ସଂଯତ କରିପାରୁନି । ତାର ଧୈର୍ଯ୍ୟର ତୋରଣ ଆସ୍ତେ ଆସ୍ତେ ଝଡ଼ିପଡ଼ୁଛି ଖଣ୍ଡ ଖଣ୍ଡ ହୋଇ । ସେ ଅଧ୍ୟାପକ ବିଶ୍ୱମୋହନଙ୍କ ସ୍ତ୍ରୀ, ଧନପତି ବିନୟରଞ୍ଜନଙ୍କ ବୋହୂ, ସାମାନ୍ୟ ଗୋଟେ ସ୍କୁଲଶିକ୍ଷକର ସ୍ତ୍ରୀ ସହ ଏତେଗୁଡ଼ାଏ ମୂଲ୍ୟବାନ ସମୟ ନଷ୍ଟ କରିଦେବ କିଆଁ !

 

ସମୟ ସଂଧ୍ୟା ୭ଘ. ୩୦ମି. । ଆଉ ମନ୍ଦିର ଯାଇହେବନି । ଠାକୁରଙ୍କ ଆଳତୀ ପ୍ରାୟ ସରିଯିବଣି । ଏହାପରେ ସେକେଣ୍ଡ ସୋ ଫିଲ୍ମ ଯିବା କଥା । ନାଁ ସେ ଆଉ କିଛି ଶୁଣି ପାରିବନାହିଁ-। ପରିଷ୍କାର କହିଦେବ ମିତାକୁ-‘‘ସବୁ ସହିନେ, ଯାହା ଭଗବାନଙ୍କର ଇଚ୍ଛା’’ ବା ଅତ୍ୟନ୍ତ ରୁକ୍ଷ କର୍କଶ ସ୍ୱରରେ ‘‘ମୁଁ କଣ କରିପାରିବି ଯେ ? ଯା ମନ୍ତ୍ରୀ ବା ବିଧାୟକଙ୍କୁ କହ, ଅନ୍ତତଃ ସେ ତୋପାଇଁ ଖଣ୍ଡେ ଚାକିରିବ୍ୟବସ୍ଥା କରିଦେଇପାରିବେ । ହଁ ମୁଁ ଯାଉଛି, ସମୟ ବହୁତ କମ୍‌-।’’ ମାତ୍ର ଜିଭ ଲେଉଟୁନାହିଁ । କେମିତି ସେ ଭୁଲିଯିବ ଅତୀତକୁ, ଅତୀତର ମଧୁର ସଂପର୍କକୁ ! ଏକା ସାଙ୍ଗରେ ଖେଳିଛି, ବୁଲିଛି, ପାଠ ପଢ଼ିଛି । ଉଭୟ ସିନା ଆଜି ସଂସାରର ବନ୍ଧନରେ ବାନ୍ଧିହୋଇ ପରସ୍ପରଠୁ ଦୂରେଇ ଯାଇଛନ୍ତି ।

 

ସଂଘମିତ୍ରା ଗପିଚାଲିଛି ଅନବରତ । ବାରମ୍ୱାର ଛେପ ଅଟକି ଯାଉଛି ତଣ୍ଟିରେ । ଆଜି ଅନେକ କଥା ତାର କହିବାକୁ ଅଛି ମିନାକୁ । ଏତେଗୁଡ଼ାଏ ଦିନର ବ୍ୟବଧାନ କେମିତି ସରିଯିବ ଏତେ ଶିଘ୍ର ? ହେଲେ ଏବେ ମିନାକ୍ଷୀ ଆଗକୁ ପାଦ ବଢ଼ାଉଛି । ବହୁ ମାନସିକ ଦ୍ୱନ୍ଦ୍ୱଭିତରେ ତାର ପାଦର ବେଗ ବଢ଼ିଯାଉଛି ।

 

ହଠାତ୍‌ ପ୍ରକୃତିସ୍ଥ ହେଲା ସଂଘମିତ୍ରା । ମିନାକ୍ଷୀ ତା’ଠାରୁ ବହୁଦୂରକୁ ଆଗେଇଗଲାଣି । ସତରେ ଏ ଦୁନିଆଟା ଏଡ଼େ ସ୍ୱାର୍ଥପର ! ମିନାକ୍ଷୀ ଚାଲିଯାଉଛି ଅଥଚ କହିଯାଉନି ପଦୁଟିଏ । ସେ ତ ତାକୁ କିଛି ମାଗିନି । କେମିତି ଏତେ ବଦଳିଗଲା ମିନା !

 

ସଂଘମିତ୍ରା କିଛି ବୁଝିପାରୁନି ତାର ସରଳା ହୃଦୟରେ, କାହିଁକି ମିନାକ୍ଷୀର ଏ ପରିବର୍ତ୍ତନ-? ତାର ଦାରିଦ୍ର୍ୟତା ଓ ଅସହାୟତା ଯେ ମିନାକ୍ଷୀକୁ ତାଠାରୁ ଦୂରେଇ ନେଉଛି ସେ ବୁଝିପାରୁନି-। କେବଳ ଦେଖୁଛି ସେ ଯେତେ ଶିଘ୍ର ଆଗକୁ ହାତବଢ଼ାଇ ମାଡ଼ିଯାଉଛି ସେତେ ଶିଘ୍ର ଦୂରକୁ ଦୂରକୁ ଘୁଞ୍ଚିଯାଉଛି କାମନାର ପଦ୍ମ ।

 

ବର୍ତ୍ତମାନ ସମୟ ୮ଘ. ୩୦ମି., ମିନାକ୍ଷୀ ଫେରି ଆସୁଛି ତାର ଭଡ଼ାଘରକୁ ପରାଜିତାର ଗ୍ଳାନିନେଇ ।

Image

 

ମଧୁମାଳତୀ

 

ମଧୁ-ମାଳତୀ ! କି ସମନ୍ୱୟ ! କିଏ କାହାର ? ମାଳତୀର ମଧୁ, ନା ମଧୁର ମାଳତୀ, ନା ମାଳତୀ ଜୀବନର ମଧୁ, ମାଳତୀ ହୃଦୟର ମଧୁ ? ଯଦି ଏହା ଭିତରୁ କେଉଁଟା ହେଲେ ବି ନୁହେଁ, ତାହେଲେ ସେ କଣ ନେଇ ବଞ୍ଚିବ ? କାହାକୁ ନେଇ ବଞ୍ଚିବ ? କଣ ନେଇ ତାର ଗର୍ବ ? କାହାକୁ ନେଇ ତାର ଅଭିମାନ ?

 

ନାଁ, ସେ ହୀନିକପାଳୀ, କଳଙ୍କିନୀ, ଅଲକ୍ଷଣୀ । କିଏ ଆଉ ତାର ଦୁଇ ଆଖିର ଲୁହ ପୋଛି ସାନ୍ତ୍ୱନା ଦେବ, ମାଳ ! ଧୈର୍ଯ୍ୟ ଓ ଦୃଢ଼ ମନୋବଳହିଁ ମଣିଷ ଜୀବନର ସର୍ବଶ୍ରେଷ୍ଠ ସମ୍ୱଳ । ତୋର ଚେତନାର ବତୀକୁ ଜାଣି ଜାଣି ଲିଭାଇ ଦେବା । ସମୟ ଆସିବ ତୋରି ଚେତନାର ଅନିର୍ବାପିତ ଆଲୋକଶିଖାରେ ଉଜ୍ଜ୍ୱଳି ଉଠିବ ତୋର ଦୁଃଖଦ ମୁହୂର୍ତ୍ତ ସବୁ । ତୁ ହସିବୁ, ମୁଁ ହସିବି; ମଧୁ ହସିବ, ମାଳତୀ ହସିବ । ମଧୁ ହେବ ମାଳତୀର, ମାଳତୀ ହେବ ମଧୁର । ମାଳତୀ ଓ ମଧୁ ଏକ ଓ ଅଭିନ୍ନ । ସେମାନଙ୍କର ବିଚ୍ଛେଦ ନାହିଁ ।

 

ହେଲେ କୁଆଡ଼େ ଗଲା ତାର ମଧୁ ? କେଉଁ ପରୀ ରାଇଜର ଅଲାଜୁକି ରଙ୍ଗୀନ ପ୍ରଜାପତିଟା ତାର କୁହୁକ ଡେଣାରେ ବସାଇ ନେଇଗଲା ସତେ ? ବଡ଼ କୁହୁକିନୀ, ମାୟାବିନୀ ସେ-। ସେ କଣ ଫେରାଇଦେବ ତାର ପ୍ରିୟତମକୁ । ସେ ନିଶ୍ଚୟ ମଧୁର ମଧୁରତାକୁ ଶେଷକରି ଫିଙ୍ଗିଦେବ ଅବଶିଷ୍ଟାଂଶ ।

 

କଣ କରିବ ସେ ? ମଧୁ କଣ ମାଳତୀର ନୁହେଁ । ସେ କଣ ମାଳତୀକୁ ଅନ୍ତର ଦେଇ ଭଲପାଏନା ? ତାର ସ୍ନେହ, ଶ୍ରଦ୍ଧା, ଆଦର, ପ୍ରେମ ଏସବୁ କଣ ଛଳନା, ପ୍ରବଞ୍ଚନା ! କେଡ଼େ ସ୍ୱାର୍ଥପର ଏ ପୁରୁଷଜାତିଟା ! ନାରୀର ସର୍ବସ୍ୱ ଲୁଟିନେଇବି ଟିକିଏ ଅନୁତାପ କରିବାକୁ ମନହୁଏନା ତାର ! ମନ ସହିତ ମନର ମିଳନ, ଅନ୍ତର ସହ ଅନ୍ତର ମିଳନର ଯଥାର୍ଥ ମୂଲ୍ୟ ଦେବାକୁ ତାର ଏତେ କୁଣ୍ଠା କାହିଁକି !

 

ମଧୁ ବାଙ୍ଗାଲୋର ଯିବା ତିନିବର୍ଷ ତିନିଯୁଗ ପରି ଲାଗୁଛି ମାଳତୀକୁ, କାରଣ ସେହିଁ ତାର ଆଶା, ସେହିଁ ତାର ସ୍ୱପ୍ନ, ସେହିଁ ତାର ଅନ୍ତରର ମଧୁ । ମଧୁ-ମଧୁସୂଦନ ସିଂହ ସାମନ୍ତ ନୁହେଁ, ତାର ଜୀବନର ମଧୁ । ଯାହାକୁ ସେ ଭଲ ପାଏ, ପ୍ରେମ କରେ । ଯାହାପାଇଁ ଆଜି ତାର ଦୀର୍ଘ ପ୍ରତୀକ୍ଷା ।

 

ମାଳତୀ, ସେ ତ ବଣମାଳତୀ ନୁହେଁ, ଝରିପଡ଼ିବ ଅବାଞ୍ଛିତା ହୋଇ ନିଜର ସୌରଭର ବିନିଯୋଗ ନ କରି । ନାଁ ସେ ହସିବ, ପ୍ରାଣ ଖୋଲି ହସିବ । ସେ ମଧୁର, ମଧୁ ମାଳତୀର । ଆଉ କେଇଟା ଦିନପରେ ଯେତେବେଳେ ତାର ସେହି ଇପ୍‌ସିତ ଦେବତା ଛଳେଇ ହୋଇ କହିବେ, ‘‘ମାଳ ! ତୁ ମଧୁର, ତୁ ସୁନ୍ଦର, ତୁ ଭାଗ୍ୟବତୀ, ତୁ ସୁଲକ୍ଷଣୀ’’ ଏମିତି କେତେ କଣ ସେତେବେଳେ ସେ କଣ କହି ସନ୍ତୁଷ୍ଟ କରିବ ତାଙ୍କୁ ? ମଧୁ ପାଇଁ ସେ ମାଳତୀର ରୂପ, ଯୌବନ, ମାନ ଅଭିମାନ ସବୁକିଛି । ମଧୁର ଅନୁପସ୍ଥିତି ତା ପ୍ରାଣର ଏକ ଅପୂରଣୀୟ ଶୂନ୍ୟତା, ହୃଦୟର ଆବଶ୍ୟକତା ।

 

କଣଗୁଡ଼ାଏ ଭାବି ଚାଲିଛି ସେ । ପ୍ରତ୍ୟେକ ପ୍ରେମିକାକୁ କଣ ତାର ପ୍ରେମିକର ଅନୁପସ୍ଥିତିରେ ଏହିପରି ଭାବିବାକୁ ହୁଏ ! ହଠାତ୍‌ ହାତରେ ଧଳା ଲଫାପାଟିଏ ଧରେଇ ଦେଇଗଲା ପିଲାଟିଏ । ‘‘ଶୁଭ ବିବାହ’’, କାହାର ! ତରତରରେ ଏକା ନିଶ୍ୱାସରେ ପଢ଼ି ଟିକିଟିକି କରି ପାଦରେ ଦଳିଦେଲା ମାଳତୀ । ଦୁଇ ଆଖିରେ ଲୁହ ସହ ଘୃଣା, ଓଠରେ ହତାଶାର ଚିହ୍ନ, ମୁହଁରେ ବିଷନ୍ନତା ଛାଇଗଲା ଅକସ୍ମାତ୍‌ ।

 

ମଧୁ ! ସ୍ୱାର୍ଥପର, ସେ ମଧୁ ନୁହେଁ ଝଡ଼ । ଏକ ଅଭିଶପ୍ତ ମୁହୂର୍ତ୍ତରେ ଆସିଥିଲା ଅଚାନକ ଭାବେ, ପୁଣି ଚାଲିଗଲା ବି ଠିକ୍‌ ସେମିତି । କୃଷ୍ଣା ସତ କହିଥିଲା, ମାଳ ! ତୁ ଏତେ ସରଳା ହୋଇଯାଆନା; ତୁ ମଣିଷ ଚିହ୍ନିନାହୁଁ । ସବୁ ମଣିଷର ଦେହ ରକ୍ତ ମାଂସରେ ଗଢ଼ା ହେଲେ ବି ପ୍ରତ୍ୟେକ ଅନ୍ୟଠାରୁ ପୃଥକ୍‌ । ମାତ୍ର ସେଦିନ କୃଷ୍ଣାର ଏଇ ଦୁଇପଦ କଥାକୁ ଗୁରୁତ୍ୱ ନ ଦେଇ କହିଥିଲା ମାଳ—‘‘ମଧୁ, ମଧୁ; ମଧୁର ମଧୁରତାକୁ ଅସ୍ୱୀକାର କରିହୁଏନା କୃଷ୍ଣା ।’’

 

ମଧୁମାଳତୀ ! କୁଆଡ଼େ ଗଲା ସେ ମଧୁ ! ଗୋଟାଏ ସରଳା ଅବିବାହିତା ଯୁବତୀର ଜୀବନପାତ୍ରରେ ବିଷ ଢାଳି ତିଳତିଳ କରି ଦୁଃଖର ନିଆଁକୁ ଠେଲି ଦେଇ ? ଆଉ ଦୁଇଟା ଦିନ ପରେ ପୁଣି ସେ କେଉଁ ଅଜଣା ଝିଅର ଜୀବନରେ ଝଡ଼ ପରି ପ୍ରବେଶ କରିବ ! ହଠାତ୍‌ କାହାର ଡାକରେ ଚମକି ଉଠିଲା ମାଳ ।

 

ଫେରି ଆସିଛି ! କିଏ ମଧୁ ! କାହିଁକି ଆସିଛି ସେ ? କଣ ବା ଆଉ ଅଛି ତାର ! ସେତ ତା ଜୀବନର ସମସ୍ତ ଆନନ୍ଦକୁ ଲୁଟିନେଇଛି ବହୁଦିନରୁ, ପୁଣି କେଉଁ ଆଶାରେ ଧାଇଁଆସିଛି ସେ ? ଫେରିଯାଅ, ମାଳତୀ ଆଉ ନାହିଁ, ସେ ବଣରେ ଫୁଟି ବଣରେ ଝଡ଼ିଯାଇଛି ।

 

ନାଁ ମାଳ ! ମଧୁ ଆସିଛି । ମାଳତୀ ହୃଦୟର ମଧୁ ଆସିଛି । ମଧୁର ଉପସ୍ଥିତିରେ ମାଳତୀର ବିଲୟ ନାହିଁ । ସମୟ ଖୁବ୍‌ କମ୍‌ । ଘରେ ସମସ୍ତେ ବିବାହ ଆୟୋଜନରେ ବ୍ୟସ୍ତ । କେହି ଆମ କଥା ଶୁଣିବେ ତାହିଁ କି ଆମ ଦୁଃଖ ବୁଝିବେ ନାହିଁ । କାରଣ ସେମାନଙ୍କୁ ଯୌତୁକ ଓ ଆଭିଜାତ୍ୟର ମୋହ ବହୁତ ଦୂରକୁ ଓଟାରି ନେଇଛି, ସେମାନଙ୍କର ଆଖି ବନ୍ଦ କରିଦେଇଛି । ତେଣୁ ଆମକୁ ଆଜି ସମସ୍ତଙ୍କ ଅଜାଣତରେ ପଳେଇଯିବାକୁ ହେବ ।

 

କୁଆଡ଼େ ?

 

ଯେଉଁଠି ମଧୁ ଓ ମାଳତୀର ବିଚ୍ଛେଦ ନାହିଁ, ସମାଜ ବା ପରିବାରର ଅହଂ ଓ ନିର୍ମମ ଆଦେଶ ନାହିଁ; ଯେଉଁଠି ମଧୁକୁ ତାର ଜୀବନର ମାଳତୀଠାରୁ କେହି ନେଇଯାଇ ପାରିବେନାହିଁ ।

 

ମାଳତୀ କିଛି କହିବା ପୂର୍ବରୁ ମନ୍ତ୍ରଭଳି ଓଟାରି ହୋଇଯାଇଥିଲା ଘର ବାହାରେ ଠିଆହୋଇଥିବା ଫିଆଟକାର୍‌ ଭିତରକୁ ଓ କାର୍‌ଟି ଦ୍ରୁତଗତିରେ ମାଡ଼ିଚାଲିଥିଲା ଆଗକୁ ମଧୁମାଳତୀର ପ୍ରଣୟ ନନ୍ଦିଘୋଷ ହୋଇ । ମଧୁ ଓ ମାଳତୀ ଦୁଇଟି ରଙ୍ଗୀନ ପ୍ରଜାପତି ମୁକ୍ତ ଆକାଶରେ ଉଡ଼ିଯାଉଥିଲେ ମୁକ୍ତିର ସନ୍ଧାନରେ ।

 

କାହାରି ଅବସର ନଥିଲା ପଚାରିବାକୁ, କିଏ କାହାର ? ମଧୁର ମାଳତୀ ନାଁ ମାଳତୀର ମଧୁ !

Image

 

ଡାମରାକାଉ

 

ସତରେ କଣ ସାହିତ୍ୟ କଲେ ଖାଇବାକୁ ମିଳିବ ନାହିଁ ? ବାରମ୍ୱାର ନିଜକୁ ନିଜେ ପଚାରେ ସତ୍ୟଜିତ୍‌ । ଖୋଲା ଆକାଶ, ଦୂର ଧାନକିଆରି, ପାଖ ଆମ୍ୱତୋଟା, ଗାଈଗୁହାଳ, ଶଙ୍ଖୀ ବିଲେଇକୁ ଚାହିଁ ଏହି ପ୍ରଶ୍ନ ଯେତେ ଦୋହରେଇଲେ ବି ଉତ୍ତର ମିଳେନି । କ୍ରମେ ଖୋଲା ଆକାଶ ପରସ୍ତ ପରସ୍ତ ଅନ୍ଧାରରେ ମୁହଁ ଲୁଚେଇ ଶୋଇଯାଏ ଗଭୀର ନିଦ୍ରାରେ । ଦୂର ଧାନକିଆରି, ଆମ୍ୱତୋଟା, ଗାଈଗୁହାଳ ଝାପ୍‌ସା ଦିଶେ ଆଖିକୁ; ଶଙ୍ଖୀ ବିଲେଇ ମିଆଁଉ-ମିଆଁଉ ହୋଇ କଣ ଗୋଟାଏ ଅସ୍ପଷ୍ଟ ଉତ୍ତର ଦେଇ ପଳେଇଯାଏ ନିଜବାଟରେ । ଖୁବ୍‌ ଅସହାୟ ଲାଗେ । ଶୂନ୍ୟତାବୋଧରେ ଗୋଳେଇ ହୋଇଯାଏ ସର୍ବାଙ୍ଗ । ହଠାତ୍‌ କାହାର ଉପସ୍ଥିତି ଅନୁଭବ କରେ ସେ । ଟେବୁଲ ଉପରୁ ଖାତା କଲମ ଆଣି ଲେଖିଯାଏ କେତେ କଣ, ସତେ ଯେମିତି ତା ଲେଖାର ଶେଷନାହିଁ, ପୂର୍ଣ୍ଣଚ୍ଛେଦ ନାହିଁ । ପୃଷ୍ଠା ପରେ ପୃଷ୍ଠା, ରାତି ପରେ ରାତି ।

 

ପରଦିନ ସକାଳେ କୌଣସି ଏକ ପତ୍ରିକାର ସମ୍ପାଦକ ବା ପ୍ରକାଶକଙ୍କ ସୌଜନ୍ୟମୂଳକ ଉପସ୍ଥିତିରେ ଖୁବ୍‌ ହାଲକା ଲାଗେ । ପନ୍ଦର କୋଡ଼ିଏ ମିନିଟ ସାହିତ୍ୟ ଆଲୋଚନା କରି ଆଗନ୍ତୁକଙ୍କୁ ବିଦାୟ ଦେଇସାରିଲେ ପୁଣି ସେହି ପ୍ରଶ୍ନ; ‘‘ସତରେ ସାହିତ୍ୟ କଲେ କଣ ଖାଇବାକୁ ମିଳିବ ନାହିଁ ?’’

 

ପ୍ରକୃତରେ କି ଅସହାୟ ଏ ସାହିତ୍ୟିକମାନ ! ଅନାଗତ ଶୁଭସକାଳର ବାର୍ତ୍ତା ଦେଇ ଡାମରାକାଉ ଭଳି ଆଜି ଏଠି ତ କାଲି ସେଠି । ସବୁ ନାଟର କର୍ତ୍ତା ଏଇମାନେ । ସାମାଜିକ ବିପ୍ଳବରୁ ଆରମ୍ଭ କରି ଅର୍ଥନୈତିକ ବିପ୍ଳବ ପର୍ଯ୍ୟନ୍ତ....ଶ୍ରମିକ ସଂଗଠନରୁ ଆରମ୍ଭ କରି ଅତୀତରେ ରୁଷ, ଚୀନ୍‌, ଜର୍ମାନ, ଜାପାନ, ଭିଏତନାମରେ ସଂଗଠିତ ହୋଇଥିବା ସାମାଜିକ ବିପ୍ଳବଠାରୁ ଶିଳ୍ପ-ବିପ୍ଳବ ଯାଏ ସବୁଠାରେ ଜଳନ୍ତା ନିଆଁ ସାଙ୍ଗକୁ ଘିଅ ପରି; ହେଲେ ଅଧିକାଂଶଙ୍କ ଏକା ଅଭିଯୋଗ-। ଏ ସାହିତ୍ୟିକଗୁଡ଼ା ନିଷ୍କର୍ମା, କୌଣସି କାମକୁ ନୁହନ୍ତି । ସତରକୁ ଅଠର, ତିଳକୁ ତାଳ କରିବା ଛଡ଼ା କଣ ଅଛି ଏମାନଙ୍କର ! ହଜାରେ ଉପଦେଶ ଦେବ, ବଡ଼ବଡ଼ କଥା ଶୁଣେଇବେ-। ହେଲେ ଏମାନଙ୍କ ଦ୍ୱାରା ଶାଗ ସିଝିବା ବି କାଠିକର ପାଠ !

 

ସେଦିନ ଅଧ୍ୟାପକ ଅମୀୟରଞ୍ଜନ କହୁଥିଲେ, ଦେଖ ସତ୍ୟଜିତ୍‌ ସାହିତ୍ୟ କରିବା ପରିବର୍ତ୍ତେ ବାଡ଼ିରେ ପୋଇ ଲଗେଇଲେ ଲାଭ ଅଛି । ମୁଁ ଏଣିକି ଠିକ୍‌ କରିଛି ଏ ସାହିତ୍ୟ ଫାହିତ୍ୟ ଛାଡ଼ ରୋଜଗାରର ପନ୍ଥା ଦେଖିବି ।

 

କଣ କହିବ ସତ୍ୟଜିତ୍‌ ? କଣ ଉତ୍ତର ଦେବ ଅମୀୟରଞ୍ଜନଙ୍କୁ ? ସେ ବି କଣ ଠିକ୍‌ ଅମୀୟରଞ୍ଜନ ଭଳି ସେହିକଥା ଦୁଃସ୍ଥ ଯୁବଲେଖକମାନଙ୍କୁ ବାରମ୍ୱାର ଚେତେଇ ଦେବ । ଆଉ ଅଧିକ କିଛି ଭାବିପାରୁନି ସତ୍ୟଜିତ୍‌ । ପ୍ରଶସ୍ତ କପାଳରୁ ଠପଠପ ନିଗିଡ଼ିପଡ଼ୁଛି ଝାଳ । ପାଦ ପଛକୁ ଫେରିଆସୁଛି । ସେଦିନର ଏ ଅନୁଭବରେ ଆଜି ବାରମ୍ୱାର ନିଜକୁ ଭିଜେଇ ଦେଇ ସେ ଖୋଜୁଛି ନିଜକୁ । ସତରେ ସେ କଣ ନିଜେ ହଜି ଯାଇନାହିଁ ତ ?

 

କାହାର ଚାପା ହସରେ ପଛକୁ ଚାହିଁଲା ସେ । ଆରେ ମିନତି ! ଏମିତି ହସୁଛ ଯେ !

 

ହଁ ହସୁଛି, କେତେଥର ଡାକିଲେ ଶୁଣିବ ଯେ ? କଣ, କିଛିଗୋଟାଏ ପ୍ଲଟ ମୁଣ୍ଡକୁ ଢୁକୁଛି ବୋଧେ ?? ସତରେ ସତ୍ୟଜିତ୍‌ ବାବୁ ଆପଣ ଭାରି ଇମୋସନାଲ ଅର୍ଥାତ୍‌ ଭାବପ୍ରବଣ ।

 

ନିଜକୁ ସଂଜତ କରି ନେଇ ମିନତିକୁ କିଛି କହିବା ପୂର୍ବରୁ ସାମାନ୍ୟ ଅପ୍ରସ୍ତୁତ ହୋଇପଡ଼ିଛି ସତ୍ୟଜିତ୍‌ । ଆରେ, ନାଁ ତ ଏମିତି ଟିକେ ଅନ୍ୟମନସ୍କ ଥିଲି । ମିନତି ପୁଣି ଥରେ ଫିକ୍‌କିନା ହସି ଦେଇ ଲାଜେଇ ଯାଇଛି ମୁହୂର୍ତ୍ତକ ପାଇଁ ।

 

ପୂଜା ସଂଖ୍ୟାରେ କେତେଟା କବିତା ବାହାରିଛି ?

 

କବିତା ! କବିତା ଓ ମୁଁ ଆମେ ଉଭୟ ଉଭୟଙ୍କୁ ୟା ଭିତରେ ପ୍ରାୟ ଭୁଲିଗଲୁଣି । ଆସନ୍ତା ମାସ ପ୍ରଥମ ସପ୍ତାହରେ ଥେସିସ୍‌ଟା ସବ୍‌ମିଟ୍‌ କରିବାକୁ ହେବ । ସେହି କାମରେ ବିଜି । ଆଉ ବେଳ କାହିଁ ଯେ କବିତା ଲେଖିବି ?

 

ସତେ ମିନତି ! ଏ କବିତା, ଏ ସାହିତ୍ୟର ଅର୍ଥ କଣ ଯେ ? କିଏ ଏ ସାହିତ୍ୟ ବା କବିତା ପଢ଼ୁଛି ନାଁ ବୁଝୁଛି ! ନିଜ ଢୋଲ ନିଜେ ପିଟିବା ନ୍ୟାୟରେ ସବୁ ଧନ୍ଦା ଛାଡ଼ି ସାହିତ୍ୟ କରିବା ଅକର୍ମାଙ୍କ କାମ ଛଡ଼ା ଆଉ କଣ ହୋଇପାରେ ?

 

ଅଳ୍ପଦିନ ତଳେ ଆମ ରାଷ୍ଟ୍ରପତି ଜ୍ଞାନୀ ଜୈଲସିଂହ ଗୋଟେ ବିବୃତିରେ କହୁଥିଲେ ସାହିତ୍ୟିକମାନେ ରାଷ୍ଟ୍ରର ପଥପ୍ରଦର୍ଶକ । ହେଲେ ଏଥିରୁ କଣ ମିଳିଲା ! ଏ ନିରୀହ ସାହିତ୍ୟିକମାନଙ୍କୁ ବିଶେଷ କରି ସାହିତ୍ୟ ପ୍ରତି ଆଗ୍ରହୀ ହୋଇ କଲମ ଧରିଥିବା ଯୁବକମାନଙ୍କୁ, ନାଁ ଟଙ୍କା ନାଁ ଚାକିରି ?

 

କେବଳ ଆତ୍ମସନ୍ତୋଷ ଛଡ଼ା କଣ ଲାଭ ଏ ସାହିତ୍ୟରେ ! ବରଂ ଏହା ଆମମାନଙ୍କ ଚରିତ୍ରର ଗୋଟାଏ ବ୍ଲାକ୍‌ ସ୍ପଟ ।

ସତ୍ୟଜିତ୍‌ କହିଚାଲିଛି ନିଜର ଅନୁଭବର କାହାଣୀ; କାହାଣୀ ନୁହେଁ ତ ସତ୍ୟ । ଯାହାକୁ ନେଇ ବର୍ତ୍ତମାନର ସାହିତ୍ୟିକ ସାଧନାମଗ୍ନ । ମିନତି କଣ କହିବାକୁ ଆରମ୍ଭ କରି ବାରମ୍ୱାର ଅଟକିଯାଉଛି । ଆଖି ଦୁଇଟି ଛୋଟ ହୋଇ ଉଠିଆସୁଛି । ହସନ୍ତ ଗୋଲାପ ପରି ମୁହଁରେ ଜମିଆସୁଛି ବହୁସ୍ମୃତିର ଅଳନ୍ଧୁ । ସତ୍ୟଜିତ୍‌ ଛିଣ୍ଡା ପଞ୍ଜାବୀ ପକେଟରୁ ଅଧାଜଳା ବିଡ଼ିଟେ କାଢ଼ି ନିଆଁଧରେଇ ଅପେକ୍ଷା କରିଛି ମିନତିର ମନ୍ତବ୍ୟକୁ । ରେଳଗାଡ଼ିର ପିଷ୍ଟନ ଠେଲି ଧୂଆଁ ବାହାରିଲାପରି ସତ୍ୟଜିତ୍‌ର ପାଟିରୁ ଭୁସ୍‌ ଭୁସ୍‌ ଧୂଆଁ ବାହାରୁଛି । ହଠାତ୍‌ ଆକାଶ କଳା ହୋଇ ଆସୁଛି ଖଣ୍ଡଖଣ୍ଡ ଭସା ବାଦଲରେ । ବର୍ଷା ମାଡ଼ି ଆସୁଛି । ମିନତି ଲମ୍ୱା ଲମ୍ୱା ପାହୁଣ୍ଡ ପକାଇ ଫେରିଯାଉଛି । ସତ୍ୟଜିତ୍‌ର ଛାତିରେ ପ୍ରତିଧ୍ୱନିତ ହେଉଛି ମିନତିର ଶେଷୋକ୍ତ ବାକ୍ୟଟି ‘‘ପଳେଇଯାଆନ୍ତୁ ସତ୍ୟଜିତ୍‌ ବାବୁ, କି ବର୍ଷା କି ଅନ୍ଧାର !’’

ଅବଶ୍ୟ ଏପରି ବର୍ଷା ଓ ଅନ୍ଧାର ତା ଜୀବନରେ ନୂଆ ନୁହେଁ, ତଥାପି ଏକ ଅଜଣା ଆଶଙ୍କାରେ ଟାଙ୍କୁରି ଉଠିଛି ଲୋମକୂପ । ସେ ପଳେଇଆସିଛି ପାଖ କ୍ୟାବିନ୍‌କୁ । ଟପଟପ ବର୍ଷାର ଆବାଜରେ ସତେ ଯେପରି କେହି ଜଣେ ହାତଠାରି କହୁଛି—କବିତା ତ କବିର ହୃଦୟ, ସାହିତ୍ୟ ତ କବିର ପ୍ରାଣ !

ଜୀବନକୁ ଉପଭୋଗ କରିବ ତ ଦୁଃଖକୁ ଆବାହନ କର ।

ଜୀବନକୁ ବିଶ୍ଳେଷଣ କରିବ ତ ମୃତ୍ୟୁକୁ ଆବାହନ କର ।

ଜୀବନକୁ ଦର୍ଶନ କରିବ ତ ଅନ୍ୟର ହୃଦୟକୁ ସ୍ପର୍ଶ କର ।

Image

 

ସୁକାନ୍ତ ମହାନ୍ତି ! ଅପେକ୍ଷା କର

 

୧୯୮୨, ୨୯ ତାରିଖ, ସୋମବାର । ଏକ ଅଦୃଷ୍ଟ ହାତର ଇଙ୍ଗିତରେ ‘ବାଲିଘର’ ନିସ୍ତବ୍‌ଧ, ନିଥର । ‘ଝଡ଼ର ଇଗଲ’ ଉଡ଼ିଗଲା କେଉଁ ‘ଅନ୍ଧଗଳି’କୁ ‘ଧରଣୀର କୃଷ୍ଣସାର’କୁ ଛାଡ଼ି ‘ଡିମିରି ଫୁଲ’ ଓ ‘ରକ୍ତକଇଁ’ର ସନ୍ଧାନରେ ତାର ପ୍ରିୟ ‘ସ୍ପାଟାକଲ୍‌ସ’ ଓ ‘ବୁମେରାଂ’କୁ ସାଥି କରି ।

 

ବାଘରାଣୀ ଖାଇରୀର ଅକାଳ ମୃତ୍ୟୁପରେ ତାର ପିତା ଅଖିଳ ଓ ନିଖିଳର ମୋହନ ଚାଲିଗଲେ ଆଉ ଏକ ବାଘରାଣୀର ସନ୍ଧାନରେ । ‘ସମାବେଶ’ ଝୁରୁଛି ତାର ପରିଚିତ ସ୍ନିଗ୍‌ଧ ସୁନ୍ଦର ଶେଷପୃଷ୍ଠାର ସ୍ୱାକ୍ଷରକୁ । ‘ସୁଜାତାର ଚିଠି’ ଏବେ ବି ସୁରକ୍ଷିତ ଅତୀତର ସମସ୍ତ ସ୍ମୃତିକୁ ଜାବୁଡ଼ି ଧରି ।

 

କିନ୍ତୁ ହେ ‘ଅମୃତ ପୁତ୍ର’ ! ଏମିତି କାହାକୁ ନ ଜଣାଇ, ନଶୁଣାଇ ଗୋଟିଏ ପୌଷରାତ୍ରିକୁ ଅପେକ୍ଷା ନକରି ସିଗାରେଟ୍‌ ଟାଣିଟାଣି ଖାମଖିଆଲ ବେପରୁଆ ଚାହାଣିରେ ରନ୍‌ ପରେ ରନ୍‌ ସଂଗ୍ରହ କରି ବୋଲ୍‌ଡ ଆଉଟ୍‌ ହେଲ ଜୀବନକୁ ଗୋଟିଏ ଲଟେରି ଟିକେଟ ପରି ବାଜିରଖି, ଓଡ଼ିଆ ସାହିତ୍ୟକୁ ଏପରି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ‘ପକ୍ଷାଘାତ’ର ଯନ୍ତ୍ରଣା ଦେଇ । ହୁଏତ ବନ୍ଧୁ, ତୁମେ କହିବ ଏହା ‘ଚନ୍ଦ୍ରର ଅଭିଶାପ’ ହେଲେ ମୁଁ ତୁମକୁ ଓ ତୁମର ‘ମନସ୍ତାତ୍ତ୍ୱିକର ଚିତ୍ର’କୁ ଭଲଭାବରେ ପରଖି ନେଇଛି ‘ଜନ ଓ ଜନତା’ର ଦରବାରରେ । ତୁମର ସେ ‘ସି ଗଲ’ ଭିତରୁ ଦେଖିନେଇଛି କଳାମୁହ, ଚକାଆଖି ଜଗନ୍ନାଥଙ୍କୁ ।

 

ହେ, ‘ସୁକାନ୍ତ ମହାନ୍ତି’ ! ଅପେକ୍ଷା କର । ଭାବୁଛ, ଆମକୁ ଠକି ଦେଇଛ ନା ? କିନ୍ତୁ ଏହା ସତ୍ୟ ‘ଗୋଟିଏ ଉଡ଼ାଜାହାଜ ସଂପର୍କରେ’ କହି ଭୁଲାଇ ଦେଇ ପାରିବ ନାହିଁ । ଏ ‘ବନ୍ୟ ଶୂକର’ ବି ତୁମରି ପଛେ ପଛେ ବିଳମ୍ୱ ହେଲେ ବି ଯାଉଛି ‘ହଳେ ଜୋତା କିଣିବାର ପ୍ରତ୍ୟକ୍ଷ ବିବରଣୀ’ ପାଇଁ । ସେଇଠି ଆପଣ, ମୁଁ ଓ ସେମାନେ ବାଘରାଣୀ ଖଇରୀ ସହିତ ‘ସାର୍ବଜନୀନ ମେସ୍‌’ରେ ଏକାଠି ହୋଇ ଅପେକ୍ଷା କରିବା ‘ଶେଷ ଚୈତ୍ରର ସମ୍ୱାଦ’କୁ ଆଉ ଉପଭୋଗ କରିବା ‘ନଦୀର ନାମ ଗଣତନ୍ତ୍ର’ ‘ଅକାଳ ବୋଧନ’ ‘ରୁବିର ରୁବାୟତ’, ‘ପ୍ଲାନ୍‌ଚେଟ୍‌’ ଓ ‘ଆପୁର ସଂସାର’କୁ ଛାଡ଼ି ଆହୁରି ଅନେକ ନୂତନ ସୃଷ୍ଟିକୁ, କାରଣ ଜୀବନକୁ ନୂଆକରି ଉପଭୋଗ କରିବା ଥିଲା ଆପଣଙ୍କର ଏକ ଖିଆଲ ନୁହେଁ ତ ଆଦର୍ଶ । ‘‘ତାରୁଣ୍ୟ ପରା ବୟସରେ ନ ଥାଏ, ଥାଏ ହୃଦୟରେ ଓ ମନରେ ।’’

Image

 

ଏବଂ ଶେଷକଥା

 

ନିଜ ବହି ସଂପର୍କରେ ନିଜେ କହିବା, ନିଜ ଡେଙ୍ଗୁରା ନିଜେ ପିଟିବା ଭଳି ଏକାକଥା । ତେଣୁ ମୁଁ ନିଜ ସମ୍ପର୍କରେ ବା ମୋ ଗଳ୍ପର ଚରିତ୍ରମାନଙ୍କ ସମ୍ପର୍କରେ ପାଠକମାନଙ୍କୁ ଅବଗତ କରାଇବାର ଧୃଷ୍ଟତା କରୁନାହିଁ । ‘‘ବିଷଣ୍ଣ ସୂର୍ଯ୍ୟ’’ କବିତା ସଙ୍କଳନ ପ୍ରକାଶିତ ହେବାର ଅନୁଭୂତି ଓ ବର୍ତ୍ତମାନର ଗଳ୍ପସଂକଳନ ‘‘ସୁଅ ସାମ୍ନାର ମଣିଷ’’ର ଜନ୍ମଜାତକ ସହ ନିଜଭାଗ୍ୟକୁ ତୁଳନା କଲେ ଯେପରି ହତାଶ ହେବାକୁ ପଡ଼େ, ସେହି ପରିମାଣରେ ଉତ୍ସାହ ମଧ୍ୟ ଆସେ । ନିରବିଛିନ୍ନ ଉଦ୍ୟମ ଓ ଦୃଢ଼ ମନୋବଳ ମଣିଷକୁ ସଫଳତାର ଶୀର୍ଷରେ ପହଞ୍ଚାଇଥାଏ । ଏହା ମୋ ପାଇଁ ସଂପୂର୍ଣ୍ଣ ସତ୍ୟ ।

 

ମୁଁ ଓ ମୋ ଗଳ୍ପର ଚରିତ୍ରମାନେ, ସମସ୍ତେ ଜଣେ ଜଣେ ସମୟର ସୁଅ ସାମ୍ନାରେ ଖେଳୁଆଡ଼ । ସମସ୍ତଙ୍କଠାରେ ବଞ୍ଚିବାର ମୋହ, ଦୁଇପାଦ ଆଗକୁ ଯାଇଁ ବାରମ୍ୱାର ପଛକୁ ଫେରି ଚାହିଁବାର ପ୍ରବୃତ୍ତି ।

 

ସାଂପ୍ରତିକ ସମାଜରେ ପ୍ରତି ସ୍ତରରେ ଲୋଭ, ମୋହ, ପରଶ୍ରୀକାତରତା ଓ ସ୍ୱାର୍ଥପରତା; ତଥାପି ଆମକୁ ପ୍ରତିଦ୍ୱନ୍ଦିତା କରିବାକୁ ହେବ, ପାଦ ପରେ ପାଦ ପକାଇ ଚାଲିବାକୁ ହେବ । ଶାନ୍ତି, ମଧୁସ୍ମିତା, ଜାହ୍ନବୀ, ଶେଫାଳିକୁ ବଞ୍ଚି ରହିବାକୁ ହେବ; ଯତୀନ୍ଦ୍ର, ଜୀବନ, ଆଲୋକ, ଶଙ୍କର ଓ ଅନୁପମକୁ ସବୁପ୍ରକାର ଦୁଃଖ ଓ ଯନ୍ତ୍ରଣାକୁ ସମ୍ମୁଖୀନ ହେବାକୁ ପଡ଼ିବ ଅନାଗତ ସକାଳର ପ୍ରତୀକ୍ଷାରେ ଯଦିଓ ମଣିଷର ଭବିଷ୍ୟତ ସବୁବେଳେ ଅନ୍ଧକାରମୟ, ଅସ୍ପଷ୍ଟ; ଅତୀତର ସ୍ମୃତି ଅପେକ୍ଷାକୃତ ବର୍ତ୍ତମାନ ପାଇଁ ଦୁଃଖଦାୟକ ଓ ଯନ୍ତ୍ରଣା-ଜର୍ଜରିତ, ବର୍ତ୍ତମାନ କିଛିଟା ଅନିଶ୍ଚିତ, ଦ୍ୱନ୍ଦ୍ୱମୟ, କିଛିଟା ସ୍ପଷ୍ଟ ସମ୍ଭାବନାମୟ ! ଯନ୍ତ୍ରଣାହିଁ ଜୀବନ । ଏ ଚରମ ସତ୍ୟକୁ ଆଖି ଆଗରେ ଥୋଇ ପ୍ରତି ସମସ୍ୟାକୁ ମୁକାବିଲା କରିବାକୁ ହେବ ଓ ମାୟକୋଭସ୍କିଙ୍କ ଭଳି ଉଦାର କଣ୍ଠରେ ଘୋଷଣା କରିବାକୁ ହେବ ‘‘Wherever pain is-there am I.’’ ଅବଶ୍ୟ ଏହା ମୋର ନିଜସ୍ୱ ମତ ।

 

ଏହା ନିଷ୍ଠୁର ସତ୍ୟ ଯେ ଏକ ଆଦର୍ଶବାଦର କଥା କହି ସମସ୍ତଙ୍କୁ ଗୋଟାଏ ଛାଞ୍ଚରେ ପକାଇବାକୁ ବୃଥା ଉଦ୍ୟମ କରିବା ଅନ୍ୟମାନଙ୍କ ପାଖରେ ଯେତିକି ଅକ୍ଷମଣୀୟ ତା’ଠାରୁ କମ୍‌ ଅନୁଶୋଚନାର ବିଷୟ ନୁହେଁ ସଂପୃକ୍ତ ଲେଖକ ବ୍ୟକ୍ତିର ସଂକୀର୍ଣ୍ଣତା ପାଇଁ । ତେଣୁ ମୁଁ ଏ ଦିଗରେ ଯେତେଟା ସମ୍ଭବ । ସ୍ପଷ୍ଟ ଓ ଉଦାର ହେବାକୁ ଚେଷ୍ଟା କରିଛି ମୋ ଗଳ୍ପରେ । ମୁଁ ସ୍ୱୀକାର କରିବାକୁ କୁଣ୍ଠାପ୍ରକାଶ କରିବିନାହିଁ ଯେ ମୋର ଆଲୋଚନା, ମତ ବା ମନ୍ତବ୍ୟ ଅପୂର୍ଣ୍ଣାଙ୍ଗ ବା ଆହୁରି ଅନେକ ଜିନିଷ, ଅନେକ ଅନୁଭବ ମୋ ଚିନ୍ତାର ବହିର୍ଭୂତ ହୋଇ ରହିଯାଇଛି କିନ୍ତୁ ସ୍ରଷ୍ଟା ସେ ଗାଳ୍ପିକ ବା କବି ହେଉ ତାର ସୀମା ଅସୀମ ଓ ଅନନ୍ତ । କେହି ବାଧ୍ୟ କରି ପାରିବନି ତାକୁ, କେହି ପୁରାମାତ୍ରାରେ ଅନୁଭବି ପାରିବ ନାହିଁ ତାର ଅନୁଭବକୁ । କେହି ତାକୁ ଚାବୁକ ଦେଖାଇ ଇଙ୍ଗିତ ଦେଇ କହି ପାରିବନି ତୁ ଏଇଆ ଲେଖିବାକୁ ବାଧ୍ୟ । ସେ ସର୍ବଦା ସ୍ୱାଧୀନ, ମୁକ୍ତ । ସ୍ୱାଧୀନତା ହିଁ ତାର ସ୍ରଷ୍ଟା ଜୀବନର ଜନ୍ମଗତ ବିଶେଷତ୍ୱ, ନଚେତ୍‌ ସେ ଗାଇ ଉଠିନଥାନ୍ତା ରାଜାର ବନ୍ଦନା କରିବାଠାରୁ ଛାତିରେ କାତିମାରି ମରିବା ଶ୍ରେୟସ୍କର ।

 

ଅନେକଙ୍କ ମତରେ କ୍ଷୁଦ୍ର ଗଳ୍ପର ଆତ୍ମା ହିଁ ଅନୁଭୂତି, ତେଣୁ ଜୀବନର ପ୍ରତିବିମ୍ୱ ଏଥିରେ ସ୍ପଷ୍ଟ ଓ ସମ୍ଭାବନାମୟ । ମୁଁ ମୋ ଗଳ୍ପ ସମ୍ପର୍କରେ ନୀରବ ରହିବାକୁ ଉଚିତ ମନେ କରୁଥିଲେ ବି ପାଠକମାନଙ୍କ ନିକଟରେ ଆଗୁଆ କୈଫିୟତ ଦେବାର ଆଗ୍ରହ ସମ୍ୱରଣ କରିପାରୁନାହିଁ ଯେ ମୁଁ ସାଂପ୍ରତିକ ସମାଜରେ ମୋର ଅନୁଭୂତିକୁ ଯଥାସାଧ୍ୟ ଅନୁଶୀଳନ ଓ ବିଶ୍ଳେଷଣ କରି ରୂପ ଦେବାକୁ ଚେଷ୍ଟା କରିଛି ଏବଂ ମୋର ଗଳ୍ପର ଚରିତ୍ରମାନଙ୍କୁ ରକ୍ତ ମାଂସର ମଣିଷଭଳି ସର୍ବଦା ଜୀବିତ ଓ ସଂଗ୍ରାମରତ ବୋଲି ଦେଖାଇବାକୁ ଚେଷ୍ଟା କରିଛି । ତେବେ ମୁଁ ମୋର ଯୁକ୍ତି ଉପସ୍ଥାପନ କରି ଦାବୀ କରିବି ନାହିଁ ଯେ ମୋର ସୃଷ୍ଟି ସଫଳ । କାରଣ ଏହା ପାଠକ ଓ ସମାଲୋଚକମାନଙ୍କର ବିଚାର୍ଯ୍ୟ ଓ ସେମାନଙ୍କର ରାୟ ଅନ୍ତତଃ ମୋ ପାଇଁ ଗ୍ରହଣୀୟ ।

 

ଏ ସଙ୍କଳନର ଜନ୍ମବାସରରେ ଯେଉଁମାନେ ମୋତେ ପ୍ରତ୍ୟକ୍ଷ ଓ ପରୋକ୍ଷରେ ଉତ୍ସାହ ଓ ପ୍ରେରଣା ଦେଇଛନ୍ତି ସମସ୍ତଙ୍କୁ ମୁଁ ନତମସ୍ତକ ହୋଇ ସମ୍ମାନ ଜଣାଉଛି । ବିଶେଷ କରି ସର୍ବଶ୍ରୀ ନରସିଂହ ନନ୍ଦ, ପ୍ରଫୁଲ୍ଲ କୁମାର ଗିରି, ଉଦୟ ନାରାୟଣ ଜେନାଙ୍କ ସାହାଯ୍ୟ ସହାନୁଭୂତି ଭୁଲିବାର ନୁହେଁ । ଏତଦ୍‌ବ୍ୟତୀତ ମୋର ଶୁଭେଚ୍ଛୁ ସର୍ବଶ୍ରୀ ପ୍ରସନ୍ନକୁମାର ପାଟଶାଣି, ହୁସେନ ରବି ଗାନ୍ଧୀ, ରାମଚନ୍ଦ୍ର ମହାନ୍ତି, ଗୁଣନିଧି ଜେନା, କୁଳମଣି ଜେନା, ଗୌତମ ଜେନା, ନିର୍ମଳା ମହାନ୍ତି, ସ୍ନେହ ମହାପାତ୍ର, ଧ୍ରୁବ ମହାନ୍ତି, ଭୀମ ପୃଷ୍ଟି, ପୂର୍ଣ୍ଣେନ୍ଦୁ ମିଶ୍ର ପ୍ରଭୃତିଙ୍କ ସମୟୋଚିତ ସହୃଦୟତା ଓ ସାହାଯ୍ୟପାଇଁ ସେମାନଙ୍କୁ ମୁଁ ଶୁଭେଚ୍ଛା ଜଣାଉଛି ଓ ମୋର ପ୍ରିୟ ପାଠକ-ପାଠିକାମାନଙ୍କ ଆନ୍ତରିକତା ଓ ମତାମତ କାମନା କରୁଛି । ସର୍ବଶେଷରେ ସନ୍ତାନର ଜନ୍ମଦାତା ବା ସ୍ରଷ୍ଟାଭାବେ ସଙ୍କଳନର ଆଦୃତି ଆଶାକରିବା ମୋ ପକ୍ଷରେ ସ୍ୱାଭାବିକ ।

 

—ଲେଖକ

Image